ମାଲକାନଗିରି: ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ନାକାମାମୁଡି ପଞ୍ଚାୟତର ଗାର୍ଡେନପଦର ଗ୍ରାମରେ ୮୮ ବିଏସଏଫ ବାଟାଲିୟନର ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡିଆଇଜି ଏସ.କେ.ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ୮୮ ବାଟାଲିୟନର କମାଣ୍ଡାଣ୍ଟ ବିନୋଦ ସରିନ, ଡେପୁଟି କମାଣ୍ଡାଣ୍ଟ(ଜି)ର ସୁଭଞ୍ଜନ ମହାପାତ୍ର, ସରପଞ୍ଚ ଲକ୍ଷ୍ମୀ ମୁଦୁଲି ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଜନସଂପର୍କ ଶିବିରରେ ଆଖପାଖ ଗ୍ରାମର ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ମହିଳା ପୁରୁଷ ଏବଂ ଛୋଟ ଛୋଟ ପିଲା ଯୋଗ ଦେଇଥିଲେ।
ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଡିଆଇଜି ଶ୍ରୀ ସିହ୍ନା ଗ୍ରାମବାସୀଙ୍କୁ ନକ୍ସଲର ହାତ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ସହ ବିକାଶ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।ହିଂସା ଦ୍ବାରା କେବେ ମଧ୍ୟ ଗଡ ଜୟ କରାଯାଇପାରିବ ନାହିଁ ବୋଲି କହିଥିଲେ। ନକ୍ସଲ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରିବା ଏକ ଘୃଣ୍ୟ କାମ ବୋଲି କହିଥିଲେ। ଏଠାରେ ବିଏସଏଫ କେବଳ ଲୋକଙ୍କ ଜୀବନ ରକ୍ଷା କରିବା ସହ ସେମାନଙ୍କୁ ସହଯୋଗ କରିବାକୁ ଆସିଛି। ନକ୍ସଲ ଦମନ କ୍ଷେତ୍ରରେ ଜିଲ୍ଲାରେ ବିଏସଏଫ ସଂପୂର୍ଣ୍ଣ ସଫଳତା ପାଇଛି।ଆଜି ଜିଲ୍ଲାରେ ଲୋକେ ଶାନ୍ତିରେ ରାତିରେ ଶୋଇପାରୁଛନ୍ତି।ବିଏସଏଫ ସହ ମିଳିତ ଭାବେ କାମ କରିବାକୁ ଲୋକଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପ୍ରତ୍ୟେକ ଲୋକଙ୍କୁ ଶାଢି, ଲୁଙ୍ଗି, ଦୈନନ୍ଦିନ ସାମଗ୍ରୀ, ଗ୍ଲାସ, ପ୍ଲେଟ, ଛତା, ରେଡିଓ ଇତ୍ୟାଦି ପ୍ରଦାନ କରାଯାଇଥିଲା। ପିଲାମାନଙ୍କୁ ବହିପତ୍ର, କଲମ ଇତ୍ୟାଦି ପ୍ରଦାନ କରାଯାଇଥିଲା।
ସେହିପରି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡାର ଆୟୋଜନ କରାଯାଇଥିଲା। ବିଜୟ ଦଳକୁ ପରୁସ୍କୁତ କରାଯିବା ସହ ଖେଳ ସାମଗ୍ରୀ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଇଥିଲା।ଯୁବଗୋଷ୍ଠୀ ହିଂସା ପଥକୁ ନ ପାପଣେଇ ଦେଶର ସୁରକ୍ଷା ପାଇଁ ବିଏସଏଫରେ ଯୋଗଦାନ କରିବାକୁ ଆହ୍ବାନ କରାଯାଇଥିଲା।ଦେଶପ୍ରତି ସମସ୍ତଙ୍କର ନିଷ୍ଠା ରହିବା ଦରକାର ବୋଲି କୁହାଯାଇଥିଲା। ଲୋକେ ମଧ୍ୟ ଆଗକୁ ନକ୍ସଲକୁ ସହଯୋଗ ନକରି ବିକାଶକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାଲକାନଗିରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ବିଏସଏଫ ରହି ନକ୍ସଲ ଦମନ କରିବାରେ କେତେ ସଫଳ ପାଇଛି ତାହାର ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା। ଲୋକେ ମଧ୍ୟ ଯବାନଙ୍କ ଏଭଳି ସହଯୋଗକୁ ଭୁଲିବେ ନାହିଁ ବୋଲି କହିଥିଲେ।