ବିଏସଏଫ ଏଡିଜିଙ୍କ ସ୍ବାଭିମାନ ଅଂଚଳ ଗସ୍ତ, ମାଓ ଦମନ ନେଇ ପୁଲିସ ସହ ରୁଦ୍ଧଦ୍ବାର ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ଆଜି ବିଏସଏଫ ଏଡିଜି ବି.ଭି.ରାମଶାସ୍ତ୍ରୀ ପହଞ୍ଚିଥିଲେ।ସେ ସ୍ବାଭିମାନ ଅଂଚଳର ଜାନବାଇ ଏବଂ ହନ୍ତାଲଗୁଡା ଠାରେ ରହିଥିବା ବିଏସଏଫ କ୍ୟାମ୍ପରେ ପହଞ୍ଚି ଯବାନଙ୍କ ମନବଳ ବଢାଇଥିଲେ। ସ୍ବାଭିମାନ ଅଂଚଳରେ ନକ୍ସଲଙ୍କର ଗତିବିଧି ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଏସଏଫ ଆଇଜି ସତୀଶ ଚନ୍ଦ୍ର ଭୁଡକୋଟି, ଅପରେସନ ଡିଆଇଜି ଧିରେନ୍ଦ୍ର କୁମାର, ଇଣ୍ଟେଲିଜେନସ ଡିଆଇଜି ବିପୁର ବୀର ଗୋସାଇଁ, କୋରାପୁଟ ଡିଆଇଜି ମଦନ ଲାଲ, ମାଲକାନଗିରି ଡିଆଇଜି ସଂଜୟ କୁାମର ସିଂ ଏବଂ ବାଟାଲିୟନ ୯ର କମାଣ୍ଡାଣ୍ଟ ଆର.ଏସ.ମିଞ୍ଜ ଉପସ୍ଥିତ ଥିଲେ।

ସ୍ବାଭିମାନ ଅଂଚଳକୁ ଧିରେ ଧିରେ ବିଏସଏଫ ନିଜର କବଜାକୁ ନେଉଥିବା ବେଳେ ଆଗାମୀ ଦିନରେ ଯନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି କୁହାଯାଇଛି। ସ୍ବାଭିମାନ ଅଂଚଳର ସମସ୍ତ ଅଂଚଳକୁ ବିଏସ୍‌ଏଫ୍‌ ଅକ୍ତିଆର କରିବା ପରେ ନକ୍ସଲଙ୍କ ଗତିବିଧି ଆଉ ଏଠାରେ ରହିବ  ନାହିଁବୋଲି କୁହାଯାଇଛି। ବିଏସଏଫ ଯବାନଙ୍କ ଘନ ଘନ ଚଢଉରେ ନକ୍ସଲ ଅତିଷ୍ଠ ହୋଇସାରିଲେଣି। ସ୍ବାଭିମାନ ଅଂଚଳକୁ ନିଜର ଅଡ୍ଡା ବନାଇଥିବା ନକ୍ସଲ ଏବେ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେଣି। ପୁଣି ଯବାନଙ୍କ ମନବଳ ବଢାଇବା ପାଇଁ ପ୍ରତ୍ୟେକ ସମୟରେ ବିଏସଏଫର ଉଚ୍ଚପଦାଧିକାରୀମାନେ ସ୍ବାଭିମାନ ଅଂଚଳ ଗସ୍ତ କରୁଥିବାରୁ ମାଓ ଦମନରେ ସଫଳତା ହାସଲ କରିଚାଲିଛନ୍ତି। ପରେ ଏମଭି-୩ ସ୍ଥିତ ବିଏସଏଫ କ୍ୟାମ୍ପରେ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କ ସହ ବିଏସଏଫର ଏହି ପଦାଧିକାରୀମାନେ ରୁଦ୍ଧଦ୍ବାର ବୈଠକରେ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି।

ମାଲକାନଗିରି ଜିଲ୍ଲାର ତୁଳସୀ ପାହାଡ ଅଂଚଳରେ ନକ୍ସଲଙ୍କର ଗତିବିଧି ବଢୁଥିବାରୁ ପୁଲିସ ଏହି ଅଂଚଳରେ ଲଗାତାର ଚଢାଉ ଜାରି ରଖିଛି, ଯାହାର ଫଳସ୍ବରୂପ ୩ ଜଣ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଥିଲା। ଏହି ଅଂଚଳକୁ ଛତିଶଗଡ଼ର ଦରଭା ଡିଭିଜନର ନକ୍ସଲମାନେ ବାରମ୍ବାର ଆସୁଥିବାରୁ ପୁଲିସ ଏହି ଅଂଚଳରେ କୁମ୍ବିଂ ଜୋରଦାର କରୁଛି। ବିଏସଏଫ ଏବଂ ପୁଲିସ ମିଳିତ ଭାବେ ଆଗକୁ ଲଢେଇ କରିବେ ବୋଲି ଆଲୋଚନା ହୋଇଥିବା ଜଣାପଡିଛି। ଏଥର ନକ୍ସଲ ମାଲକାନଗିରି ଜିଲ୍ଲାରୁ ହଟିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। ପୁଲିସ ଡିଜି ଅଭୟଙ୍କ ଗସ୍ତ ମଧ୍ୟ ଜିଲ୍ଲା ପୁଲିସକୁ ବହୁ ଖୋରାକ ଯୋଗାଉଛି। ତେବେ ବିଏସଏଫ ଏବଂ ପୁଲିସ ଆଗକୁ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର