ଯବାନ ଏବଂ ଅଫିସରଙ୍କ ଟେଷ୍ଟ ନେଲେ ବିଏସଏଫ ଆଇଜି

ମାଓ ଦମନ ନେଇ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଗସ୍ତରେ ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଡକୋଟି। ମାଲକାନଗିରି ସ୍ଥିତି ୩ ନମ୍ବର ବିଏସଏଫ କ୍ୟାମ୍ପରେ ପହଞ୍ଚିବା ପରେ ମାଓ ଦମନ ନେଇ ବିଏସଏଫ ଡିଆଇଜି ଧିରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ମାଲକାନଗିରି ସମେତ ସୀମାନ୍ତ ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଅଂଚଳରେ ମାଓ ଗତିବିଧି ଦିନକୁ ଦିନ ବଢୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ମାଓବାଦୀ ପଡୋଶୀ ରାଜ୍ୟରେ ହିଂସା ଘଟାଇବା ପରେ ମାଲକାନଗିରି ସୀମାରେ ପଶିବା  ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ୩୦ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ଜିଲ୍ଲାର ସଂପୂର୍ଣ୍ଣ ଭାବେ ନକ୍ସଲକୁ ବିତାଡିତ କରାୟାଇଛି।ଆଜି ଜିଲ୍ଲାବାସୀ ସ୍ବଚ୍ଛନ୍ଦରେ ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ବୁଲି ପାରୁଛନ୍ତି। ଏପରିକି ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜର କାର୍ଯ୍ୟର ତଦାରଖ ପାଇଁ ଦୁର୍ଗମ ଅଂଚଳକୁ ସୁରକ୍ଷିତ ଭାବେ ଯାଇପାରୁଛନ୍ତି।

ସେହିପରି ସ୍ବାଭିମାନ ଅଂଚଳେ ମଧ୍ୟ ୮ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ନକ୍ସଲ ଏଠାରୁ ଚାଲିଯାଇଛନ୍ତି।କାଁ ଭାଁ ସୀମାନ୍ତ ଆନ୍ଧ୍ରର କିଛି ଅଂଚଳରେ ଏବେ ବି ନକ୍ସଲ ପଇଁତରା ମାରୁଥିବା କୁହାଯାଇଛି। ତେବେ ଆଗାମୀ ଦିନରେ ଆନ୍ଧ୍ର ସହ ମିଶି ନକ୍ସଲଙ୍କୁ ଏଠାରୁ ମଧ୍ୟ ତଡିଦିଆଯିବ ବୋଲି କୁହାଯାଇଛି।ପରେ ଆଇଜି ପଡିଆ, ଏମଭି-୭୬, ଏମଭି-୭୨, ଏମଭି-୮୮ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ।

ଏଠାରେ ୭୬ ବିଏସଏଫ ବାଟାଲିୟନର କମାଣ୍ଡାଣ୍ଟ ନରେନ୍ଦ୍ର ସିଂ ଉପସ୍ଥିତ ରହି ଆଇଜିଙ୍କୁ ସମସ୍ତ ଅଂଚଳ ପରିଦର୍ଶନରେ ସହଯୋଗ କରିଥିଲେ। ପରେ ଆଇଜି ଯବାନ ଏବଂ ଅଫିସରମାନଙ୍କର ଏକ ଟେଷ୍ଟ ନେଇଥିଲେ। ଯବାନ ମାନେ ଫିଟ ଅଛନ୍ତି କି ନାହିଁ ତାହାର ଏକ ପରୀକ୍ଷା କରିଥିଲେ। ସେହିପରି ବିଏସଏଫ ଅଧିକାରୀମାନଙ୍କର ମଧ୍ୟ ଶାରିରୀକ ଓ ମାନସିକ ଟେଷ୍ଟ ନିଆଯାଇଥିଲା। ସେ ଯବାନଙ୍କର ଏଭଳି ମନଭାବକୁ ପ୍ରଶଂସା କରିଥିଲେ। ଏଥିସହ ବିଏସଏଫ ତରଫରୁ ଲୋକଙ୍କ ସଂପର୍କ ବଢାଇବା ପାଇଁ ଜନ ସଂପର୍କ ଶିବିର ଅନୁଷ୍ଠିତ କରାଯାଇ ଲୋକଙ୍କୁ ବିଭିନ୍ନ ଜିନିଷ ବଣ୍ଟନ କରାଯିବା ଏବଂ ଯୁବକମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢାଉଥିବାରୁ ଆଇଜି ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର