ବିଚ୍ଛିନ୍ନାଞ୍ଚଳରେ ବିଏସ୍‌ଏଫ୍‌ ଆଇଜି ଓ ଡିଆଇଜି, ମାଓ ଦମନ ପାଇଁ ସ୍ଥିତି ସମୀକ୍ଷା

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ କ୍ରମଶଃ ହ୍ରାସ ପାଇବାକୁ ଲାଗିଛି। ତଥାପି କାଁ ଭାଁ ସ୍ଥିତି ଜାହିର କରିବାରେ ସକ୍ଷମ ହେଉଛନ୍ତି ମାଓବାଦୀ। ବିଶେଷ କରି ବିଚ୍ଛିନ୍ନାଞ୍ଚଳରେ ଏବେ ବି ମାଓବାଦୀଙ୍କ ଗତିବିଧି ରହିଛି। ‌ଜିଲ୍ଲାରେ ମାଓବାଦୀଙ୍କୁ ମୂଳପୋଛ କରିବାକୁ ବଡ଼ ରଣନୀତି ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ଲୋଡ଼ା। ଏଥିପାଇଁ ବିଏସ୍‌ଏଫ୍‌ ଯବାନ କେତେ ପ୍ରସ୍ତୁତ ଅଛନ୍ତି, ଭିତ୍ତିଭୂମିର ଅବସ୍ଥା କଣ ରହିଛି, ଆଜି ତାହାର ସମୀକ୍ଷା କରିଛନ୍ତି ବିଏସ୍‌ଏଫ୍‌ ଆଇଜି ହରମିନ୍ଦର ସିଂହ, ଜିଆଇଜି ସୁକୁମାର ଷଡ଼ଙ୍ଗୀ ଓ ଜିସିଜି ଏସ୍‌.ଆର୍‌. କ୍ରିଷ୍ଣା।

ଆଜି ସକାଳେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବିଏସ୍‌ଏଫ୍‌ର ଏହି ତିନି ବରିଷ୍ଠ ଅଧିକାରୀ ମାଲକାନଗିରି ପହଞ୍ଚିଥିଲେ। ଏହାପରେ ବିଚ୍ଛିନ୍ନାଞ୍ଚଳ ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପ୍‌କୁ ଯାଇ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଚ୍ଛିନ୍ନାଞ୍ଚଳରୁ ଫେରିବା ପରେ ମାଲକାନଗିରି ନିକଟସ୍ଥ ଏମ୍‌ଭି-୩ ସ୍ଥିତ ବିଏସ୍‌ଏଫ୍‌ର ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ମାଓବାଦୀଙ୍କ ହ୍ରାସ ପାଉଥିବା ଗତିବିଧି ଏବଂ ଗୁଇନ୍ଦା ବିଭାଗ ସଂଗ୍ରହ କରିଥିବା ତଥ୍ୟକୁ ନେଇ ବହୁ ସମୟ ଧରି ତର୍ଜମା କରାଯାଇଥିଲା। ବରିଷ୍ଠ ଅଧିକାରୀଙ୍କ ଏହି ଗସ୍ତ ଯବାନଙ୍କ ମନୋବଳକୁ ବଢ଼ାଇବା ପାଇଁ ଥିଲା ବୋଲି କୁହାଯାଉଛି। କିନ୍ତୁ ଏହି ଗସ୍ତ ପଛରେ ଥିବା ମୂଳ ଉଦ୍ଦେଶ୍ୟ ସଂପର୍କରେ କେହି କିଛି କହୁନାହାନ୍ତି।

ସୂଚନାଯୋଗ୍ୟ, ଏକଦା ମାଓବାଦୀଙ୍କ ଗଡ଼ ଥିବା ବିଚ୍ଛିନ୍ନାଞ୍ଚଳରେ ଧୀରେ ଧୀରେ ଶାନ୍ତି ଫେରୁଛି। ଏମିତି ସ୍ଥିତିରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଯାହାକି ବିଏସ୍‌ଏଫ୍‌ ଯବାନଙ୍କ କଡ଼ା ପହରା ଯୋଗୁଁ ସମ୍ଭବ ହୋଇପାରିଥିବା କୁହାଯାଉଛି। ପୂରା ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ବିଏସ୍‌ଏଫ୍‌ ଜୋର ଲଗାଇ ଦେଇଥିବା ବେଳେ ଘନ ଘନ କମ୍ବିଂ ଅପରେସନ ଭୟରେ ରହିଥିବା ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଫେରାଇଛି।

ସମ୍ବନ୍ଧିତ ଖବର