ବିଏସଏଫ ଆଇଜିଙ୍କ କାଶୀପୁର ଗସ୍ତ, କରୋନା ସଂକ୍ରମଣ ଉପରେ ଯବାନମାନଙ୍କ ସହ ଆଲୋଚନା କଲେ

ରାୟଗଡ଼ା: ବିଏସଏଫ ଆଇଜି ଆଜି ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିବା ଜଣାଯାଇଛି। ଗସ୍ତ ସମୟରେ ସେ ସେଠାରେ ମୁତୟନ ଥିବା ଯବାନଙ୍କ ସହିତ କରୋନା ସତର୍କତା ନେଇ ଆଲୋଚନା କରିଛନ୍ତି। ବିଏସଏଫ୍ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାର କାଶୀପୁରଠାରେ ବିଏସଏଫ ଆଇଜି ଅମରେନ୍ଦ୍ର ପାଲ, ଡିଆଇଜି (କୋରାପୁଟ) ପି କେ ମିଶ୍ର ଓ ଡ଼ିଆଇଜି (ଇଣ୍ଟେଲିଜେନ୍ସ) ସୁକୁମାର ଷଡ଼ଙ୍ଗୀ ପ୍ରମୁଖ କୋରାପୁଟ ଜିଲ୍ଲା ଅନ୍ତର୍ଗତ ନାରାୟଣପାଟଣାଠାରୁ ଏକ ସ୍ପତନ୍ତ୍ର ହେଲିକପ୍ଟର ଯୋଗେ ଗତକାଲି ଦ୍ବିପହରରେ କାଶୀପୁର ନିକଟ ଏକ ପଡ଼ିଆରେ ଅବତରଣ କରିଥିଲେ ।

ସୁରକ୍ଷା ଦୃଷ୍ଟିକୋଣରୁ ବିଏସଏଫ ପକ୍ଷରୁ ଅଞ୍ଚଳରେ ପୂର୍ବରୁ ଏ ନେଇ କୌଣସି ସୂଚନା ନ ଥିଲା। ତେବେ କାଶୀପୁର ସଦର ମହକୁମାରେ ସକାଳଠାରୁ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥିସହ ପୁଲିସର ଛାଉଣୀ ଦେଖି ସହରରେ କୌଣସି ଗୁରୁତ୍ବପୂର୍ଣ୍ଣ ସ୍ଥିତି ହେବାର ଆଶଙ୍କା ନେଇ ସାଧାରଣରେ କଳ୍ପନାଜଳ୍ପନା ଲାଗି ରହିଥିଲା । ହେଲିକପ୍ଟର ଦେଖି ଲୋକେ ଅନୁମାନ କରିପାରିଥିଲେ। ଏଥିମଧ୍ୟରେ ଉକ୍ତ ଅଧିକାରୀମାନେ ସୁରକ୍ଷା ବଳୟ ମଧ୍ୟରେ କାଶୀପୁର ଥାନା ପରିସରରେ ଥିବା ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ ।

ସ୍ଥାନୀୟ ବିଏସଏଫ ଅଧିକାରୀଙ୍କର ସୂଚନା ଅନୁଯାୟୀ ସମସ୍ତ ବିଏସଏଫ ଯବାନମାନଙ୍କ ସହ ବିଶ୍ଵବ୍ୟାପୀ କରୋନା ସଂକ୍ରମଣ ମହାମାରୀ ଉପରେ ଆଲୋଚନା କରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ଅଧିକାରୀ ସ୍ତରରେ ଅଞ୍ଚଳର ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ । ଉକ୍ତ ଗସ୍ତ ସମୟରେ କ୍ୟାମ୍ପ କମାଣ୍ଡର୍ ଦେବଦାସଙ୍କ ସମେତ ଅନ୍ୟ ଯବାନମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର