ମାଲକାନଗିରି : ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି ବିଏସ୍‌ଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡ଼କୋଟି। ଏକାଧିକ ଅଞ୍ଚଳ ବୁଲି ମାଓ ଦମନ ଅଭିଯାନର ସମୀକ୍ଷା କରିଥିବାରୁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କୁହାଯାଉଛି। ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂହଙ୍କ ସହ ଆଇଜି ଶ୍ରୀ ବୁଡ଼କୋଟି ଓଡ଼ିଶା-ଛତିଶଗଡ଼ ଏବଂ ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ସ୍ବାଭିମାନ ଅଞ୍ଚଳର ଜାନବାଇ ଏବଂ ଡାଇକ-୩ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ଯବାନଙ୍କ ସହ ଖୋଲା ଆଲୋଚନା କରିଥିଲେ। ସେଠାରୁ ଫେରି ତେନ୍ତୁଳିଗୁମ୍ମା ଅଞ୍ଚଳ ପରିଦର୍ଶନ କରିଥିଲେ।

Advertisment

ଶ୍ରୀ ବୁଡ଼କୋଟିଙ୍କ ଗସ୍ତ ପରେ ଯବାନଙ୍କ ମନୋବଳ ମଧ୍ୟ ବଢ଼ିଛି। ସେ ମଧ୍ୟ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହ ଏବଂ ଏସ୍‌ପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ମାଓ ଗତିବିଧି ଏବଂ କୋଭିଡ୍‌ ସ୍ଥିତି ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ମାଲକାନଗିରି ବିଏସ୍‌ଏଫ୍‌ କ୍ୟାମ୍ପରେ କୋଭିଡ୍‌ ସ୍ଥିତି କିପରି ରହିଛି ତାହା ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ଯବାନମାନେ ଯେମିତି କୋଭିଡ୍‌ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ଅଗ୍ରାଧିକାର ଦେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

୨୦୧୦ ମସିହାରେ ମାଲକାନଗିରି ଜିଲ୍ଲାକୁ ଆସିଥିଲେ ବିଏସ୍‌ଏଫ୍‌ ଯବାନ। ସେହି ସମୟରେ ହିଁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ୟାମ୍ପ ସ୍ଥାପନ କରିଥିଲେ ବିଏସ୍‌ଏଫ୍‌।