ଚିତ୍ରକୋଣ୍ଡା: ମାଓ ଦମନ ଅଭିଯାନକୁ ନେଇ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରୁ ବଡ଼ ସଂକେତ ମିଳିଛି। ବିଏସ୍ଏଫ୍ ଆଇଜି ଭାବେ ଚାରୁଧ୍ବଜ ଅଗ୍ରୱାଲ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମଥର ସ୍ବାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସ୍ଥିତି ପରଖିବା ସହ ବରିଷ୍ଠ ଅଧିକାରୀ ଓ ଯବାନଙ୍କ ସହ ଆଲୋଚନା କରିଛନ୍ତି। ଆଇଜିଙ୍କ ଏହି ଗସ୍ତ ମାଓ ଦମନ ଅଭିଯାନକୁ ଅଧିକ ଗତିଶୀଳ କରିବ ବୋଲି କୁହାଯାଉଛି। ମଙ୍ଗଳବାର ଅପରାହ୍ନରେ ଆଇଜିଙ୍କ ସ୍ବତନ୍ତ୍ର ହେଲିକପ୍ଟର ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପରେ ଅବତରଣ କରିଥିଲା। କ୍ୟାମ୍ପ ପରିଦର୍ଶନ କରିବା ସହ ଆଇଜି ବ୍ୟକ୍ତିଗତ ଭାବେ ଯବାନଙ୍କ ସହ ଆଲୋଚନା କରିଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ମାଓବାଦୀଙ୍କ ଉପସ୍ଥିତି ଏବଂ ଗତିବିଧି ସଂପର୍କରେ ତଥ୍ୟ ସଂଗ୍ରହ କରି ଅଭିଯାନ ରଣନୀତି ବିଷୟରେ ଚର୍ଚ୍ଚା କରିଥିଲେ। ଏଠାରୁ ଯୋଡ଼ାମ୍ବ, ହନ୍ତାଳଗୁଡ଼ା, ଯନ୍ତାପାଇ, ବଡ଼ପଡ଼ାସ୍ଥିତ ବିଏସ୍ଏଫ୍ କ୍ୟାମ୍ପକୁ ଆଇଜି ଗସ୍ତ କରିଥିଲେ।
ଦୁର୍ଗମ ଅଞ୍ଚଳରେ ରହିଥିବା ଏହି କ୍ୟାମ୍ପ୍ ଯୋଗୁ ମାଓବାଦୀଙ୍କ ପ୍ରଭାବ ସଂପୂର୍ଣ୍ଣ କମି ଯାଇଛି। ଶାନ୍ତି ଫେରି ଆସିଥିଲା ବେଳେ କାଁଭାଁ ମାଓବାଦୀଙ୍କ ଗତିବିଧି ରହିଥିଲେ ସୁଦ୍ଧା ହିଂସା ଘଟାଇବା ପାଇଁ ସୁଯୋଗ ପାଉନାହାନ୍ତି। ତେବେ ମୂଳପୋଛ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ୋକ୍ତି ଅନୁଯାୟୀ ବିଏସ୍ଏଫ୍ ଓ ଅନ୍ୟ ଅର୍ଦ୍ଧସାମରିକ ବଳ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯଦିଓ ଗତ ଦିନରେ ମାଲକାନଗିରି ଜିଲ୍ଲାରୁ ଫୋର୍ସ ପ୍ରତ୍ୟାହାର ହୋଇଥିଲା। ତଥାପି ଶାନ୍ତି ବଜାୟ ରହିଛି। ଆଜିର ଗସ୍ତରେ ବିଏସ୍ଏଫ୍ କୋରାପୁଟ ଡିଆଇଜି ସତ୍ୟବାନ ଖାନଚି, ଡିଆଇଜି ସ୍ପେସାଲ ଅପରେସନ୍ ସଞ୍ଜୟ ଯାଦବ, ମୁଖ୍ୟାଳୟ କମାଣ୍ଡାଣ୍ଟ୍ ମହେଶ ପ୍ରସାଦ, ବରିଷ୍ଠ ବିଏସ୍ଏସ୍ ଅଧିକାରୀ କମଲ ଖୁଲବେ ଏବଂ ନବୀନ କୁମାର ସାମିଲ ଥିଲେ।