ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ନକ୍ସଲ ମୂଳପୋଛ ହେବାର ମୁଖ୍ୟ କାରଣ ହେଲା ବିଏସଏଫ। ଜିଲ୍ଲାରେ ପ୍ରାୟ ୩୦ଟି ବିଏସଏଫ କ୍ୟାମ୍ପ ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ଅବସ୍ଥାପିତ ହୋଇ ନକ୍ସଲଙ୍କୁ ଜିଲ୍ଲାରୁ ତଡିବାରେ ସଫଳ ହୋଇଛନ୍ତି। ଆଜି ଜିଲ୍ଲା ନକ୍ସଲ କବଳରୁ ମୁକୁଳିପାରିଛି ବିଏସଏଫ ଯୋଗୁଁ।
ତେବେ ବିଏସଏଫ ଯବାନ କେବଳ ଜିଲ୍ଲବାସୀଙ୍କ ଜୀବନ ରକ୍ଷା କରୁନାହାନ୍ତି, ବରଂ ସାମାଜିକ କାମ ସହ ଲୋକଙ୍କୁ ସହଯୋଗ ମଧ୍ୟ କରିଆସୁଛନ୍ତି। ବିଏସଏଫ ଯୋଗୁଁ ଆଜି ଜିଲ୍ଲାବାସୀ ଶାନ୍ତିରେ ଶୋଇପାରୁଛନ୍ତି। ସଦ୍ୟତମ ଘଟଣା କ୍ରମରେ ଖଇରପୁଟ ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନର ଯବାନ କମ୍ବିଂ କରିବାକୁ ଜଂଗଲରେ ପଶିଥିଲେ। ଫେରିବା ବେଳେ କଦମଗୁଡା ପଞ୍ଚାୟତର ଡାବଗୁଡା ଗ୍ରାମର ଜଣେ ୭୦ ବର୍ଷିଆ ବୃଦ୍ଧ ରୋଗରେ ପୀଡିତ ହୋଇ ଚାଲି ଚାଲି ମେଡିକାଲ ଯାଉଥିବା ଦେଖିଥିଲେ। ରୋଗୀ ଜଣକ ହେଲେ ଦାମୋଦର ଶିଶା।ସେ ଜଂଗଲ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ବିଏସଏଫ ଯବାନ ତାଂକୁ କଣ ହୋଇଛି ବୋଲି ପଚାରିଥିଲେ।ତେବେ ଦାମୋଦରଙ୍କ ପରିବାର ଲୋକେ ଡାକ୍ତରଖାନା ଯାଉଥିବା କହିଥିଲେ। ଯାନବାହନ ନଥିବାରୁ ବାଧ୍ୟ ହୋଇ ଚାଲି ଚାଲି ଦାମୋଦରଙ୍କୁ ମେଡିକାଲ ନିଆଯାଉଥିବା କହିଥିଲେ।
ବିଏସଏଫ ଯବାନ ତୁରନ୍ତ ଏକ ଖଟିଆ ସାହାଯ୍ୟରେ ତାଂକୁ ଶୁଆଇ ଦେଇ ଯବାନ କାନ୍ଧରେ ବୋହି ମେଡିକାଲ ପର୍ଯ୍ୟନ୍ତ ଚାଲି ଚାଲି ଆସିଥିଲେ। ଅନ୍ୟ ଯବାନ ଏହି ଯବାନଙ୍କର ସୁରକ୍ଷାରେ ନିୟୋଜିତ ହୋଇଥିଲେ। ଯବାନଙ୍କର ଏଭଳି ମାନବିକାତ ଯୋଗୁଁ ଜିଲ୍ଲାରେ ବେଶ ପ୍ରଶଂସିତ ହୋଇପାରିଛନ୍ତି। ପରିବାର ଲୋକେ ମଧ୍ୟ ବିଏସଏଫଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲାବାସୀ ଆଜି ବିଏସଏଫ ଯବାନଙ୍କ ନିକଟରେ ଋଣି ବୋଲି କହିଛନ୍ତି।