ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ସଡକପୁଟ ଠାରୁ ଡୁମୁରିପଦର ଯିବା ରାସ୍ତାରେ ଥିବା ଏକ କଲଭର୍ଟରେ ନକ୍ସଲ ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିବା ଆଜି ବିଏସ୍ଏଫ୍ ଯବାନ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦେଖିବାକୁ ପାଇଥିଲେ। ତୁରନ୍ତ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଉଦ୍ଧାର କରିବା ସହ ସେଠାରୁ ଜଂଗଲ ଭିତରେ ଏକ ନିର୍ଜନ ସ୍ଥାନରେ ବୋମାକୁ ନିଷ୍କ୍ରିୟ କରିଥିଲେ।
ତେବେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁ ସୁରକ୍ଷାକର୍ମୀ ଏଥିରେ ମୃତାହତ ହୋଇଥାନ୍ତେ। ଯବାନଙ୍କ ଉଚିତ ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଅଘଟଣକୁ ଟାଳି ଦିଆଯାଇପାରିଛି। ତେବେ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି କଲଭର୍ଟ ନିକଟରେ ଲ୍ୟାଣ୍ଡମାଇନକୁ ଖଞ୍ଜିଥିବା କୁହାଯାଉଛି। ଏବେ ବି ଦଣ୍ଡାବାଡି ଅଂଚଳରେ ନକ୍ସଲ ସକ୍ରିୟ ରହିଥିବା ଏଥିରୁ ଅନୁମାନ କରାଯାଏ। ସଂପୂର୍ଣ୍ଣ ଦଣ୍ଡାବାଡିକୁ ନକ୍ସଲ ମୁକ୍ତ କରିବା ପାଇଁ ସରକାର ଦଣ୍ଡାବାଡି ଏବଂ ରାମଗିରି ଠାରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କଲେ। ଯାହାଫଳରେ ଏହି ଅଂଚଳରେ ନକ୍ସଲଙ୍କ ଗତିବିଧି ଏକ ପ୍ରକାର କମିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ନକ୍ସଲ ଗ୍ରାମବାସୀଙ୍କ ହୃଦୟ ଜିତିବା ପାଇଁ ବହୁ ସମୟରେ ଏଠାକୁ ଆସୁଥିବା ଅନୁମାନ କରାଯାଏ। ବିଏସଏଫର ଘନଘନ ଚଢାଉ ଏବଂ ନକ୍ସଲଙ୍କର ସମସ୍ତ ଠିକଣା ଉପରେ ଚଢାଉ କରାଯିବା ପରେ ନକ୍ସଲ ଏକ ପ୍ରକାର ଘାଇଲା ହୋଇ ରହିଛନ୍ତି। ତେଣୁ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ବିଭିନ୍ନ ସ୍ଥାନରେ ବୋମା ଖଞ୍ଜୁଥିବା କୁହାଯାଇଛି।ତେବେ ନକ୍ସଲ ଡାଳେ ଡାଳେ ଗଲେ ଯବାନ ପତରେ ପତରେ ଯାଉଥିବା ଆଲୋଚନା ଜୋର ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f401f47e-414a-4923-a46b-741e9b0bf039.jpg)