ମନ ଜିଣିଲେ ବିଏସ୍‌ଏଫ୍‌ ଯବାନ୍‌; ସ୍ବାଭିମାନ ଅଞ୍ଚଳରେ ଲୋକଙ୍କୁ ବାଣ୍ଟିଲେ ଧୋତି-ଶାଢ଼ି, ପିଲାମାନେ ପାଇଲେ ପାଠ୍ୟ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବହୁ ଗ୍ରାମ ସ୍ବାଭିମାନ ଅଞ୍ଚଳରେ ରହିଯାଇଛି। ଏହି ଗ୍ରାମଗୁଡିକକୁ ଆଜି ବି ସରକାରଙ୍କର ଅନେକ ଯୋଜନା ପହଞ୍ଚି ପାରୁନାହିଁ, ଯାହାର ଫାଇଦା ଉଠାଉଥିଲେ ନକ୍ସଲ। ଏହି ଗ୍ରାମଗୁଡିକକୁ ନିଜ ଅକ୍ତିଆରକୁ ନେଇ ନକ୍ସଲ ନିୟମ କାନୁନ ଚଳାଉଥିଲେ।ତେବେ ଏବେ ୮୮ ବିଏସ୍ଏ‌ଫ୍‌ ବାଟାଲିୟନ ସେଠାରେ ପହଞ୍ଚିବା ପରେ ଏହି ଅଂଚଳକୁ ବିଏସ୍ଏ‌ଫ୍‌ ଯବାନ ନିଜ କବଜାକୁ ନେଇଯାଇଛନ୍ତି। ଏହି ଅଂଚଳର ଲୋକେ ଏବେ ଶାନ୍ତିରେ ନିଃଶ୍ବାସ ମାରିପାରୁଛନ୍ତି। ବିଏସ୍ଏ‌ଫ୍‌ ତରଫରୁ ଦୁର୍ଗମ ଗାରଡିଙ୍ଗପଦର ଗ୍ରାମରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଥିଲା।

ଡିଆଇଜି ସଂଜୟ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡିଆଇଜି ଶ୍ରୀ ସିଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ଅଞ୍ଚଳର ଲୋକଙ୍କର ମନ ଓ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଡିଆଇଜି ସମେତ ଏହି କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ବିନୋଦ ସରିନ, ଟୁଆଇସି ଗୌରବ ମହାଜନ, ଡିସିଜି ସୁଭଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଡବ୍ଲୁ ଡବ୍ଲୁଏର ସଭାପତି ନୀତା ସିଂ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଆଦିବାସୀଙ୍କ ମନ ଜିତିପାରିଥିଲେ। ନୀତା ସିଂ ଗରିବ ଆଦିବାସୀ ମହିଳାଙ୍କ ବିଭିନ୍ ଘରୋଇ ଉପକର ପ୍ରଦାନ କରିଥିଲେ।

ଆଗାମୀ ଦିନରେ ମଧ୍ୟ ସେ ଏହି ଆଦିବାସୀ ମହିଳାମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ସରପଞ୍ଚ ବିଶ୍ବନାଥ ହନ୍ତାଳ ମଧ୍ୟ ଉପସ୍ଥିତ ରହି ବିଏସ୍ଏ‌ଫ୍‌ ଯବାନଙ୍କ ସହଯୋଗ କାମନା କରିଥିଲେ। ଗାରଡିଙ୍ଗପଦର ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିକଟସ୍ଥ କେନ୍ଦୁଗୁଡା, ତେନ୍ତୁଳିଗୁଡା, ଡୁମଡୁମାଗୁଡା, ମିଠୁବନ୍ଧ, ପିପଲପଦର ଭଳି ଗ୍ରାମର ଶଥାଧିକ ମହିଳା ପୁରୁଷ ଏବଂ ଶିଶୁମାନେ ଉପସ୍ଥିତ ଥିଲେ। ଏହି ଗରିବ ଲୋକଙ୍କୁ କିପରି ସେମାନଙ୍କର ହକ ପହଞ୍ଚିବ ଏବଂ ଏହି ଅଂଚଳର ବିକାଶ ହେବ ସେନେଇ ଆଲୋଚନା କରାଯାଇଥିଲା।

ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କୁ ଗାମୁଛା, ଧୋତି, ଶାଢିି, ଜୋତା, ଷ୍ଟିଲ ବାସନକୁସନ, ଟର୍ଚ ଲାଇଟ, ସୋଲାର ଲାଇଟ, ରେଡିଓ, ଛତା, ଗ୍ଲାସ ପ୍ଲେଟ, ସ୍କୁଲ ବ୍ୟାଗ, ଫୁଟବଲ, ଭଲିବଲ, କ୍ରିକେଟ ସାମଗ୍ରୀ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଶିଶୁମାନଙ୍କୁ ମଧ୍ୟ ସମସ୍ତ ସ୍କୁଲ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କୁ ମାଗଣାରେ ଚିକିତ୍ସା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା।ବିଏସେଫ ଲୋକଙ୍କ ସହ ମିଶି ଆଗକୁ ଏହି ଅଂଚଳରୁ ନକ୍ସଲକୁ ଦମନ କରିବ ବୋଲି କହିଥିଲେ। ଲୋକଙ୍କ ସହଯୋଗ ହେଲେ ଏହି ଅଂଚଳର ବିକାଶ ହେବା ସହ ଆଗାମୀ ଦିନରେ ଲୋକେ ନିଜର ପିଲାଙ୍କ ଭବିଷ୍ୟତ ଗଢିବାରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇବେ। ଗ୍ରାମବାସୀମାନେ ମଧ୍ୟ ଆଗକୁ ଆଉ ନକ୍ସଲକୁ ସମର୍ଥନ ନକରି ସରକାରଙ୍କୁ ସହଯୋଗ କରିବା ସହ ବିକାଶ ଧାରାରେ ସାମିଲ ହେବେ ବୋଲି କୁହାଯାଇଛି। ଦୀର୍ଘ ସମୟ ଧରି ଲୋକଙ୍କ ସହ ଯବାନ ଆଲୋଚନା କରିବେ ବଲୋ ଗ୍ରାମବାସୀଙ୍କ ମନ ଜିଣିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର