ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ପଲିଟେକନିକ୍ ଟିଏମ୍ସି କେନ୍ଦ୍ରରୁ ଜଣେ ବିଏସଫ୍ ଯବାନ ଫେରାର ହୋଇଯାଇଛନ୍ତି। ଏ ନେଇ ବିଏସ୍ଏଫ୍ କମାଣ୍ଡାଣ୍ଟ ନବରଙ୍ଗପୁର ଥାନାରେ ଏକ ଏତଲା ଦେଇଛନ୍ତି। ସୂଚନା ମୁତାବକ ନବରଙ୍ଗପୁର ବିଏସ୍ଏଫ୍ କ୍ୟାମ୍ପର ଜଣେ ଯବାନ ଗତ ମାସରେ ତାଙ୍କ ଘର ଆନ୍ଧ୍ରରୁ ନବରଙ୍ଗପୁରକୁ ଫେରିଥିଲେ। ତାଙ୍କୁ ପଲିଟେକନିକ୍ ସ୍ଥିତ ଟିଏମ୍ସିରେ ରଖାଯାଇଥିଲା। ଗତ ୨୪ତାରିଖରେ ତାଙ୍କର କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ନବରଙ୍ଗପୁର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଯବାନ। ଏହି ମାସ ୧ ତାରିଖରେ ସେ ସୁସ୍ଥ ହେବାରୁ ତାଙ୍କୁ ନିରୀକ୍ଷଣ ପାଇଁ ପୁଣି କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରି ବିଏସଏଫ ତରଫରୁ ନବରଙ୍ଗପୁର ପଲିଟେକ୍ନିକ କଲେଜ ଟିଏମ୍ସିରେ ୧୪ ଦିନ ପାଇଁ ରଖାଯାଇଥିଲାl ସେ ଟିଏମ୍ସିରେ ରହିବା ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ ଏବଂ ଘରକୁ ଯିବା ପାଇଁ ବିଏସ୍ଏଫ୍ କର୍ତ୍ତୃପକ୍ଷଙ୍କୁ ଛୁଟି ମାଗିଥିଲେ। କରୋନାର ଭୟାଭୟତା ଦୃଷ୍ଟିରୁ ତାଙ୍କୁ ଛୁଟି ଦିଆନଯିବାରୁ ଯବାନ ଜଣକ ଟିଏମସିରୁ ଗତ ୧୦ ତାରିଖ ସକାଳୁ କାହାକୁ ନ କହି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଖବର ପାଇ ବିଏସଏଫ କମାଣ୍ଡାଣ୍ଟ ନବରଙ୍ଗପୁର ଥାନାରେ ଏନେଇ ଏତଲା ଦେଇଛନ୍ତି। ନବରଙ୍ଗପୁର ଥାନାରେ କେସ ନଂ ୧୬୧/୨୦୨୦ ରେ ଏକ ମାମଲା ରୁଜୁ ହୋଇଛି। ସେ ଏବେ ନିଜ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର କଚିପୁଡ଼ି ଗାଁରେ ଥିବା ଏବଂ ସେଠାରେ ପୁଣି କରୋନା ପରୀକ୍ଷା ରିପୋର୍ଟ ଆସିବା ପରେ ଫେରିବେ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି। ପ୍ରକାଶ ଥାଉକି ଗତ କିଛିଦିନ ପୂର୍ବେ ନବରଙ୍ଗପୁର କୋଭିଡ୍ ହସପିଟାଲରୁ ମଧ୍ୟ ଜଣେ ସଂକ୍ରମିତ ଫେରାର ହୋଇଯାଇଥିଲେ। ଦୀର୍ଘ ୪୦ ଘଣ୍ଟା ପରେ ପୁଲିସ ତାଙ୍କୁ ତାଙ୍କ ଘରୁ ଧରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/quara.jpg)