ମାଓ ଇଲାକାରେ ନିର୍ବାଚନ ପରିଚାଳନା ଚିନ୍ତା : ନିୟୋଜିତ ହେବେ ୧ କଂପାନି ବିଏସଏଫ୍

ରାୟଗଡା : ରାୟଗଡା ଜିଲ୍ଲାର ମାଓ ଉପଦ୍ରୁତ ଅଞ୍ଚଳରେ ନିର୍ବାଚନ ପରିଚାଳନା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଚନ୍ଦ୍ରପୁର, କଲ୍ୟାଣସିଂହପୁର, କାଶୀପୁର, ରାମନାଗୁଡା, ଗୁଡାରୀ ବ୍ଲକର ଉପାନ୍ତ ଇଲାକାରେ ଶତ ପ୍ରତିଶତ ମତଦାନ ଏବଂ ସୁରକ୍ଷିତ ଭାବେ ଇଭିଏମ୍/ଭିଭିପାଟ ମେସିନକୁ ଷ୍ଟ୍ରଙ୍ଗ୍ ରୁମକୁ ଆଣିବା ପାଇଁ ସୁରକ୍ଷା କ୍ଷେତ୍ରରେ କଡ଼ା ପଦକ୍ଷେପ ନେଉଛି ପୁଲିସ୍। ମାଓ ପ୍ରବଣ ଇଲାକାରେ ସିଆରପିଏଫ୍ ଯବାନ ଥିବା ସତ୍ତ୍ବେ ଜିଲ୍ଲା ପୁଲିସ୍ ନିର୍ବାଚନ ଶେଷ ପର୍ଯ୍ୟନ୍ତ ମାଓ ଦମନରେ ଆଉ ଏକ କଂପାନି ବିଏସ୍ଏଫ୍ ଯବାନଙ୍କୁ ମୁତୟନ କରିବ ବୋଲି ସୂଚନା ମିଳିଛି।

ଦୀର୍ଘ ଦିନର ନିରବତା ପରେ ନିର୍ବାଚନ ସମୟରେ ଜିଲ୍ଲାରେ ମାଓବାଦୀ ପୁଣି ନିଜ ସ୍ଥିତି ଜାହିର କରିବାରେ ଲାଗିଲେଣି। ମାଓ ଦମନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୮ ବାଟାଲିୟନ୍ ବିଏସ୍ଏଫ୍, ୨ ବାଟାଲିୟନ୍ ସିଆରପିଏଫ୍, ଗୋଟିଏ ବାଟାଲିୟନ୍ କୋବ୍ରା ସହ ପୁଲିସର ନିଜସ୍ୱ ଆର୍ମ ଫୋର୍ସ ସାଙ୍ଗକୁ ଗ୍ରେହାଉଣ୍ଡ, ଡିଭିଏଫ, ଏସ୍ଓଜି ଯବାନ ନିୟୋଜିତ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ରାୟଗଡା ଜିଲ୍ଲାରେ ୫୦ କ୍ୟାଡର ମାଓବାଦୀ ରହିଥିବା ବେଳେ ଶହେରୁ ଊର୍ଧ୍ବ ମିଲିସିଆ ମାଓ ସଂଗଠନ ପାଇଁ କାମ କରୁଛନ୍ତି। ଗତ ଏକ ମାସ ମଧ୍ୟରେ ରାୟଗଡା-ଫୁଲବାଣୀ ରାସ୍ତାର ଚାଟିକଣା ଏବଂ ଡଙ୍ଗରବାଙ୍କ ନିକଟରେ ଖଞ୍ଜା ଯାଇଥିବା ୩ଟି ଲ୍ୟାଣ୍ଡମାଇନ ଏବଂ କଲ୍ୟାଣସିଂହପୁରରୁ ଲ୍ୟାଣ୍ଡମାଇନ୍ ଉଦ୍ଧାର, ମାଓବାଦୀ ଗିରଫ, ପାର୍ସାଲିରେ ବାରମ୍ବାର ମାଓ ପୋଷ୍ଟର ଉଦ୍ଧାର ଘଟଣାକୁ ନେଇ ପୁଲିସ୍ ଚିନ୍ତିତ ଅବସ୍ଥାରେ ରହିଛି। ମାଓବାଦୀ ସବୁବେଳେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅନୁଷ୍ଠିତ ନିର୍ବାଚନକୁ ବିରୋଧ କରି ଆସୁଛନ୍ତି। ଗତ ନିର୍ବାଚନ ସମୟରେ ଘଟିଥିବା ବିଭିନ୍ନ ହିଂସାକାଣ୍ଡ ଏହାର ବଡ଼ ଉଦାହରଣ। ନକ୍ସଲ ଗତିବିଧିକୁ ନଜରରେ ରଖି ଅଧିକ ୧ କଂପାନି ବିଏସ୍ଏଫ୍ ଯବାନଙ୍କୁ ରାୟଗଡା ପଠାଇବା ପାଇଁ ଜିଲ୍ଲା ପୁଲିସ୍ ରାଜ୍ୟ ଗୃହ ବିଭାଗ ଓ ନିର୍ବାଚନ କମିଶନଙ୍କୁ ଜଣାଇବା ପରେ ଖୁବ୍ ଶୀଘ୍ର ୧ କଂପାନି ବିଏସଏଫ୍ ରାୟଗଡାରେ ପହଞ୍ଚିବେ। ପୂର୍ବରୁ ମାଓ ଦମନ ପାଇଁ ରାୟଗଡା, ବିଷମକଟକ, କଲ୍ୟାଣସିଂହପୁର, ଗୁଡାରୀ, ବିଜାପୁର, ମୁକୁନ୍ଦପୁର, ଶେଷଖାଲ, ମୁନିଗୁଡା, ଚନ୍ଦ୍ରପୁର, ଡାଙ୍ଗସୋରଡା, ରାଇବିଜିରେ ମୁତୟନ ଅଛନ୍ତି ସିଆରପିଏଫ୍। ସେହିପରି କାଶୀପୁର ବ୍ଲକର କୁମ୍ଭିକୋଟା ସମେତ କାଶୀପୁରରେ ମୁତୟନ ଅଛନ୍ତି ବିଏସଏଫ୍ ଯବାନ।

ସମ୍ବନ୍ଧିତ ଖବର