ପ୍ରସୂତି ଓ ନବଜାତକର ଜୀବନ ବଞ୍ଚାଇଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଅବସ୍ଥାପିତ ବିଏସ୍‌ଏଫ୍‌ ଯବାନମାନେ ପୁଣି ଜଣେ ପ୍ରସୂତି ଓ ତାଙ୍କ ନବଜାତ ଶିଶୁଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନରକ୍ଷା କରିଛନ୍ତି। ପୂର୍ବରୁ ଗତ ସପ୍ତାହରେ ମଧ୍ୟ ବିଏସ୍‌ଏଫ୍‌ ଯବାନମାନେ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ପଠାଇ ଲୋକଙ୍କ ଆସ୍ଥା ଭାଜନ ହୋଇଥିଲେ।

ଏଥର ଘଟଣା ଘଟିଛି ବିଚ୍ଛିନ୍ନାଞ୍ଚଳର ପେପରମେଟଲା ଥାନା ଅନ୍ତର୍ଗତ ଯନ୍ତାପାଇ ଗ୍ରାମରେ। ଏହି ଗ୍ରାମର ଡମ୍ବରୁ କଞ୍ଚାଇଙ୍କ ପତ୍ନୀ ରୁକୁଣା କଞ୍ଚାଇ ବଡପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ତାନ ପ୍ରସବ କରିଥିଲେ। ଏହାପରେ ଉଭୟ ପ୍ରସୂତି ଓ ନବଜାତ ଶିଶୁର ଅବସ୍ଥା ଗୁରୁତର ରହିଥିଲା। ବଡ଼ପଡ଼ା ଡାକ୍ତର ଅବସ୍ଥା ଦେଖି ଚିତ୍ରକୋଣ୍ଡା କିମ୍ବା ମାଲକାନଗିରି ମେଡିକାଲକୁ ଉଭୟଙ୍କୁ ନେବା ପାଇଁ ପରାମର୍ଶ ଦେଇଥିଲେ। ନଚେତ ଉଭୟଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇଯିବ ବୋଲି କହିଥିଲେ। ଏଭଳି ପରିସ୍ଥିତିରେ ସ୍ୱାମୀ ଡମ୍ବରୁ କ’ଣ କରିବେ ଚିନ୍ତା କରିପାରି ନଥିଲେ। ଏହି ଖବର ସ୍ଥାନୀୟ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲା।

ବିଳମ୍ବ ନକରି ବଡପଡା ଏବଂ ଯନ୍ତାପାଇରେ ଅବସ୍ଥାପିତ ଯବାନ ମିଶି ଗୋଟିଏ ବୋଟ୍‌ ଯୋଗାଡ କରିଥିଲେ। ବଡପଡାରୁ ବୋଟ ଯୋଗେ ନଦୀ ପାର କରାଇ ଚିତ୍ରକୋଣ୍ଡା ନେବା ପାଇଁ ବିଏସଏଫର ୟୁନିଟ ଆମ୍ବଲାନସକୁ ଡକାଇଥିଲେ। ସେହି ଆମ୍ବୁଲାନସରେ ଗୁରୁତର ମହିଳା ଓ ନବଜାତ ଶିଶୁକୁ ମେଡିକାଲ ନେବା ବ୍ୟବସ୍ଥା କରିଥିଲେ। ଚିତ୍ରକୋଣ୍ଡା ମେଡିକାଲରେ ପହଞ୍ଚିଲା ବେଳେକୁ ଉଭୟ ଗୁରୁତର ଥିବା ଡାକ୍ତର କହିଥିଲେ। କିନ୍ତୁ ଉଚିତ ସମୟରେ ବିଏସଏଫ ମେଡିକାଲରେ ଦୁହିଁଙ୍କୁ ପହଞ୍ଚାଇ ପାରିଥିବାରୁ ଏମାନଙ୍କର ଚିକିତ୍ସା ତୁରନ୍ତ କରାଯାଇପାରିବ ବୋଲି ଡାକ୍ତର କହିଥିଲେ। ଖବର ଲେଖାଯିବା ବେଳକୁ ଉଭୟ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥ ରହିଥିବା ଜଣାପଡିଛି। ବିଚ୍ଛିନ୍ନାଞ୍ଚଳ ଭଳି ଉପାନ୍ତ ଅଂଚଳରେ ବିଏସଏଫର ଏହି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର