ମାଲକାନଗିରି: ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଦ୍ଵାରା ବୋଟ୍ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସ୍ଏଫ୍ ଡିଆଇଜି ସଞ୍ଜୟ କୁମାର ସିଂହ ଗୁରୁପ୍ରିୟା ସେତୁ ନିକଟରେ ଏହାକୁ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ରାଜ୍ୟ ସରକାରଙ୍କ କେତକ ଅଧିକାରୀ ବି ଯୋଗ ଦେଇଥିଲେ। ଏଠାରେ ବହୁସଂଖ୍ୟକ ଲୋକ ବି ଉପସ୍ଥିତ ଥିଲେ। ଚଳିତ ମାସ ୩୦ ତାରିଖରୁ ବାଲିମେଳା ଡ୍ୟାମ୍ର ଉଭୟ ପାର୍ଶ୍ଵରେ ଏହି ସେବା ଲାଗୁ କରାଯିବ। ଏହାଫଳରେ ୩୫ଟି ଗାଁର ପ୍ରାୟ ୧୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାଯାଇଛି।
ସପ୍ତାହରେ ସାତ ଦିନ ଏହି ବୋଟ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେବ। ସେବା ପାଇଁ ଯୋଗାଯୋଗ ନମ୍ବର ବୋଟ ଆମ୍ବୁଲାନ୍ସରେ ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି। ଏଣେ ସେବା ବିଷୟରେ ଅବଗତ କରିବାକୁ ବିଏସଏଫ ଅଧିକାରୀଙ୍କ ଟେଲିଫୋନ୍ ନମ୍ବର ମଧ୍ୟ ଗ୍ରାମବାସୀଙ୍କୁ ଦିଆଯିବ।
ଏହି ବୋଟ ଆମ୍ବୁଲାନ୍ସରେ ଡ୍ରପ୍ ସିଷ୍ଟମ୍, ଔଷଧ ଏବଂ ପାରାମେଡିକାଲ୍ କର୍ମଚାରୀମାନେ ରହିବେ। ବିଏସଏଫ କର୍ମଚାରୀମାନେ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏହି ବୋଟ ଆମ୍ବୁଲାନ୍ସର ବ୍ୟବସ୍ଥା କରିବେ।
/sambad/media/post_attachments/wp-content/uploads/2022/01/bb0-300x200.jpg)
ପ୍ରକାଶ ଥାଉକି, ସଡ଼କ ସଂଯୋଗ ଅଭାବରୁ ଅଧିକାଂଶ ଗ୍ରାମବାସୀ ଆମ୍ବୁଲାନ୍ସ ସେବା ପାଇବାର ସୁଯୋଗ ପାଉ ନଥିଲେ। ସେମାନେ ଅସୁସ୍ଥ ଲୋକଙ୍କୁ ଜଙ୍ଗଲ ଅଞ୍ଚଳରେ ସ୍ଲିଙ୍ଗ୍ କିମ୍ବା ବାଉଁଶ ଷ୍ଟ୍ରେଚରରେ ଡାକ୍ତରଖାନାକୁ ନେଇ ଯାଉଥିଲେ।
ଗୁରୁପ୍ରିୟା ସେତୁ ହେବା ପରେ ହାତ ଗଣତି କିଛି ଗ୍ରାମକୁ ହିଁ ଯୋଗାଯୋଗ ହୋଇପାରୁଥିବା ବେଳେ ଦୁର୍ଗମ ଅଂଚଳରେ ରହିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଆଜି ବି ପ୍ରଶାସନ ପହଞ୍ଚିପାରି ନାହିଁ। ଏହି ସେବା ଫଳରେ ସେହି ଅଂଚଳକୁ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/boat.jpg)