କମ୍ବିଂ ସାରି ଫେରିଲା ବେଳେ ଓଲଟିଲା ଭ୍ୟାନ୍‌ : ୧୫ ବିଏସ୍‌ଏଫ ଯବାନ ଆହତ, ୪ ଗୁରୁତର

ଲକ୍ଷ୍ମୀପୁର/କୋରାପୁଟ : କମ୍ବିଂ ସାରି ଫେରୁଥିବା ବେଳେ ଓଲଟି ପଡିଲା ବିଏସଏଫ ଭ୍ୟାନ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟ ବନ୍ଦିକାରଠାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କୋରାପୁଟ ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି।

ଲକ୍ଷ୍ମୀପୁରରେ ଥିବା ବିଏସଏଫ ୧୯୫ ବାଟାଲିୟନର ଯବାନମାନେ କମ୍ବିଂ ଅପରେସନରେ ଯାଇଥିଲେ। ସେମାନେ କୋରାପୁଟ-ରାୟଗଡା ସୀମାନ୍ତରେ କମ୍ବିଂ ସାରି ଆଜି ସକାଳେ ଭ୍ୟାନ୍‌ରେ ଲକ୍ଷ୍ମୀପୁର ଫେରୁଥିଲେ। ଏହି ଫେରିବା ସମୟରେ ଲକ୍ଷ୍ମୀପୁରଠାରୁ ପ୍ରାୟ ୫ କିମି ପୂର୍ବରୁ ବନ୍ଦିକାର ଗଡାଣିଆର ସିରିଂପାଇ ଝୋଲାରେ ଥିବା ଏକ ପୋଲ ତଳକୁ ଭ୍ୟାନ୍‌ଟି ଖସିି ପଡିଥିଲା। ପ୍ରାୟ ୪୦ଫୁଟ ତଳକୁ ଭ୍ୟାନଟି ଗଡି ଯିବାରୁ ଏଥିରେ ଥିବା ଯବାନମାନେ ଆହତ ହୋଇଥିଲେ।

ଖବର ପାଇ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଲକ୍ଷ୍ମୀପୁର ଥାନା ଅଧିକାରୀ ଜଗନ୍ନାଥ ଆଚାର୍ଯ୍ୟଙ୍କ ସମେତ ପୁଲିସ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଯବାନମାନଙ୍କୁ ଉଦ୍ଧାର କରି ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲକୁ ଅଣାଯାଇଥିଲା। ତେବେ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ୪ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ରମିଜ ରାଜା, ଅମଜଦ ଖାଁ, ମହିପାଲ କୁମାର ଓ ବିନୋଦ କୁମାର ପଟେଲ। ଅପରପକ୍ଷରେ କୋରାପୁଟ ମେଡିକାଲରେ ରମେଶ ନାଗର, ଇଦାନ ସିଂହ, ଶ୍ରୀନିବାସ ଜେ, ବୀରେନ୍ଦ୍ର କୁମାର, ଜଗଦୀଶ ପ୍ରସାଦ, ରାକେଶ ଯାଦବ, ରାଜେନ୍ଦ୍ର ସିଂହ, ବସନ୍ତ ବଲ୍ଳଭ, ଗୁରୁଚରଣ ସିଂହ, ଅନନ୍ତରାମ, ସୁବାଷ ଚନ୍ଦ୍ର ଚିକିତ୍ସିତ ହେଉଛନ୍ତି।

ବିଶାଖାପାଟଣା ଯାଇଥିବା ରମିଜ ରାଜାଙ୍କୁ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଠାରେ ତାଙ୍କୁ ଚିକିତ୍ସା କରାଯାଇ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିବା ପରେ ହେଲିକପ୍ଟର ଯୋଗେ ସେଠାକୁ ପଠାଯାଇଥିଲା। ତାଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅପରପକ୍ଷରେ ଅନ୍ୟମାନେ ବିପଦମୁକ୍ତ ରହିଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି। ସେମାନଙ୍କୁ ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ସୀତାରାମ ମହାପାତ୍ର ସୂଚନା ଦେଇଛନ୍ତି। ଅପରପକ୍ଷରେ ଆହତ ଯବାନମାନଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ଆଜି ମେଡିକାଲ କଲେଜରେ କୋରାପୁଟ ରେଂଜ ଡିଆଇଜି ଏସ.ସାଇନି ଓ ଏସପି ଡଃ କେ.ଭି. ସିଂହ ପହଞ୍ଚିଥିଲେ। ସେମାନେ ଆହତ ଯବାନଙ୍କୁ ଭେଟିବା ସହ ତାଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦେବାକୁ କହିଥିଲେ।

ସମ୍ବନ୍ଧିତ ଖବର