ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଦ୍ବନ୍ଦ୍ବକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଲୋକଙ୍କ ମନରୁ ଦ୍ବନ୍ଦ୍ବ ଦୂର କରିବା ପାଇଁ ପଦକ୍ଷେପ ନେବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହିତାଧିକାରୀଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ବିଏସ୍‌କେୱାଇ ଯୋଜନାର କ’ଣ ହେବ ତାହାକୁ ନେଇ ଆଲୋଚନା ଚାଲିଛି। ଏହି ସମୟରେ ହସ୍ପିଟାଲମାନେ ବିଏସ୍‌କେୱାଇ କାର୍ଡଧାରୀଙ୍କୁ ଚିକିତ୍ସା କରିବା ଲାଗି ମନା କରୁଥିବା ଘଟଣା ନଜରକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ିଥିଲା। ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ମଧ୍ୟ ଏହି ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଥିଲା। ଯଦିଓ ସଂଧ୍ୟାରେ ବିବୃତି ଦେଇ ଶ୍ରୀ ସାମଲ ବିଏସ୍‌କେୱାଇକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ। ତଥାପି ଏହାକୁ ନେଇ ଦ୍ବନ୍ଦ୍ବ ଦୂର ହୋଇ ନ ଥିଲା।

Advertisment

ଆଜି ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ ଜେନା ବିଏସ୍‌କେୱାଇ ଚାଲୁ ରହିଥିବା ସ୍ପଷ୍ଟ କରିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ସମସ୍ତ ହସ୍ପିଟାଲରେ ବିଏସ୍‌କେୱାଇ କାର୍ଡରେ ଚିକିତ୍ସା କରାଯାଉଛି। ବିଏସ୍‌କେୱାଇ ହିତାଧିକାରୀଙ୍କୁ କୌଣସି ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା କରିପାରିବ ନାହିଁ କିମ୍ବା ଚିକିତ୍ସା ଅବଧି ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ କରିପାରିବେ ନାହିଁ। ନୂଆ ସରକାର କୌଣସି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବ। କୌଣସି ହସ୍ପିଟାଲ ଏଥିରେ ସହଯୋଗ ନ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ହେଲ୍‌ପ ଲାଇନ୍ ନମ୍ବର ଜାରି କରାଯାଇଛି। କୌଣସି ଅସୁବିଧା ହେଲେ ୧୦୪ ନମ୍ବରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

‘ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉ’
ଚିକିତ୍ସାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟ ସଚିବ
ଅସୁବିଧାର ସମ୍ମୁଖୀନ ହେଲେ ୧୦୪ ନମ୍ବରକୁ କଲ୍‌ କରନ୍ତୁ
ଟଙ୍କା ବାକି ରହିଛି, ସରକାର ବଦଳିବାରୁ ଆଶଙ୍କା ସୃଷ୍ଟି ହୋଇଥିଲା: ସଂଘ

ଅପରପକ୍ଷରେ ବିଏସ୍‌କେୱାଇର କାର୍ଯ୍ୟକାରିତା ନେଇ ଦ୍ବନ୍ଦ୍ବ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ‌ଯେ ବିଏସ୍‌କେୱାଇ ହିତାଧିକାରୀମାନେ ଅନୁବନ୍ଧିତ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ପାଇପାରିବେ। ଜୁନ୍ ୪ ତାରିଖ ସୁଦ୍ଧା ଅନୁବନ୍ଧିତ ହସ୍ପିଟାଲମାନେ ୫୮ଶହ ରୋଗୀଙ୍କ ଚିକିତ୍ସା ପାଇଁ ପ୍ୟାକେଜ୍ ବୁକ୍ କରିଛନ୍ତି। ‌ଏହାସହ ଜୁନ୍ ୫ ତାରିଖରେ ୫୩୮୯ ରୋଗୀଙ୍କ ପ୍ୟାକେଜ୍ ବୁକ୍ କରାଯାଇଛି। ଅନୁବନ୍ଧିତ ହସ୍ପିଟାଲମାନଙ୍କ ସହ ବିଏସ୍‌କେୱାଇ ନେଇ ଯେଉଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ତାହା ବଳବତ୍ତର ରହିଛି। ତେଣୁ ହିତାଧିକାରୀମାନେ ଏଥିପାଇଁ ଅଯଥା ଭୟଭୀତ କିମ୍ବା ଦ୍ବନ୍ଦ୍ବ ଭିତରେ ରହିବା ଉଚିତ୍ ନୁହେଁ। ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ବିଏସ୍‌କେୱାଇକୁ ନେଇ ସୃ‌ଷ୍ଟି ହୋଇଥିବା ଦ୍ବନ୍ଦ୍ବକୁ ନେଇ ରାଜ୍ୟ ଘରୋଇ ସଂଘ ସ୍ପଷ୍ଟୀକରଣ ରଖିଛି। ସଂଘ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ଏହି ଯୋଜନାରେ ବହୁ ଅର୍ଥ ହସ୍ପିଟାଲମାନଙ୍କ କୋଟି କୋଟି ଟଙ୍କା ବାକି ରହିଛି। ଏ ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ ଓ କେତେକ କ୍ଷେତ୍ରରେ ଏହା ବୁଡ଼ି ଯାଇଛି। ସରକାରଙ୍କୁ ବାରମ୍ବାର ଏ ସଂପର୍କରେ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ତେଣୁ ସରକାର ବଦଳିବା ପରେ ରୋଗୀଙ୍କ ଚିକିତ୍ସା ବାବଦ ଟଙ୍କା ମିଳିବ କି ନାହିଁ ତାହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନରେ ଆଶଙ୍କା ଦେଖା ଦେଇଥିଲା। ବିଏସ୍‌କେୱାଇକୁ ନେଇ ତୁରନ୍ତ ସ୍ପଷ୍ଟୀକରଣ ମିଳିଥିଲେ ଏଭଳି ଅଚଳାବସ୍ଥା ଦେଖା ଦେଇ ନ ଥାନ୍ତା। ରୋଗୀଙ୍କୁ ହଇରାଣ କରିବା ହସ୍ପିଟାଲମାନଙ୍କ ଲକ୍ଷ୍ୟ ନୁହେଁ। ତେବେ ଯୋଜନା ସଂପର୍କରେ ଏକ ଲିଖିତ ସ୍ପଷ୍ଟୀକରଣ ମିଳିବା ଦରକାର। ଯେହେତୁ ପୂର୍ବ ସରକାରରେ ହସ୍ପିଟାଲମାନଙ୍କ ଅର୍ଥ ବୁଡ଼ି ଯାଇଛି, ତେଣୁ ନୂଆ ସରକାର କିଭଳି ବକେୟା ଅର୍ଥ ସହ ଯୋଜନା ଚାଲୁ ରଖିବେ ତାହା ହସ୍ପିଟାଲମାନଙ୍କୁ ଭୟଭୀତ କରିଛି। ଏବେ ପୁନର୍ବାର ହସ୍ପିଟାଲମାନେ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।