ବିଏସ୍‌କେୱାଇ କେଳେଙ୍କାରୀ: ତଦନ୍ତରୁ ମିଳିଲା ସାଂଘାତିକ ତଥ୍ୟ

ଗୋଟିଏ ନର୍ସିଂହୋମ୍‌ରେ ଚିକିତ୍ସା, ଅନ୍ୟଟିରେ ଟଙ୍କା ଉଠାଣ, ୨ ଗିରଫ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରପଗଡ଼

କଟକ: କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଚାଲିଥିବା ପୁଣି ଏକ ବଡ଼ କେଳେଙ୍କାରୀ ସାମ୍‌ନାକୁ ଆସିଛି। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗର ତଦନ୍ତ କରିବାକୁ ଯାଇ ମଧୁପାଟଣା ଥାନା ପୁଲିସ ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିଛି। ରୋଗୀଙ୍କୁ ଗୋଟିଏ ସ୍ଥାନରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ନାମ ଅନ୍ୟ ହସ୍ପିଟାଲର ରେକର୍ଡରେ ଦର୍ଶାଇ ବିଏସ୍‌କେୱାଇ ଅର୍ଥ ଉଠାଯିବା ଭଳି ଚାଞ୍ଚଲ୍ୟକର ଘଟଣା ଧରାପଡ଼ିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି।

ଆଜି ଏହି କେଳେଙ୍କାରୀ ସଂପର୍କରେ ସୂଚନା ଦେଇ ଏଡିସିପି ଅନିଲ କୁମାର ମିଶ୍ର କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲା ବଡ଼ଗଡ଼ ଅଞ୍ଚଳର ପ୍ରସନ୍ନ କୁମାର ପାତ୍ର ମାର୍ଚ୍ଚ ୭ ତାରିଖରେ ମଧୁପାଟଣା ଥାନାରେ ଏକ ଅଭିଯୋଗ କରିଥିଲେ। ପ୍ରସନ୍ନଙ୍କ ଅଭିଯୋଗ ଅନୁଯାୟୀ ନୂଆବଜାର ଗୋଶାଳା ରୋଡ୍‌ରେ ଥିବା ଜେ.ଏମ୍. କେୟାର ହସ୍ପିଟାଲରେ ତାଙ୍କ ପତ୍ନୀ କୁନି ପାତ୍ର ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହି ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିବା ସହିତ ଏ ସଂପର୍କରେ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଫେବ୍ରୁଆରି ୨୧ ତାରିଖରେ ଜେ.ଏମ୍. କେୟାର ହସ୍ପିଟାଲରେ କୁନି ପାତ୍ରଙ୍କର କିଡ୍‌ନି ଷ୍ଟୋନ୍‌ ଅପରେସନ୍ ହୋଇଥିଲା। ତାଙ୍କୁ ୨୪ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଡାକ୍ତର ଚିନ୍ମୟ ସାହୁଙ୍କ ଅନୁରୋଧରେ ଡାକ୍ତର ଅମୀୟ କୁମାର ପାଲ ତାଙ୍କର ଅପରେସନ୍ କରିଥିଲେ। କିନ୍ତୁ, ମାର୍ଚ୍ଚ ୬ ତାରିଖରେ କୁନିଙ୍କର ଶାରୀରିକ ସମସ୍ୟା ହେବାରୁ ସେ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ ଏବଂ ଡାକ୍ତର ଚିନ୍ମୟ ସାହୁଙ୍କ ପରାମର୍ଶରେ ସେ ପୁଣି ଜେ.ଏମ୍. କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ, ସେଦିନ ଡାକ୍ତର ଚିନ୍ମୟ ସାହୁ ଅଥବା ଅନ୍ୟ କେହି ତାଙ୍କୁ ଦେଖି ନଥିଲେ। ଫଳରେ, ସେହି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ତଦନ୍ତରୁ ଜଣାପଡ଼ିଥିଲା ଯେ କୁନି ସାହୁଙ୍କ ବିଏସ୍‌କେୱାଇ କାର୍ଡରେ ଅପରେସନ କରାଯାଇଥିଲେ ବି ଜେ.ଏମ୍. କେୟାର ହସ୍ପିଟାଲର ଏହି ସୁବିଧା ନ ଥିଲା। ବିଏ‌ସକେୱାଇ କାର୍ଡରେ କୁନିଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ତାଙ୍କୁ ପାଗାର ଶୋଭା ନର୍ସିଂହୋମରେ ଭର୍ତ୍ତି କରାଯାଇଥିବା ଦର୍ଶାଯାଇଥିଲା। ଫେବ୍ରୁଆରି ୨୨ ତାରିଖରେ ଡାକ୍ତର ଅମୀୟ କୁମାର ପାଲ ଶୋଭା ନର୍ସିଂହୋମରେ କୁନିଙ୍କ ଅସ୍ତ୍ରୋପଚାର କରିଥିବା ବିଏସକେୱାଇ ରେକର୍ଡରେ ଦର୍ଶାଯାଇଥିଲା। ଏବଂ ସେହି ରେକର୍ଡପତ୍ରରେ ଶୋଭା ନର୍ସିଂହୋମର ମାଲିକ ଓ ମ୍ୟାନେଜର ଡାକ୍ତର ଅମୀୟ କୁମାର ପାଲଙ୍କ ଦସ୍ତଖତ ଜାଲ୍‌ କରିଥିଲେ। ଶୋଭା ନର୍ସିଂହୋମର ମାଲିକ ଡାକ୍ତର ଚିନ୍ମୟ ସାହୁ ହୋଇଥିବା ବେଳେ ମ୍ୟାନେଜର ହେଉଛନ୍ତି ଭାରତୀ ସ୍ବାଇଁ। ସେମାନେ ଜାଲିଆତି କରି ଜେ.ଏମ୍.କେୟାରରେ ଚିକିତ୍ସିତ କୁନିଙ୍କୁ ଶୋଭା ନର୍ସିଂହୋମରେ ସମାନ ସମୟରେ ଚିକିତ୍ସିତ ହେଉଥିବା ଦର୍ଶାଇଥିଲେ।

କେବଳ ‌କୁନି ନୁହନ୍ତି, ଏଭଳି ଏକାଧିକ ରୋଗୀଙ୍କୁ ଜେ.ଏମ୍.କେୟାର ହସ୍ପିଟାଲରେ ଚିକିତ୍ସା କରାଯାଇଥିଲେ ବି ବିଏସକେୱାଇ ରେକର୍ଡରେ ତାଙ୍କୁ ଶୋଭା ନର୍ସିଂହୋମରେ ଚିକିତ୍ସା କରାଯାଇଥିବା ଦର୍ଶାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଅଶୋକ କୁମାର ପତି ଓ ଶାନ୍ତନୁ କୁମାର ପତିଙ୍କୁ ଗିରଫ କରାଯାଇଥିବା ବେଳେ ହସ୍ପିଟାଲର ରେକର୍ଡପତ୍ର ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିବା ସହିତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଭିତ୍ତିଭୂମି ନଥିବା ହସ୍ପିଟାଲକୁ ବିଏସ୍‌କେୱାଇ ଯୋଜନାରେ ଅନୁବନ୍ଧିତ କରାଯାଉଛି। ସେଠାରେ ରୋଗୀଙ୍କ ରେକର୍ଡରେ ଚିକିତ୍ସା କରାଯାଉଥିବା ଦର୍ଶାଯାଉଥିଲେ ବି ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର କରାଇ ବିଲ୍ ଟଙ୍କା ଉଠାଯାଉଛି। ବିଏସ୍‌କେୱାଇ ଯୋଜନାରେ ଏଭଳି କେଳେଙ୍କାରୀକୁ ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଥିବା ବେଳେ ମଧୁପାଟଣା ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ, କଟକ ଜିଲ୍ଲାରେ ୧୩୫ଟି ଘରୋଇ ନର୍ସିଂହୋମ ବିଏସ୍‌କେୱାଇ ଯୋଜନାରେ ଅନୁବନ୍ଧିତ ହୋଇଛନ୍ତି। ସେଥିରୁ ସହରରେ ୯୩ଟି ଓ ଗ୍ରାମାଞ୍ଚଳରେ ୪୨ଟି ନର୍ସିଂହୋମ ରହିଛି।

ସମ୍ବନ୍ଧିତ ଖବର