ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଓ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଡିସେମ୍ବର ୧୫ ସୁଦ୍ଧା ୮୧୬ଟି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲ ବିଏସ୍‌କେୱାଇ ଅନୁବନ୍ଧିତ ହୋଇଛନ୍ତି। ଗତବର୍ଷ ତୁଳନାରେ ଏହା ୪୩.୪% ଅଧିକ। ଏହାସହ ପ୍ରାୟ ୮୫୩୦ ସରକାରୀ ହସ୍ପିଟାଲ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଅନୁବନ୍ଧିତ ୮୧୬ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୧୬୦ ଟି ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ଟି ରାଜ୍ୟରେ ଅବସ୍ଥିତ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୫୬ଟି ଘରୋଇ ହସ୍ପିଟାଲ ଗରିବ ଲୋକଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଅନୁବନ୍ଧିତ ହସ୍ପିଟାଲମାନେ ରୋଗୀମାନଙ୍କର ଚିକିତ୍ସା ବାବଦରେ ୧୨.୧୧ ଲକ୍ଷରୁ ଅଧିକ ଦାବି ଉପସ୍ଥାପନା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଚିକିତ୍ସା ବାବଦରେ ଦାବି ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଗତବର୍ଷ ତୁଳନାରେ ଏହା ୧୦୨% ଅଧିକ।
ଏହି ଯୋଜନା ଅଧୀନରେ ପଞ୍ଜିକୃତ ୯୬.୫ ଲକ୍ଷ ପରିବାର ମଧ୍ୟରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ସରକାର ଚଳିତବର୍ଷ ଡିସେମ୍ବର ୧୫ ସୁଦ୍ଧା ୨୫୦୭.୦୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୨୯୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଖର୍ଚ୍ଚ ତୁଳନାରେ ଏହା ୧୦୭% ଅଧିକ। ଗତବର୍ଷ ରୋଗୀମାନଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲମାନଙ୍କରୁ ମିଳିଥିବା ପ୍ରାୟ ୧୪୦୯.୪୦ କୋଟି ଟଙ୍କାର ବିଲ୍‌ ରାଜ୍ୟ ସରକାର ପୈଠ କରିଛନ୍ତି।

ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲ୍‌ର ଉପଯୁକ୍ତ ଯାଞ୍ଚ ଓ ପୈଠ, ମୋ ସରକାର ଓ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କ କାର୍ଯ୍ୟଦକ୍ଷତା ଆଦି ବିଷୟରେ ଆଲୋଚନା ହୋଇଥିଲା। ବିଭିନ୍ନ ଆପତ୍ତି ଅଭିଯୋଗଗୁଡ଼ିକର ସମାୟନୁବନ୍ଧିତ ସମାଧାନ ଉପରେ ଗୁରୁତ୍ବାରୋପ କରାଯାଇଛି। ବୈଠକରେ ସୋସାଇଟିର ଯୁଗ୍ମ କାର୍ଯ୍ୟନିର୍ବାହୀ ଶୁଭାନନ୍ଦ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।