ଘରୋଇ ଡାକ୍ତରଖାନାରେ ପ୍ରତିଷ୍ଠା ହେବ ବିଏସ୍‌କେୱାଇ ହେଲ୍‌ପ ଡେସ୍କ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୩ ଦିନିଆ କର୍ମଶାଳା

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇରେ ରାଜ୍ୟ ସରକାରଙ୍କ ସହିତ ଅନୁବନ୍ଧିତ ପ୍ରାୟ ୧୫୦ଟି ଘରୋଇ ହସ୍ପିଟାଲର କର୍ମକର୍ତାଙ୍କୁ ନେଇ ଆଜି ଏକ ରାଜ୍ୟସ୍ତରୀୟ ତାଲିମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା କିଭଳି ଠିକ୍‌ଭାବେ କାର୍ଯ୍ୟକାରୀ ହେବ ଓ ରୋଗୀମାନେ ଘରୋଇ ଡାକ୍ତରଖାନରେ ଉତ୍ତମ ଚିକିତ୍ସା ପାଇବେ ସେଥିପାଇଁ ଅନୁବନ୍ଧିତ ଚିକିତ୍ସାଳୟର କର୍ମକର୍ତାଙ୍କୁ ଯୋଜନା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି। ଅନୁବନ୍ଧିତ ସମସ୍ତ ଘରୋଇ ଡାକ୍ତରଖାନାରେ ବିଏସ୍‌କେୱାଇ ହେଲ୍‌ପ ଡେସ୍କ ପ୍ରତିଷ୍ଠା କରାଯିବ, ଯାହାଫଳରେ ରୋଗୀମାନେ ସେଠାରେ ସମସ୍ତ ସୂଚନା ପାଇପାରିବେ ବୋଲି କୁହାଯାଇଛି।

ଏହି ୩ ଦିନିଆ କର୍ମଶାଳାକୁ ରାଜ୍ୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ଉଦ୍‌ଘାଟନ କରି କହିଲେ, ବିଏସ୍‌କେୱାଇରେ ହିତାଧିକାରୀଙ୍କୁ ୫ଲକ୍ଷ ଓ ପରିବାରର ମହିଳା ସଦସ୍ୟଙ୍କୁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହାକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଘରୋଇ ଡାକ୍ତରଖାନା ସହିତ ରାଜିନାମା ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାର ଚିକିତ୍ସା ପାଇଁ ସମସ୍ତ ଅର୍ଥ ପ୍ରଦାନ କରୁଥିବା ବେଳେ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ରୋଗୀମାନେ ଯେଭଳି ସହଜରେ ଚିକିତ୍ସା ପାଇପାରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି। ସରକାରଙ୍କ ସହିତ ଚୁକ୍ତିବଦ୍ଧ କୌଣସି ଡାକ୍ତରଖାନା ରୋଗୀଙ୍କୁ ମାଗଣା ସେବା ପ୍ରଦାନ ପାଇଁ ମନା କରିପାରିବେ ନାହିଁ। ବିଏସ୍‌କେୱାଇ ଦାୟିତ୍ବରେ ଥିବା ମେଡିକାଲ ଅଧିକାରୀ, ଡାଟା ଏଣ୍ଟ୍ରି ଅପରେଟର ଓ ସ୍ବାସ୍ଥ୍ୟମିତ୍ରମାନେ ଯୋଗ ଦେଇଛନ୍ତି। କର୍ମଶାଳାରେ ସ୍ବାସ୍ଥ୍ୟ ବିଶେଷଜ୍ଞ, ସୂଚନା ପ୍ରଯୁକ୍ତି ବିଶେଷଜ୍ଞଙ୍କ ସମେତ ଡା.ସୁଧା ଚନ୍ଦ୍ରଶେଖର, ଏ.ଅନିଲ କୁମାର, ଯୁଗ୍ମ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର