ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)-ନବୀନ କାର୍ଡ ପାଇଁ ଆବେଦନ ଅବଧିରେ ବୃଦ୍ଧି ହୋଇଛି। ଆଜି ବା ଚଳିତମାସ ୧୬ ତାରିଖ ଆବେଦନ କରିବାର ଶେଷ ତାରିଖ ଥିଲା। ଏହାକୁ ୨୬କୁ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିଛନ୍ତି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୧୬ ତାରିଖ ସୁଦ୍ଧା ୩ଲକ୍ଷ ୪୬ହଜାର ୨୯୪ ପରିବାର ବିଏସ୍କେୱାଇ-ନବୀନ କାର୍ଡ ପାଇଁ ଅନ୍ଲାଇନ୍ରେ ଆବେଦନ କରିଛନ୍ତି। ଏହି ଦରଖାସ୍ତରେ ୯.୭୦ ଲକ୍ଷରୁ ଅଧିକ ସଦସ୍ୟଙ୍କର ନାମ ରହିଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୪୮,୫୦୦ , ଖୋର୍ଦ୍ଧା ଜିଲାରୁ ୨୬,୮୨୫, କଟକରୁ ୨୮,୭୯୪, ଭଦ୍ରକରୁ ୨୩,୦୪୨ ଓ ବାଲେଶ୍ବର ଜିଲ୍ଲାରୁ ୨୨,୫୭୦ ଦରଖାସ୍ତ ମିଳିଛି। ପୁରୀ ଜିଲ୍ଲାରୁ ୨୦,୭୪୪ ଦରଖାସ୍ତ ମିଳିଥିବା ବେଳେ କେନ୍ଦ୍ରାପଡ଼ାରୁ ୧୯,୫୭୮ ଓ ନୟାଗଡ଼ରୁ ୧୪,୯୪୭, ଜଗତସିଂହପୁରରୁ ୧୫,୨୪୮, ଯାଜପୁରରୁ ୧୪,୦୬୧, ବରଗଡ଼ରୁ ୧୪,୫୬୯, ସୁନ୍ଦରଗଡ଼ରୁ ୧୨,୩୪୯, ଅନୁଗୁଳରୁ ୧୨,୩୯୭ ଓ ଢେଙ୍କାନାଳରୁ ୧୧,୮୮୦ ଦରଖାସ୍ତ ମିଳିଛି। ୩୦ଟି ଯାକ ଜିଲ୍ଲାରୁ ହାରାହାରି ୧୧,୫୦୦ରୁ ଅଧିକ ଦରଖାସ୍ତ ପଞ୍ଜିକୃତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ବିଏସ୍କେୱାଇ-ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ପରିବାର ଚଳିତ ବର୍ଷ ମେ’ ମାସରୁ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ରୋଗଗୁଡ଼ିକ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ। ଚଳିତମାସ ୬ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଛି।