କଟକ/ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ ହୋଇଥିବା ବଡ଼ଧରଣର କେଳେଙ୍କାରୀକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ କେତେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛି। କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ ଓ କଟକ ଜିଲ୍ଲା ଆଠଗଡ଼ ଚାନ୍ଦବାଲି ଛକସ୍ଥିତ ପଣ୍ଡା ନର୍ସିଂହୋମର ବିଏ୍କେୱାଇ ଅନୁବନ୍ଧନକୁ ରଦ୍ଦ କରିଦିଆଯାଇଛି। ଏଥିସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆଠଗଡ଼ର ପଣ୍ଡା ନର୍ସିଂହୋମରେ ରୋଗୀସେବା, ଅସ୍ତ୍ରୋପଚାର ଇତ୍ୟାଦି ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। କାରଣଦର୍ଶାଅ ନୋଟିସ୍ ଜାରିକରି ଏହାର ଉତ୍ତର ଏକମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ହସ୍ପିଟାଲରେ ରୋଗୀଙ୍କ ରେଫରାଲ ତଥ୍ୟରେ ଜାଲିଆତି ଓ ତାଳମେଳ ନଥିବା ବି ଧରାପଡ଼ିଛି।
କଟକ ଜିଲ୍ଲାରେ ବିଏସ୍କେୱାଇ ଯୋଜନାରେ କିଛି ନର୍ସିଂ ହୋମ୍ ଓ ହସ୍ପିଟାଲ ଜାଲିଆତି କରି ସରକାରୀ ଅର୍ଥ ହରିଲୁଟ୍ କରୁଥିବା ଅଭିଯୋଗ ହୋଇଥିଲା। ଦଲାଲ ଓ ସୁରକ୍ଷାକର୍ମୀଙ୍କ ଜରିଆରେ ବୟସ୍କ ଓ ଯୋଜନା ବିଷୟରେ ଜାଣି ନ ଥିବା ଲୋକମାନଙ୍କୁ ମିଛରେ ହସ୍ପିଟାଲରେ ଭର୍ତ୍ତିକରି କର୍ତୃପକ୍ଷ ରାଜକୋଷରୁ ଟଙ୍କା ଉଠାଉଥିଲେ। ଏଭଳି ଅଭିଯୋଗ ପରେ ଆଜି ବେଣ୍ଟକାର ପୁଲିସ ଭୁବନେଶ୍ବରସ୍ଥିତ ବିଏସ୍କେୱାଇର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଜବତ କରିଥିବା ୧୪ଟି କାର୍ଡ ସଂପର୍କିତ ତଥ୍ୟ ମାଗିଛି। ସାଉଥ୍ ପଏଣ୍ଟ ହସ୍ପିଟାଲ ମାଧ୍ୟମରେ କେତେଜଣ ହିତାଧିକାରୀ ଉପକୃତ ହୋଇଛନ୍ତି, ଜବତ ୧୪ଟି କାର୍ଡ ମାଧ୍ୟମରେ କେତେ ଟଙ୍କା ସରକାରୀ ତହବିଲରୁ ହଡ଼ପ କରାଯାଇଛି, ସେ ସଂପର୍କରେ ତଥ୍ୟ ମାଗିଥିବା ଜଣାପଡ଼ିଛି। ଏଥିସହିତ, ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ସାଉଥ୍ ପଏଣ୍ଟ ହସ୍ପିଟାଲ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟମିତ୍ର ସବିତା ଦାସଙ୍କୁ ମଧ୍ୟ ବହିଷ୍କାର କରିଛି।
ବିଏସ୍କେୱାଇ ଯୋଜନାରେ ଏହି ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିବାବେଳେ ସେଥିରେ ଥିବା ଜଣେ ରୋଗୀଙ୍କୁ ଘରକୁ ଯିବାପାଇଁ କୁହାଯାଇଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି।