ରାସନ୍‌ କାର୍ଡ ଡାଟା ଅପଡେଟ୍‌ ନଥିଲେ ବି ମିଳିବ ବିଏସ୍‌କେୱାଇ ସୁବିଧା

ଭୁବନେଶ୍ବର : ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଥିବେ, ଅଥଚ ସେମାନଙ୍କ ଡାଟାବେସ୍‌ ଅପଲୋଡ୍‌ ହୋଇନଥିବ, ସେମାନଙ୍କୁ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ସ୍ମାର୍ଟକାର୍ଡରେ ଚିକିତ୍ସା ସୁବିଧା ମିଳିବ। ଏଭଳି ହିତାଧିକାରୀଙ୍କୁ ଅଫ୍‌ଲାଇନ୍‌ ଜରିଆରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ବିଏସ୍‌କେୱାଇ ସ୍ମାର୍ଟ କାର୍ଡକୁ ଜାତୀୟ ଖାଦ୍ୟ ସୁରକ୍ଷା ବା ଏନ୍ଏଫ୍‌ଏଚ୍‌ଏସ୍‌ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ବା ଏଚ୍‌ଏଫ୍‌ଏସ୍‌ ଯୋଜନାରେ ଥିବା ହିତାଧିକାରୀଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ କିଛି ଜିଲ୍ଲାରେ ଏହି କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ତେବେ ବିଏସ୍‌କେୱାଇ ସ୍ମାର୍ଟ କାର୍ଡରେ ସୁବିଧା ମିଳୁ ନ ଥିବା ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀମାନେ କାର୍ଡ ଥାଇ ମଧ୍ୟ ଚିକିତ୍ସା ନ ପାଇ ଫେରୁଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଏହି ସମସ୍ୟାର ସମାଧାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁମାନେ ଆର୍‌ଏସ୍‌ବିୱାଇ ଓ ବିଏସ୍‌କେୱାଇରେ ପୂର୍ବରୁ ଚିକିତ୍ସା ସୁବିଧା ପାଉଥିବେ, ଅଥଚ ସେମାନଙ୍କର ରାସନ୍‌ କାର୍ଡ ନାହିଁ, ସେମାନଙ୍କୁ ବି ଅଫ୍‌ଲାଇନ୍‌ ଜରିଆରେ ନଭେମ୍ବର ୩୦ ପର୍ଯ୍ୟନ୍ତ ଚିକିତ୍ସା ମିଳିବ।

ବିଏସ୍‌କେୱାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିକିତ୍ସା ପାଇଁ ଯାଉଥିବା ସଂପୃକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ମେଲ୍‌ରେ ଯୋଗାଯୋଗ କରିବାକୁ କୁହାଯାଇଛି। ଇ-ମେଲରେ ଅନୁମୋଦନ ଦିଆଯାଉଛି। ବିଶେଷକରି କେମୋ ଓ ରେଡିସନ୍ ଥେରାପି ଭଳି ଚିକିତ୍ସା ନେଉଥିବା ରୋଗୀଙ୍କୁ ସୁବିଧା ଦେବା ଲାଗି ନିଷ୍ପତ୍ତି ହୋଇଛି।

ବିଏସ୍‌କେୱାଇର ଜଣେ ଅଧିକାରୀ କହିଛନ୍ତି, ଦିନକୁ ଶହେରୁ ଅଧିକ ଏଭଳି ଅଭିଯୋଗ ଆସୁଛି। ତେଣୁ ଏ ସବୁର ସମାଧାନ କରିବା ଲାଗି ଅଫଲାଇନ୍ ଜରିଆରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର