ବୀରମିତ୍ରପୁର ବିଧାୟକଙ୍କ ବୟାନ୍‌ : ବିଏସ୍‌ଏଲ୍‌କୁ ରୁଗ୍‌ଣ କରିବାକୁ ଷଡ଼୍‌ଯନ୍ତ୍ର ହୋଇଥିଲା

ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ରାଉରକେଲା : ବୀରମିତ୍ରପୁରସ୍ଥିତ ବିଶ୍ରା ଷ୍ଟୋନ୍‌ ଲାଇମ୍‌ ଏଣ୍ଡ କମ୍ପାନି (ବିଏସ୍‌ଏଲ୍‌)କୁ ରୁଗ୍‌ଣ କରିବାକୁ ଷଡ଼୍‌ଯନ୍ତ୍ର ହୋଇଥିଲା। ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ କହିଛନ୍ତି।

ଆଜି ରାଉରକେଲା ସର୍କିଟ୍‌ ହାଉସ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଓରାମ କହିଲେ, ସେଲ୍‌ ଅଧିନସ୍ଥ ରାଉରକେଲା ସମେତ ଅନ୍ୟ ଇସ୍ପାତ କାରଖାନାରେ ସାଧାରଣତଃ ଦୁଇ ପ୍ରକାର ବ୍ଲାଷ୍ଟ୍‌ ଫର୍ଣ୍ଣେସ୍‌ (ବିଏଫ୍‌) ଓ ଷ୍ଟିଲ୍‌ ମେଲ୍‌ଟିଂ ସପ୍‌ (ଏସ୍‌ଏମ୍‌ଏସ୍‌) ଗ୍ରେଡ ଡୋଲାମାଇଟ୍‌ ବ୍ୟବହାର ହୁଏ। ଏହି ଦୁଇ ପ୍ରକାର ପଥର ବିଏସ୍‌ଏଲ୍‌ରେ ପ୍ରଚୁର ପରିମାଣରେ ଗଚ୍ଛିତ ଅଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଏ ପଥର ଆର୍‌ଏସ୍‌ପି (ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍) ସମେତ ସେଲ୍ (ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ)ର ଅନ୍ୟ କାରଖାନାଗୁଡ଼ିକୁ ଦିଆଯାଉ ନଥିଲା। ଏଥିରେ ବିଏସ୍‌ଏଲ୍‌ର କେତେକ ଅଧିକାରୀ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଏହି ଷଡ୍‌ଯନ୍ତ୍ରରେ କେବଳ ବିଏସ୍‌ଏଲ୍‌ ଅଧିକାରୀ ନା ଆର୍‌ଏସ୍‌ପି ଓ ସେଲ୍‌ ଅଧିକାରୀ ଅଛନ୍ତି ବୋଲି ପ୍ରଶ୍ନ ହେବାରୁ ପ୍ରଥମେ ବିଏସ୍‌ଏଲ୍‌ରୁ ଚିହ୍ନଟ ଆରମ୍ଭ ହୋଇଥିବା କହିଥିଲେ।

ଶ୍ରୀ ଓରାମ କହିଲେ, ବିଧାୟକ ହେବା ପରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ପ୍ରଧାନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିଏସ୍‌ଏଲ୍‌ ସମସ୍ୟା ସମାଧାନ ସହଜ ହୋଇଛି।

ଦୁଇ ଦିନ ପୂ‌ର୍ବେ ନୂଆଦିଲ୍ଲୀଠାରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ସେଲ୍‌, ଆର୍‌ଆଇଏନ୍‌ଏଲ୍‌ ସମେତ ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ନେଇ ଯେଉଁ ବୈଠକ ହୋଇଥିଲା, ତା’ ପୂର୍ବରୁ ଇସ୍ପାତ ମନ୍ତ୍ରୀ ସେଲ୍‌ ଅଧିକାରୀଙ୍କୁ ନେଇ ଦୁଇ ଥର ବୈଠକ କରିଥିଲେ। ବିଏସ୍‌ଏଲ୍‌ ପରିଚାଳନା ପାଇଁ ଉଭୟ ସେଲ୍‌ ଓ ଆଇଆଇଏନ୍‌ଏଲ୍‌ ଆଗୁଆ ଅର୍ଥ ଦେବାକୁ ରାଜି ହୋଇଛନ୍ତି। ବତ୍ତର୍ମାନ ଯେପରି ମାସକୁ ୨୦/୨୨ ରୢାକ୍‌ ପଥର ବିକ୍ରି ହେବ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ଉଭୟ ସେଲ୍‌ ଓ ଆର୍‌ଆଇଏନ୍‌ଏଲ୍‌ ପଥର ନେବାକୁ ରାଜି ହୋଇଛନ୍ତି। ଯେଉଁ ପଥରକୁ ପୂର୍ବେ ନିମ୍ନମାନର କହି ଅଗ୍ରାହ୍ୟ କରା ଯାଉଥିଲା, ତାକୁ ଏବେ ସେମାନେ କିପରି ନେବେ ବୋଲି ପ୍ରଶ୍ନ ହେବାରୁ ବୈଠକରେ ବିଏସ୍‌ଏଲ୍‌ ପଥରର ଗୁଣବତ୍ତା ‌ ନେଇ କେହି ପ୍ରଶ୍ନ କରି ନଥିବା ବିଧାୟକ କହିଥିଲେ।

୫ ଆର୍‌ଆଇଏନ୍‌ଏଲ୍‌ର ନିଜସ୍ବ ଖଣି ଥିବାରୁ ବିଏସ୍‌ଏଲ୍‌କୁ କାହିଁକି ସେଲ୍‌ ଅଧିନରେ ରଖାଯାଉନାହିଁ ବୋଲି ପ୍ରଶ୍ନ ହେବାରୁ ଏହି ଖଣିକୁ ଚଳାଇବା ପାଇଁ ଦୀଘର୍କାଳୀନ ଯୋଜନା ପ୍ରସ୍ତୁତ କରାଯାଉଛି। କୋଲକତାରେ ଥିବା ବିଏସ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟକୁ ଓଡ଼ିଶା ଆଣିବା ପାଇଁ ସେ ପତ୍ର ଲେଖିଥିବା ବିଧାୟକ କହିଥିଲେ।

ସମ୍ବନ୍ଧିତ ଖବର