ବ୍ୟାସନଗର: ଯାଜପୁରରୋଡ୍‌ ଭାରତ ସଞ୍ଚାର ନିଗମ (ବିଏସ୍‌ଏନ୍‌ଏଲ୍‌) ଏସଡିଓଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନେ ୩ ବର୍ଷ ହେଲାଣି ବକେୟା ପାଉଣା ପାଇନାହାନ୍ତି। ପାଉଣା ମାଗିଲେ ଠିକାଦାର ଧମକ ଦେଉଛନ୍ତି। ଏନେଇ ଜିଲ୍ଲାପାଳ, ଶ୍ରମ ଅଧିକାରୀ ଓ ସେଣ୍ଟ୍ରାଲ ଲେବର କୋର୍ଟର ଆଶ୍ରୟ ନେବା ପରେ ବି ପାଉଣା ମିଳୁନି। ୨୦୨୦ ନଭେମ୍ବର ୨୫ ତାରିଖରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ୨୦୨୨ ମେ ୩୧ ତାରିଖ, ଜୁଲାଇ ୨୫ ତାରିଖ, ନଭେମ୍ବର ୧୪ ତାରିଖ ଓ ୨୦୨୩ ଫେବ୍ରୁଆରି ୬ ତାରିଖରେ ଜଣାଇଥିଲେ। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଶ୍ରମ ଅଧିକାରୀଙ୍କୁ ସମସ୍ୟା ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। ୨୦୨୩ ଏପ୍ରିଲ ୧୯ ରେ ଭାରତ ସଞ୍ଚାର ନିଗମ ସୁପରଭାଇଜର ପ୍ରମୋଦ ମହାପାତ୍ରଙ୍କୁ ବକେୟା ପାଉଣା ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ।

Advertisment

୨୦୧୧ ରୁ ଠିକା ଶ୍ରମିକମାନେ ଠିକାଦାର ଗୋପାଳ ଚନ୍ଦ୍ର ଦ୍ବିବେଦୀଙ୍କ ଅଧୀନରେ କାର୍ଯ୍ୟ କରିଆସୁଥିବା ବେଳେ ୨୦୨୦ ରୁ ସୁପରଭାଇଜର ପ୍ରମୋଦ ମହାପାତ୍ରଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ପାଉଣା ମାଗିବାରୁ ସେ ପୁରୁଣା ଶ୍ରମିକଙ୍କୁ ବାହାରକରି ନୂତନ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରୁଛନ୍ତି ବୋଲି ଠିକା ଶ୍ରମିକ ଅଶୋକ ମଲ୍ଲିକ, ଗୋବର୍ଦ୍ଧନ ମହାଳିକ, ସୁଧାକର ମଲିକ, ପ୍ରତାପ ପରିଡ଼ା, ସର୍ବେଶ୍ଵର ମଳିକ, ପ୍ରଦୀପ ଜେନା, ଖୁଦୁରାମ ଟୁଡୁ, ହେମ୍ବ୍ରମ କିସ୍କୁ, ପ୍ରଦୀପ ପୁହାଣ, ଅନିରୁଦ୍ଧ ମଳିକ ଅଭିଯୋଗ କରିଛନ୍ତି। ଜଣେ ଠିକା ଶ୍ରମିକ ଭରତପୁର ଗ୍ରାମର ଦୋଳଗୋବିନ୍ଦ ଜେନାଙ୍କ ଗତ ମାର୍ଚ୍ଚ ୨୫ ତାରିଖରେ ମୃତ୍ୟୁ ହୋଇଛି।

ଏ ସମ୍ପର୍କରେ ଠିକାଦାର ଗୋପାଳ ଚନ୍ଦ୍ର ଦ୍ବିବେଦୀଙ୍କୁ ପଚାରିବାରୁ ମୋ ଅଧୀନରେ ଯେତେଦିନ କାମ କରିଛନ୍ତି ସମସ୍ତଙ୍କ ପାଉଣା ଦେଇ ଦେଇଛି ବୋଲି କହିଥିଲେ। ସୁପରଭାଇଜର ପ୍ରମୋଦ ମହାପାତ୍ରଙ୍କୁ ପଚାରିବାରୁ ମୁଁ ଜରୁରି କାର୍ଯ୍ୟରେ ବାହାରେ ଅଛି ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।