କୋରାପୁଟରେ କାୟା ବିସ୍ତାରୁଛି ବିଏସଏନଏଲ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅଗଷ୍ଟ-ସେପ୍ଟ‌େମ୍ବରରେ ୪ ଜି ସେବା ଆରମ୍ଭ ହେବାକୁ ରହିଥିବାବେଳେ ହାଇସ୍ପିଡ୍‌ ଇଣ୍ଟରନେଟ ଯୋଗାଇବାରେ ଅଗ୍ରଣୀଭୂମିକା ଗ୍ରହଣ କରିଛି କୋରାପୁଟ ବିଏସଏନଏଲ। କରୋନା ସମୟରେ ୱାର୍କ ଫ୍ରମ ହୋମ୍‌ କୋରାପୁଟ ବିଏସଏନଏଲ ପାଇଁ ସବୁଠୁ ବଡ ସୁଯୋଗ ଆଣି ଦେଇଥିଲା। ଏହାକୁ ସଦୁପଯୋଗ କରି ବ୍ରଡବ୍ୟାଣ୍ଡକୁ ଉନ୍ନତିକରଣ କରିଥିଲା ବିଏସଏନଏଲ। ପୂର୍ବରୁ କାଁ ଭାଁ ଇଣ୍ଟରନେଟ୍‌କୁ ବ୍ରଡବ୍ୟାଣ୍ଡ ମାଧ୍ୟମରେ ପ୍ରଦାନ କରାଯାଉଥିବାବେଳେ ଏଫଟିଟିଏଚ(ଫାଇବର ଟୁ ଦି ହୋମ୍‌) ସେବା ଘରେ ଘରେ ପହଞ୍ଚିଛି।

୨୦୨୦ ଜାନୁଆରୀ ମାସରେ ସେବା ଆରମ୍ଭ ହୋଇଥିବାବେଳେ ଅଗ୍ରଣୀ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇଛି ବିଏସଏନଏଲ। ଏଥିପାଇଁ କୋରାପୁଟ ବିଏସଏନଏଲ ପକ୍ଷରୁ ବିଭିନ୍ନ ଯୋଜନା ଲାଗୁ କରାଯାଇଛି। ୪୯୯ ପ୍ୟାକ୍‌ରୁ ଆରମ୍ଭ କରି ୨୪୯୯ ଟଙ୍କାର ପ୍ୟାକେଜ୍‌ ରହିଛି। ଏଥିରେ ୧୦୦ ଜିବିରୁ ଡାଟା ସହ ୨୪୦୦ ଜିବି ଯାଏ ପ୍ରତିଦିନ ଡାଟା ଓ କଲ ସୁବିଧା ମିଳୁଛି। କୋରାପୁଟ ଜିଲ୍ଲାରେ ବନ୍ଧୁଗାଁ, ଦାମନଯୋଡି, କୋରାପୁଟ, ଜୟପୁର, ଲକ୍ଷ୍ମୀପୁର, ନନ୍ଦପୁର, ନାରାୟଣପଟଣା, ପଟାଙ୍ଗୀ, ସେମିଳିଗୁଡା ଓ ସୁନାବେଢାରେ ଏଫଟିଟିଏଚ ଆରମ୍ଭ ହୋଇଥିବାବେଳେ ଆସନ୍ତା ଦିନରେ କୋଟପାଡ, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା, ଦଶମନ୍ତପୁର ଓ ଲମତାପୁଟକୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

ଗତଦୁଇ ବର୍ଷ ମଧ୍ୟରେ ବନ୍ଧୁଗାଁରେ ୬୭ ବ୍ରଡବ୍ୟାଣ୍ଡ ଲାଇନ ଲାଗିଥିବାବେଳେ ଏବେ ୧୨୮ ଏଫଟିଟିଏଚ, ଦାମନଯ‌ୋଡିରେ ୨୮୨ ବ୍ରଡବ୍ୟାଣ୍ଡ ଲାଗିଥିବାବେଳେ ୬୬୨ ଏଫଟିଟିଏଚ, କୋରାପୁଟରେ ୧୮୦ ବ୍ରଡବ୍ୟାଣ୍ଡ ଓ ୫୫୪ ଏଫଟିଟିଏଚ, ଲକ୍ଷ୍ମୀପୁରରେ ୧୮ ବ୍ରଡବ୍ୟାଣ୍ଡ ଓ ୨୬ ଏଫଟିଟିଏଚ, ନନ୍ଦପୁରରେ ୧୭ ବ୍ରଡବ୍ୟାଣ୍ଡ ଓ ୨୬ ଏଫଟିଟିଏଚ, ନାରାୟଣପାଟଣାରେ ୧୩୮  ବ୍ରଡବ୍ୟାଣ୍ଡ ଓ ୧୪୨ ଏଫଟିଟିଏଚ, ପଟାଙ୍ଗୀରେ ୬ ବ୍ରଡବ୍ୟାଣ୍ଡ ଓ ୯ ଏଫଟିଟିଏଚ, ସେମିଳିଗୁଡାରେ ୨୭ ବ୍ରଡବ୍ୟାଣ୍ଡ ଓ ୧୫୭ ଏଫଟିଟିଏଚ, ସୁନାବେଢାରେ ୧୧୯ ବ୍ରଡବ୍ୟାଣ୍ଡ ଓ ୧୫୨ ଏଫଟିଟିଏଚ ଯୋଗାଣ ହୋଇଛି।

ଏନେଇ କୋରାପୁଟ ବିଏସଏନଏଲର ସିଇଓ ପି.ଆର. ଭୋଇ କହିଛନ୍ତି ଯେ, ବ୍ରଡବ୍ୟାଣ୍ଡକୁ ଉନ୍ନତି କରାଯାଇ ଏଫଟିଟିଏଚ ଯୋଗାଣ ହେଉଛି। ଦୁଇବର୍ଷ ମଧ୍ୟରେ ଆମେ ୧୮୫୬ଟି ଏଫଟିଟିଏଚ ଯୋଗାଇଛୁ। ଯେଉଁଭଳି ଭାବେ ଇଣ୍ଟରନେଟ ଆସୁଛି ତାହାକୁ ନେଇ ଅନ୍ୟ ପ୍ରତିଦ୍ବନ୍ଦୀ ଦ୍ବନ୍ଦ୍ବରେ ରହିଛନ୍ତି। ଆସନ୍ତାଦିନରେ  କୋଟପାଡ, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା, ଦଶମନ୍ତପୁର ଓ ଲମତାପୁଟକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର