ଓଡ଼ିଶାରେ ମୋବାଇଲ ଉପଭୋକ୍ତା ହନ୍ତସନ୍ତ

କୋଲକାତା ବିଏସ୍‌ଏନ୍‌ଏଲ ବିଲ୍ଡିଂରେ ଅଗ୍ନିକାଣ୍ଡ ଯୋଗୁଁ ସର୍ଭର କ୍ଷତିଗ୍ରସ୍ତ

ଭୁବନେଶ୍ବର : ରାଜ୍ୟରେ ବିଏସ୍‌ଏନ୍‌ଏଲ ମୋବାଇଲ୍‌କୁ ନେଇ ଦୁଇ ଦିନ ହେବ ସମସ୍ୟା ଲାଗି ରହିଛି। କୋଲକାତାସ୍ଥିତ ବିଏସ୍‌ଏନ୍‌ଏଲ ବିଲ୍ଡିଂ ପ୍ରଥମ ମହଲାରେ ଅଗ୍ନିକାଣ୍ଡ ପରେ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, କଲ୍‌ ଠିକ୍‌ରେ ଲାଗୁ ନାହିଁ କି ରିଚାର୍ଜ ମଧ୍ୟ ହେଉନାହିଁ। ଫଳରେ ବିଏସ୍‌ଏନ୍ଏଲ୍ ମୋବାଇଲ ଉପଭୋକ୍ତାଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ବିଏସ୍‌ଏନ୍‌ଏଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁଇଦିନ ତଳେ କୋଲକାତାର ସଲ୍‌ଟଲେକ୍‌ସ୍ଥିତ ବିଏସ୍‌ଏନ୍‌ଏଲ ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗି ଯାଇଥିଲା। ନିଆଁ ଯୋଗୁଁ ସେଠାରେ ଥିବା ସର୍ଭର କ୍ଷତିଗ୍ରସ୍ତ ହୋଇଥିଲା। କୋଲକାତାର ଏହି ବିଲ୍ଡିଂରୁ ପୂର୍ବାଞ୍ଚଳ ପାଇଁ ରିଚାର୍ଜ ସମେତ ଅନ୍ୟାନ୍ୟ କାର୍ଯ୍ୟ ନିୟନ୍ତ୍ରିତ ହୋଇଥାଏ। ତେଣୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି। ଫଳରେ ଓଡ଼ିଶାରେ ଗତ ଦୁଇଦିନ ହେବ ମୋବାଇଲ ରିଚାର୍ଜରେ ସମସ୍ୟା ଉପୁଜିଛି। ତେବେ ହାଇଦ୍ରାବାଦ୍‌ର ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଜରିଆରେ ରିଚାର୍ଜ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି ଏବଂ ଗତକାଲି ରାତି ୧୨ଟା ପରେ ରିଚାର୍ଜ ଆରମ୍ଭ ହୋଇଛି ବୋଲି ଅଧିକାରୀ କହିଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏବେବି ରିଚାର୍ଜ ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକ୍ଷକ ହୋଇ ନ ଥିବା ବହୁ ଉପଭୋକ୍ତା ଅଭିଯୋଗ କରିଛନ୍ତି।

ଅପରପକ୍ଷରେ ଆଜି ମଧ୍ୟ ବିଏନ୍‌ଏନ୍‌ଏଲ ନେଟୱର୍କ ସମସ୍ୟାରେ ସୁଧାର ଆସିନାହିଁ। ଏପରିକି ବିଏସ୍‌ଏନ୍‌ଏଲ ବ୍ରଡବ୍ୟାଣ୍ଡ ମଧ୍ୟ ଧୀର ହୋଇଯାଇଛି। କେବେ ସୁଦ୍ଧା ଏହି ସମସ୍ୟାରେ ସୁଧାର ଆସିବ ତାହା ବିଏସ୍‌ଏନ୍‌ଏଲ କର୍ତୃପକ୍ଷ ସୂଚନା ଦେଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ବିଏସ୍‌ଏନ୍‌ଏଲ ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର