ବିଏସ୍‌ଏନ୍‌ଏଲ୍‌ର କ୍ଷୟକ୍ଷତି ୯୩ କୋଟି

ତିନି ଦିନରେ ଭୁବନେଶ୍ବରରେ ସ୍ବାଭାବିକ ହେବ: ସିଜିଏମ୍‌

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର କ୍ଷୟକ୍ଷତି ପ୍ରାୟ ୯୩ କୋଟି ଟଙ୍କା ହୋଇଥିବା ପ୍ରାଥମିକ ଆକଳନ ହୋଇଛି। ଏଥିମଧ୍ୟରୁ ଭୁବନେଶ୍ବର ଓ ପୁରୀ ସହରାଞ୍ଚଳରେ ଅର୍ଧାଧିକ ପରିମାଣ କ୍ଷୟକ୍ଷତି ହୋଇଛି। ଭୁବନେଶ୍ବରରେ କ୍ଷତିଗ୍ରସ୍ତ ଟାୱାର ଯୋଗୁଁ ଟେଲି ଯୋଗାଯୋଗରେ ଯେଉଁଭଳି ଅଚଳାବସ୍ଥା ଉପୁଜିଛି ଆଉ ତିନି ଦିନରେ ସ୍ଥିତି ସ୍ବାଭାବିକ ହେବ ବୋଲି କହିଛନ୍ତି ବିଏସ୍‌ଏନ୍‌ଏଲ୍‌, ରାଜ୍ୟ ସିଜିଏମ୍‌ ଡ. ଉଦୟ ଶଙ୍କର ପଣ୍ଡା।

ଆଜି ଟେଲି ଯୋଗାଯୋଗ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ଦେଇ ସିଜିଏମ୍‌ ଡ. ପଣ୍ଡା କହିଲେ ଯେ ବାତ୍ୟା ଯୋଗୁଁ ମୋଟ ୧୭୩୨ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ବରରେ ୫୭ଟି ଟେଲିଫୋନ ଖୁଣ୍ଟ ସମୂଳେ ଉପୁଡ଼ି ଯାଇଛି। ସେହିପରି ପୁରୀରେ ୧୩୧ଟି, କଟକରେ ୨୫୧ଟି, ଗଞ୍ଜାମରେ ୨୪୫ଟି, ଖୋର୍ଧା ଜିଲ୍ଲାରେ ୩୫୬ଟି ଏବଂ ଭୁବନେଶ୍ବର ସହରରେ ୨୧୮ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀରେ ୨୮ଟି, କଟକରେ ୧୦୮ଟି କ୍ଷତିଗ୍ରସ୍ତ ହୋଇଛି। ଭୁବନେଶ୍ବରରେ ନିକଟରେ ଲଗାଯାଇଥିବା ପ୍ରାୟ ୬ ହଜାର ଅପଟିକ୍‌ ଫାଇବର ଟେଲି ସଂଯୋଗ ମଧ୍ୟରୁ ୪ ହଜାର କ୍ଷତିଗ୍ରସ୍ତ ହୋଇଛି।

ଆସନ୍ତା ୭ ଦିନରେ ଅପ୍‌ଟିକ୍‌ ଫାଇବର ପୁନଃସଂଯୋଗ ଦିଆଯିବ ବୋଲି ସିଜିଏମ୍‌ କହିଛନ୍ତି। ତେବେ କ୍ଷତିଗ୍ରସ୍ତ ମୋଟ ୭୦ ହଜାର ଲ୍ୟାଣ୍ଡ ଲାଇନ ମଧ୍ୟରୁ ୫୨ ହଜାର ଲାଇନ ପୁନରୁଦ୍ଧାର ହୋଇସାରିଛି। ଆଗାମୀ ୧୦ ଦିନ ମଧ୍ୟରେ ଅବଶିଷ୍ଟ ଲ୍ୟାଣ୍ଡ ଲାଇନ ପୁନରୁଦ୍ଧାର ହେବ ବୋଲି ସେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଦ୍ରୁତ ଉନ୍ନତି ଅଣାଯିବା ଫଳରେ ୯୪ ପ୍ରତିଶତ ବ୍ୟାଙ୍କିଙ୍ଗ ସେବା ସ୍ବାଭାବିକ ହୋଇପାରିଥିବା ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର