ଯାଜପୁରସଦର : ଯାଜପୁର ଜିଲ୍ଲାରେ ସର୍ବନିମ୍ନ ସେବା ଯୋଗାଇବାରେ ବିଫଳ ହୋଇଛି ବିଏସଏନଏଲ୍। ଭାରତ ସଞ୍ଚାର ନିଗମ ଲିମିଟେଡ ପରିଚାଳିତ ଏହି ଟେଲିକମ ସେବା ଏଯାଏ ୪-ଜି ଉପଲବ୍ଧ ହୋଇପାରି ନାହିଁ। ଜିଲ୍ଲାରେ ୩-ଜି ସେବା ବି ଠିକ ଭାବେ ସବୁ ଅଞ୍ଚଳରେ ପହଞ୍ଚିପାରୁନାହିଁ। ବର୍ତ୍ତମାନର ଡିଜିଟାଲ ଯୁଗରେ ଏହାଦ୍ବାରା ବହୁ ଲୋକ ପ୍ରଭାବିତ ହେଉଥିବା ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ସଂସଦରେ ମତ ରଖିବା ସହ ଏନେଇ ବିଭାଗ ପଦକ୍ଷେପ ନେଉ ବୋଲି ଦାବି ରଖିଛନ୍ତି।
ଯାଜପୁର ଜିଲ୍ଲା କାରଖାନା, ଖଣି ଓ ଲଘୁ ଖଣିଜ ସଂପଦରେ ଭରପୂର ଥିବାବେଳେ ଆର୍ଥିକ ପ୍ରଗତିରେ ବେଶ୍ ଆଗରେ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଟେଲିକମ କାର୍ଯ୍ୟକ୍ରମ ଠିକ ଭାବେ ସଂପାଦନ ହୋଇପାରୁନାହିଁ। ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ସେବା ଜିଲ୍ଲାରେ ନିଜର ମୂଳଦୁଆକୁ ସୁଦୃଢ଼ କରିପାରୁନାହିଁ। ନିକଟରେ ଘରୋଇ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଓ ଏୟାରଟେଲ ନିଜର ଦେୟ ବଢ଼ାଇଛନ୍ତି। ଏଭଳି ସମୟରେ ଗ୍ରାହକ ବିଏସଏନଏଲ ଆଡ଼କୁ ଢଳିବାକୁ ଚାହୁଁଥିଲେ ମଧ୍ୟ ଦୁର୍ବଳ ନେଟୱର୍କ ଓ ସେବା ପାଇଁ ଭରସା କରିପାରୁ ନାହାନ୍ତି। ଜିଲ୍ଲାରେ ସୁକିନ୍ଦା ଓ ଦାନଗଦି ବ୍ଲକରେ ଉପାନ୍ତ ଅଞ୍ଚଳ କଥା ଦୂରେ ଥାଉ ଯାଜପୁର ଟାଉନ ଓ ବ୍ୟାସନଗର ସହରରେ ବିଏସଏନଏଲ ସେବା ଠିକ ଭାବେ ମିଳୁପାରୁନି। ଜିଲ୍ଲାର ଅଧିକାଂଶ ବିଏସଏନଏଲ ଉପଭୋକ୍ତା ରହିଥିଲେ ମଧ୍ୟ ଏବେ ସେବା ନପାଇ ନିରାଶ ହେଉଛନ୍ତି। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ପ୍ରଭାବିତ ହେଉଥିବା ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ସଂସଦରେ ଦାବି ରଖିଛନ୍ତି।
କରୋନା ପାଇଁ ଦୁଇବର୍ଷ ହେଲା ଅନଲାଇନ ଯୋଗେ ପିଲାମାନେ ପାଠପଢ଼ୁଥିବା ବେଳେ ନେଟୱର୍କ ସେବା ହିଁ ସମସ୍ୟା ସୃଷ୍ଟି କରିଛି। ଜିଲ୍ଲାରେ ମାତ୍ର ୩୧.୨୩ ପ୍ରତିଶତ ପିଲା ଶିକ୍ଷା ସଂଯୋଗରେ ଯୋଡ଼ି ହୋଇଥିବା ଜଣାଯାଇଛି। ଏହାବାଦ୍ ସରକାରୀ ହେଉ ଅବା ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ଅଧିକାଂଶ ବିଏସଏନଏଲ ଇଣ୍ଟରନେଟ ସଂଯୋଗ ନିଆଯାଇଛି। ବହୁ ସମୟରେ ତାହା ଫେଲ୍ ରହୁଥିବା ଅଭିଯୋଗ ହେଉଛି। ଦିନେ ଦିନେ ଏପରି ଅବସ୍ଥା ହେଉଛି ଯେ ବିଏସଏନଏଲରେ ଇଣ୍ଟରନେଟ ସେବା ତ ଦୂରର କଥା ଦୁର୍ବଳ ନେଟୱର୍କ ଯୋଗୁଁ କଲ୍ କରିବା ବି ସମ୍ଭବ ହେଉନାହିଁ। ତେଣୁ ଜିଲ୍ଲାରେ କିପରି ବିଏସଏନଏଲ ସେବା ସୁଦୃଢ଼ ହୋଇପାରିବ, ଯେତେ ସମ୍ଭବ ଉପଭୋକ୍ତାଙ୍କ ଘରକୁ ଫାଇଭର ସଂଯୋଗ ଦେବା ସହ ଆବଶ୍ୟକ ସ୍ଥଳେ ଇଣ୍ଟରନେଟ ଓ ୱାଇଫାଇ ସେବା ପାଇଁ ମୋବାଇଲ ନେଟୱର୍କ ସ୍ଥାପନ କରିବାକୁ ଗୃହରେ ସାଂସଦ ଦାବି ରଖିଛନ୍ତି। ଅଧିକ ଟାୱାର ସ୍ଥାପନ ପାଇଁ ମଧ୍ୟ ସେ ଦାବି ଜଣାଇଛନ୍ତି।