ଇପିଏଫ୍‌ କମିସନର ଅଫିସ୍‌ ଘେରିବେ ବିଏସ୍‌ଏନ୍‌ଏଲ୍‌ ଟିଏସ୍‌ଏମ୍‌

ଭୁବନେଶ୍ୱର : ବିଏସ୍‌ଏନ୍‌ଏଲ୍‌ (ଇଟିଆର)ଅଧୀନରେ କାମ କରୁଥିବା ଟିଏସ୍‌ଏମ୍‌(ଟେମ୍ପରାରି ଷ୍ଟାଟସ୍‌ ମଜଦୁର)ଙ୍କର ୫ ବର୍ଷ ୬ ମାସର ଇପିଏଫ୍‌ ବାକି ପଡ଼ିଛି। ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲେ ମଧ୍ୟ ଏହା ପୂରଣ ହେଉ ନାହିଁ। ଦାବି ପୂରଣ ନେଇ ଇପିଏଫ୍ କମିସନରଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ଚେତାବନୀ ଦେଇଛି ଓଡ଼ିଶା ଟେଲିକମ୍‌ ମାଇକ୍ରୋୱେଭ୍‌ ମଜଦୁର ସଂଘ। ସଂଘ ପକ୍ଷରୁ ଏନେଇ ଇପିଏଫ୍‌ କମିସନର୍‌ଙ୍କୁ ଲଲିତ୍‌ ନାୟକ ଲିଖିତ ଭାବେ ଅଭିଯୋଗ କରିବା ସହ ଏକ ପ୍ରତିନିଧି ମଣ୍ଡଳ ଆସିଷ୍ଟାଣ୍ଟ କମିସନରଙ୍କ ଆଲୋଚନା ମଧ୍ୟ କରିଛନ୍ତି। ଅଭିଯୋଗ ମୁତାବକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପିତ ମାଇକ୍ରୋୱେଭ୍‌ ଟାୱାର ମାନଙ୍କରେ ୧୯୯୦ ମସିହାରୁ ୧୬୧ ଜଣ ଠିକା କର୍ମଚାରୀ କାମ କରି ଆସୁଥିଲେ। ଅଧିକ ପରିଶ୍ରମ ମାତ୍ର କମ୍‌ ଦରମାକୁ ନେଇ କର୍ମଚାରୀ କ୍ୟାଟ୍‌ର ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କୁ ମଜଦୁର ମାନ୍ୟତା ଦେବା ସହ ଖାଲି ହେଉଥିବା ପଦରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାପାଇଁ କ୍ୟାଟ୍‌ ଆଦେଶ ଦେଇଥିଲେ। ପରେ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷ ଏହି ରାୟ ବିରୋଧରେ ହାଇକୋର୍ଟ ଯାଇ ପ୍ରଥମେ ସିଙ୍ଗଲ ଓ ପରେ ଡବଲ ବେଞ୍ଚରେ ହାରିଥିଲେ। ଶେଷରେ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ସେଠାରେ ଏହି ଠିକା କର୍ମଚାରୀଙ୍କ ସପକ୍ଷରେ ରାୟ ଯାଇଥିଲା। ଏହି ସମୟରେ ଠିକା କର୍ମଚାରୀଙ୍କ ଇପିଏଫ୍‌ ବାବଦକୁ ଟଙ୍କା କଟା ଯାଉଥିଲେ ମଧ୍ୟ ମାମଲା ବିଚାରାଧୀନ ଆଳ କରି କର୍ତ୍ତୃପକ୍ଷ ଅର୍ଥ ଇପିଏଫ୍‌ ଆକାଉଣ୍ଟରେ ଜମା କରୁନଥିଲେ। ଏଥିପାଇଁ କର୍ମଚାରୀ ଇପିଏଫ୍‌ ଆଫିଲେଟେଡ୍‌ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ କର୍ମଚାରୀଙ୍କ ସପକ୍ଷ‌ରେ ରାୟ ଦେବା ସହ ଇପିଏଫ୍‌ ଟଙ୍କା ତୁରନ୍ତ ଜମା କରିବା ପାଇଁ ଆଦେଶ ଦେଇଥିଲେ। ଏହି ଆଦେଶ ମୁତାବକ ୨୦୧୭ ମସିହାରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ସମୁଦାୟ ଅର୍ଥ ଇପିଏଫ୍‌ରେ ଜମା କରିଥିଲେ। ହେଲେ ଅଦ୍ୟାବଧି କର୍ମଚାରୀଙ୍କ ଖାତାକୁ ଏହି ଅର୍ଥ ଆସିନାହିଁ। ଏଣୁ ଡିସେମ୍ବର ଶେଷ ସୁଦ୍ଧା ଅର୍ଥ ଜମା ନ ହେଲେ ଇପିଏଫ୍‌ ଅଫିସ୍‌ ଘେରାଉ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସାଧାରଣ ସମ୍ପାଦକ ଲଡ଼ୁକିଶୋର ଗୌଡ଼, ପ୍ରଶାନ୍ତ ବାଗ୍‌, ଉପସଭାପତି ପଞ୍ଚାନନ ତ୍ରିପାଠୀ, ପ୍ରତାପ ଝରା, ବିରଞ୍ଚି ନାରାୟଣ ପ୍ରଧାନ, ଦୀନବନ୍ଧୁ ମହାପାତ୍ର ଓ ବି.କୋମନା ଦୋରା ଏବଂ ସହ ସମ୍ପାଦକ କେ. ଶ୍ରୀନିବାସୁ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର