କଳାହାଣ୍ଡି, ବଲାଙ୍ଗୀର ଜିଲ୍ଲାର ୧୭ଟି ସ୍ଥାନରୁ ହଟିବ ବିଏସଏନସଲ ଟାୱାର,ବାଧାପ୍ରାପ୍ତ ହେବ ୪ଜି ସେବା

ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ

ଭବାନୀପାଟଣା : କେବିକେ ଅଞ୍ଚଳର ଦୁଇ ପ୍ରମୁଖ ଜିଲ୍ଲା ହେଲା କଳାହାଣ୍ଡି ଓ ବଲାଙ୍ଗୀର । ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୧୭ଟି ସ୍ଥାନରୁ ବିଏସଏନଏଲ ୪ଜି ସେବା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଏହି ଘଟଣା ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଚିଠି ଲେଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

jagran.com

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର୧୭ଟି ସ୍ଥାନରୁ ବିଏସଏନଏଲ ୪ଜି ସେବା ପ୍ରତ୍ୟହାର୍ କରିବାକୁ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ଏହି ଦୁଇ ଜିଲ୍ଲାରୁ ସେବା ପ୍ରତ୍ୟାହାର କରି କନ୍ଧମାଳକୁ ସ୍ଥାନାନ୍ତରିତ କରିବା ପାଇଁ କମ୍ପାନୀ ଉଦ୍ୟମ କରୁଛି । ଏ ନେଇ ବିଭାଗସ୍ତରରେ ପଦକ୍ଷେପ ବି ଆରମ୍ଭ ହୋଇଯାଇଛି । ଓଡିଶା ଟେଲିକମ ସର୍କଲର ଜେନେରାଲ ମ୍ୟାନେଜର ପତ୍ର ସଂଖ୍ୟା ଜି.ଏମ୍/ଏନ୍ ୟୁପି-ସିଏମ୍/ପିଏଚ୍ ୮-୪/ଇମ୍ପ୍ଳିମେଣ୍ଟେସନ/୨୦୧୭-୧୮/୪୨ ତା୨୮.୭.୨୦୨୦ରେ ଭବାନୀପାଟଣା, ବଲାଙ୍ଗୀର ଓ ଫୁଲବାଣୀ ଟିଡିଇଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖିଛନ୍ତି । ଓଡିଶା ଟେଲିକାମ ସର୍କଲର ଚିଫ୍ ଜେନେରାଲ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ଭବାନୀପାଟଣା ଓ ବଲାଙ୍ଗୀର ଏସଏସଏରୁ ୧୭ଟି ଜେଟିଇ ୪ଜି ଉପକରଣ ଏସଏସଏରେ ଖଞ୍ଜିବା ପାଇଁ ସ୍ଥିର କରାଯାଇଛି । କନ୍ଧମାଳ ଜିଲାର ପାଇଲେଟ ପ୍ରୋଜେକ୍ଟରେ ଫୁଲବାଣୀ, ବାଲିଗୁଡା, ଟିକାବାଲି, ରାଇକିଆ, ଜି.ଉଦୟଗିରି, ଦାରିଙ୍ଗବାଡି ଓ ତୁମୁଡିବନ୍ଧର ୨୭ଟି ସ୍ଥାନରେ ୪ଜି ସେବା ଉପଲବ୍ଧ କରାଯିବ । ଏଥିନିମନ୍ତେ ବଲାଙ୍ଗୀରର ୨୩ ଓ କଳାହାଣ୍ଡିର ୧୮ଟି ସ୍ୱଳ୍ପ ୪ଜି ଡାଟା ବ୍ୟବହାର ହେଉଥିବା ଅଞ୍ଚଳରୁ୧୭ଟି ଅଞ୍ଚଳକୁ ଚିହ୍ନଟ କରି ସେହି ୪ଜି ଉପକରଣକୁ କନ୍ଧମାଳ ଜିଲ୍ଲାକୁ ସ୍ଥାନାନ୍ତର କରିବା ପାଇଁ ୨ ଜିଲ୍ଲାର ଟିଡିଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟେଲିକମ ଜେନେରାଲ ମ୍ୟାନେଜର । ତେବେ ଯେଉଁ ୧୭ଟି ସ୍ଥାନରୁ ଟାୱାର ହଟାଇ ନିଆଯିବ ସେଠାରେ ୪ଜି ସେବା ବଦଳରେ ୨ଜି ସେବା ଉପଲବ୍ଧ ହେବ ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଯେକୌଣସି ଅଞ୍ଚଳର ବିକାଶରେ ଯୋଗାଯୋଗ ବ୍ୟବସ୍ଥା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ ବିଏସଏନଏଲ କଳାହାଣ୍ଡି ଓ ବଲାଙ୍ଗୀରର କିଛି ଅଞ୍ଚଳରୁ ୪ଜି ବ୍ୟବସ୍ଥା କାଢି ନେବା ନିଷ୍ପତ୍ତି ନିଃସନ୍ଦେହ ଆକାଂକ୍ଷୀ ଜିଲ୍ଲାଗୁଡିକର ବିକାଶରେ ବାଧା ସୃଷ୍ଟି କରିବ। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଆକାଂକ୍ଷୀ ଜିଲାର ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ରାଷ୍ଟ୍ରାୟତ୍ତ ସଂସ୍ଥା ୪ଜି ସେବା ଉଠାଇ ନେବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି । କମ୍ପାନୀର ଏଭଳି ବୈମାତୃକ ମନୋଭାବ ବିରୋଧରେ ଅଞ୍ଚଳର ଜନପ୍ରତିନିଧିମାନେ ସ୍ୱର ଉତ୍ତୋଳନ କରିବାକୁ ସାଧାରଣରେ ଦାବି ହୋଇଛି । ଅପରପକ୍ଷରେ ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଲାକଡାଉନ ସଟଡାଉନ ପରିସ୍ଥିତି ଲାଗି ରହିଛି । ଚଳିତ ବର୍ଷ ଶିକ୍ଷାବର୍ଷରେ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ ତାହା ଅନିଶ୍ଚିତ। ସ୍କୁଲ କଲେଜରେ ଅନଲାଇନ ଶିକ୍ଷାଦାନ ଚାଲିଛି । ଏଭଳି ସ୍ଥିତିରେ ବିଏସଏନଏଲ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୧୭ଟି ଅଂଚଳରୁ ୪ଜି ସେବା ଉଠାଇ ନେବା ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ବି ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି ।

The Earth News Network

କନ୍ଧମାଳ ଜିଲ୍ଲାକୁ ୪ଜି ସେବା ଯୋଗାଇ ଦେବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ତେବେ ଏଥିନିମନ୍ତେ କଳାହାଣ୍ଡି ଓ ବଲାଙ୍ଗୀରର କେତେକ ଅଞ୍ଚଳରେ ୪ଜି ସେବା ବନ୍ଦ କରିବା ନ୍ୟାୟ ସଙ୍ଗତ ହେବନାହିଁ। ଏଣୁ ବିଏସଏନଏଲ ନିଜ ନିଷ୍ପତ୍ତିର ପୁନର୍ବିଚାର କରି କନ୍ଧମାଳ ଜିଲ୍ଲା ପାଇଁ ୪ଜି ସେବା ନିମନ୍ତେ ନୂତନ ଉପକରଣ ବ୍ୟବସ୍ଥା କରିବାକୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏ ନେଇ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଚିଠି ଯୋଗେ ଅନୁରୋଧ କରିଛନ୍ତି । କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଆମପାଣି, ବେହେରା, ବିଜମରା, ଚିଚେଇଗୁଡା, ଚିଲଗୁଡା, ଗୋଳାମୁଣ୍ଡା, ଘୁଗୁରପଲା, ହାତିବନ୍ଧା, ଜାରିଂ, କାଉଡୋଳା, କୁଳିଆବନ୍ଧ, ଲଡୁଗାଁ, ମହିଚଲା, ମୋଟେର, ପାଷ୍ଟିକୁଡି, ସରବଙ୍ଗ, ତରବୋଡ଼, ଥୁଆପଦର ସମେତ ୧୮ ଟି ଅଞ୍ଚଳରେ ବିଏସଏନଏଲ ନେଟୱାର୍କ ପ୍ରଭାବିତ ହେବ । ଏହା ସହିତ ବିଏସଏନଏଲ ୪ଜି ସେବା ବାଧାପ୍ରାପ୍ତ ହେବ। କେବିକେ ଅଞ୍ଚଳରେ ଏଭଳି ଘଟଣା କେନ୍ଦ୍ରସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । ସେହିଭଳି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଛାତ୍ର ବିଜେଡି ପକ୍ଷରୁ ଲିଖିତ ଭାବରେ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଭୁଲ ନିଷ୍ପତ୍ତି ପ୍ରତିବାଦରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର