ରାଉରକେଲା: ମେଧାବୀଙ୍କୁ ମିଳୁନି ଚାକିରି। ବେକାରଙ୍କ ବିକଳ ଚିତ୍ର ଆଜି ଦେଖିବାକୁ ମିଳିଥିଲା ଇସ୍ପାତ ସହରରେ। ରାଉରକେଲା ପୁଲିସ ଜିଲ୍ଲାର ୨୨ ଥାନାରେ ୧୦୭ ଗୃହରକ୍ଷୀ ନିଯୁକ୍ତି ପାଇଁ ୯ ହଜାର ୬୧ ଜଣ ଆବେଦନ କରିଥିଲେ। ଆଜି ସାକ୍ଷାତ ପରୀକ୍ଷା ଦେଇଛନ୍ତି ୭ ହଜାର ୪୮୪ ପରୀକ୍ଷାର୍ଥୀ। ଏମାନଙ୍କ ମଧ୍ୟରେ ଅଧିକାଂଶ ପରୀକ୍ଷାର୍ଥୀ ଥିଲେ ଗ୍ରାଜୁଏଟ୍, ଇଞ୍ଜିନିୟରିଂ, ଏମ୍ସିଏ, ଏମ୍ବିଏ ଓ ବି.ଟେକ୍ ଡିଗ୍ରିଧାରୀ। ଯେଉଁମାନେ ଭୋର ୫ଟାରୁ ସେକ୍ଟର-୬ ଇସ୍ପାତ ଷ୍ଟାଡିୟମ ସମ୍ମୁଖରେ ଲମ୍ବା ଲାଇନ୍ ଲଗାଇଥିଲେ। ଦୁଇଘଣ୍ଟା ଲାଇନ୍ରେ ଛିଡ଼ା ହେବା ପରେ ସମସ୍ତଙ୍କୁ କଡ଼ାକଡି ଯାଞ୍ଚ କରି ଷ୍ଟାଡିୟମ ଭିତରକୁ ଛଡ଼ାଯାଇଥିଲା। ପରୀକ୍ଷା ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ଚାଲିଥିଲା। ୨୦ ମାର୍କରେ ପରୀକ୍ଷାର୍ଥୀମାନେ ଓଡ଼ିଆ ରଚନା ଲେଖିଥିଲେ। ୪୦ ମାର୍କ ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ପରୀକ୍ଷା ହୋଇଥିଲା। ଶାରୀରିକ ପରୀକ୍ଷା ପାଇଁ ୨୦ ମାର୍କ ରଖାଯାଇଛି। ଶାରୀରିକ ଓ ମେଡିକାଲ ପାସ୍ କରିଥିବା ଯୋଗ୍ୟ ପରୀକ୍ଷାର୍ଥୀ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ଦେବେ।
ଏକକାଳୀନ ଇସ୍ପାତ ଷ୍ଟାଡିୟମରେ ୭ ହଜାର ୪୮୪ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ରାଉରକେଲା ଏସ୍ପି ନିତେଶ ୱାଧୱାନୀଙ୍କ ସମେତ ୩ ଅତିରିକ୍ତ ଏସ୍ପି, ୮ ଡିଏସ୍ପି ଓ ୧୭ ଇନ୍ସ୍ପେକ୍ଟର ସୁରକ୍ଷା ତଦାରଖ କରିଥିଲେ। ଷ୍ଟାଡିୟମ ଭିତରେ ଓ ବାହାରେ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପୁଲିସ ମଧ୍ୟ ମୁତୟନ ହୋଇଥିଲେ। ଏସ୍ପି ନିଜେ ସମସ୍ତ ବ୍ୟବସ୍ଥା ତଦାରଖ କରୁଥିଲେ। ଏମିତିକି ପରୀକ୍ଷାର୍ଥୀଙ୍କଠୁ ଖାତା ସଂଗ୍ରହଠୁ ଆରମ୍ଭ କରି ଅନ୍ୟାନ୍ୟ କାମ ନିଜେ କରୁଥିବା ଦେଖିବାକୁ ମିଳିଥିଲା। ବିଶ୍ରା, ନୂଆଗାଁ, ଲାଠିକଟା, ଲହୁଣିପଡ଼ା, ଗୁରୁଣ୍ଡିଆ, ବଣାଇ, କୋଇଡ଼ା ବ୍ଲକରୁ ପରୀକ୍ଷାର୍ଥୀମାନେ ଆସିଥିଲେ। ଗତ ମାର୍ଚ୍ଚରେ ଆବେଦନ ପାଇଁ ରାଉରକେଲା ରିଜର୍ଭ ପଡ଼ିଆରେ ସମାନ ସ୍ଥିତି ଉପୁଜିଥିଲା। ଆବେଦନ ଫର୍ମ ଖଣ୍ଡିଏ ପାଇବାକୁ ଉଚ୍ଚଶିକ୍ଷିତଙ୍କୁ ଧାଡ଼ିରେ ଘଣ୍ଟାଘଣ୍ଟ ଧରି ଛିଡ଼ା ହେବାକୁ ପଡ଼ିଥିଲା। କେବଳ ରାଉରକେଲା ନୁହେଁ ଆଗାମୀ ଦିନରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ହେବାକୁ ଯାଉଥିବା ଗୃହରକ୍ଷୀ ପରୀକ୍ଷା ପାଇଁ ମଧ୍ୟ ସମାନ ଭିଡ଼ ହେବ ବୋଲି ଜଣାପଡ଼ିଛି। ପରୀକ୍ଷାକୁ ଠିକ୍ ଢଙ୍ଗରେ କରିବାକୁ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।