ରାଉରକେଲା: ପଞ୍ଚମ ଶ୍ରେଣୀ ଯୋଗ୍ୟତା ବିଶିଷ୍ଟ ଗୃହରକ୍ଷୀ ଚାକିରି ପାଇଁ ଆବେଦନ କରିଛନ୍ତି ବି.ଟେକ୍, ଏମ୍ସିଏ ଡିଗ୍ରିଧାରୀ ପ୍ରାର୍ଥୀ। ରାଉରକେଲା ପୁଲିସ ଜିଲ୍ଲାରେ ୧୦୭ ଗୃହରକ୍ଷୀ ପଦ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକାରୁ ତାହା ପ୍ରମାଣିତ ହୋଇଛି। କେବଳ ବି.ଟେକ୍, ଏମ୍ସିଏ ପ୍ରାର୍ଥୀ ନାହାନ୍ତି, ବରଂ ବିବିଏ, ଡିପ୍ଲୋମା, ଆଇଟିଆଇ, ସ୍ନାତକ ଆଦି ଡିଗ୍ରିଧାରୀ ମଧ୍ୟ ଆବେଦନ କରୁଛନ୍ତି। ରାଉରକେଲା ପୁଲିସ୍ ଜିଲ୍ଲାର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଚୁକ୍ତିଭିତ୍ତିକ ପଦ ପାଇଁ ମଙ୍ଗଳବାର ସୁଦ୍ଧା ଆବେଦନ କରି ସାରିଲେଣି ୬୫୦୦ ଚାକିରି ଆଶାୟୀ ଯୁବକଯୁବତୀ। ବୁଧବାର ଶେଷ ତାରିଖ ଥିବାରୁ ଆବେଦନକାରୀଙ୍କ ସଂଖ୍ୟା ୭ ହଜାର ଡେଇଁଯିବ ବୋଲି ଅନୁମାନ କରାଯାଉଛି। ଏମାନଙ୍କ ମଧ୍ୟରୁ ୫୦% ହେଉଛନ୍ତି ଉଚ୍ଚ ଶିକ୍ଷିତ ବେକାର। ରାଉରକେଲା ରିଜର୍ଭ ପରିସରରେ ଦୈନିକ ଆବେଦନକାରୀଙ୍କ ଲମ୍ବା ଲାଇନ୍ ଲାଗୁଛି। ରାଉରକେଲା ସହର ସମେତ କୁଆରମୁଣ୍ଡା, ନୂଆଗାଁ, ଲାଠିକଟା, ବଣାଇ, କୋଇଡ଼ା, ଗୁରୁଣ୍ଡିଆ, ବିଶ୍ରା ଆଦି ବ୍ଲକରୁ ଦୈନିକ ଶହଶହ ବେକାର ଯୁବକଯୁବତୀ ରିଜର୍ଭ କାର୍ଯ୍ୟାଳୟ ଆଗରେ ସକାଳୁ ସକାଳୁ ଲମ୍ବା ଧାଡ଼ି ଲଗାଉଛନ୍ତି।
ସ୍ବଳ୍ପ ବେତନ ହେଲେ ମଧ୍ୟ ଚାକିରି ଖଣ୍ଡିଏ ପାଇଁ ଆଶା ଲଗାଇ ବସିଛନ୍ତି। କେବଳ ରାଉରକେଲା ପୁଲିସ ଜିଲ୍ଲା ନୁହେଁ, ସେହି ସମାନ ସ୍ଥିତି ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୯୨ଟି ପଦ ପାଇଁ ୩ ହଜାରରୁ ଅଧିକ ଆଶାୟୀ ଆବେଦନ କରିସାରିଥିବା ଜଣାପଡ଼ିଛି। ବର୍ତ୍ତମାନ ରାଉରକେଲା ପୁଲିସ ଜିଲ୍ଲା ପାଇଁ ୯୪୯ ଗୃହରକ୍ଷୀ ଆବଶ୍ୟକ ଥିବାବେଳେ କାର୍ଯ୍ୟ କରୁଛନ୍ତି ୮୪୪। ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ୩୯୭ ଗୃହରକ୍ଷୀ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ଡ୍ୟୁଟି କରୁଛନ୍ତି ୨୬୩ ଜଣ।
ଅପରପକ୍ଷରେ, ପଞ୍ଚମଶ୍ରେଣୀ ଯୋଗ୍ୟତା ଆବଶ୍ୟକ ହେଉଥିବା ଗୃହରକ୍ଷୀ ପଦ ପାଇଁ ଇଞ୍ଜିନିୟର ଓ ଉଚ୍ଚ ଶିକ୍ଷିତ ଛାତ୍ରଛାତ୍ରୀ ଆବେଦନ କରିବାକୁ ନେଇ ପ୍ରଶ୍ନ ଉଠାଇଛି ଗୃହରକ୍ଷୀ ସଂଘ। ଉଚ୍ଚଶିକ୍ଷିତ ବେକାରମାନେ ଗୃହରକ୍ଷୀଙ୍କ କାମ ଅର୍ଥାତ୍ ରାତିରେ ପହରା ଦେବା, ଗାଡ଼ି ଚଳାଇବା ଆଦି କାମ କିଭଳି ତୁଲାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ସଂଘ ପକ୍ଷରୁ କୁହାଯାଇଛି, ପୂର୍ବରୁ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ କାରଣରୁ ଅନେକ ଗୃହରକ୍ଷୀଙ୍କୁ ବାହାର କରିଦିଆଯାଇଛି। ମୃତକଙ୍କ ପରିବାର ସହ ବାହାର କରିଦିଆଯାଇଥିବା ଗୃହରକ୍ଷୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/12/BU2c9J08flRlFJDm0jYD.jpg)