ଯାଜପୁର : ଖଣିରେ ନିଯୁକ୍ତି ନାହିଁ କି ଶିଳ୍ପରେ ଚାକିରି ନାହିଁ; ତଥାପି ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ। ଏହି ସମୃଦ୍ଧି ଆଣିଛି କୃଷି। କୃଷି ଓ କୃଷକଙ୍କୁ ନେଇ ଦେଶବ୍ୟାପୀ ହଟଚମଟ ଚାଲିଥିଲାବେଳେ ନିରବରେ ରାସ୍ତାକଡ଼ରେ ନିଜ ଉତ୍ପାଦିତ ପନିପରିବା ଓ ଶସ୍ୟକୁ ଧରି ବସିଛି ଚାଷୀ। ସେଥିରୁ ବି ଯାହା ମୂଲ୍ୟ ମିଳୁଛି, ତାହା ସେମାନଙ୍କୁ ସ୍ବଚ୍ଛଳ କରିଛି। ମାତ୍ର ସାଢ଼େ ୪ ଏକର ଜମିରେ ଧାନ ଓ ପନିପରିବା ଚାଷ କରି ଏକ ପରିବାର ଚାରିଚକିଆ ଯାନ ଚଳାଇବାରେ ସଫଳ ହୋଇପାରୁଛି। ନିଜ ପିଲାଙ୍କୁ ବିଟେକ୍ ଭଳି ଉଚ୍ଚ ବୈଷୟିକ ଶିକ୍ଷା ମଧ୍ୟ ଦେଇପାରୁଛି। ଏ ସଫଳତାର ଚିତ୍ର ସୁକିନ୍ଦା ବ୍ଲକର ଡୁବୁରି ନିକଟ ସଂସାଇଲୋ ପଞ୍ଚାୟତ ପାତ୍ରମରାର।
ସମୟ ମଧ୍ୟାହ୍ନ। ଡହଡହ ଖରାରେ ସଂସାଇଲୋ ରାସ୍ତାକାଡ଼ରେ ମେଲିଥିଲା ସଜ ପନିପରିବାର ପସରା। କିଏ ବିକୁଥିଲେ ହାଇବ୍ରିଡ୍ ମକା, କଣ୍ଟାକୋଳି, ତେନ୍ତୁଳି ତ ପୁଣି କେହି ମିଠାମକା ଓ ଛନଛନିଆ ବନ୍ଧାକୋବି, ବାଇଗଣ। ନିର୍ମାଣାଧୀନ ୫୩ ନମ୍ବର ଜାତୀୟ ରାଜପଥରେ ଯାଆସ କରୁଥିବା ଲୋକେ ଅଟକି ସେଥିରୁ ଆବଶ୍ୟକ ମୁତାବକ କିଛିକିଛି କିଣି ନେଉଥିଲେ।
ଚାଷ ବିଷୟରେ ସେମାନଙ୍କୁ ପଚାରିବାରୁ କେତେଜଣ ମିଠାମକା ଚାଷ କରିଥିବା କହିଥିଲେ। ଏହାର ବିହନ କେଜି ୨୨୦୦ ଟଙ୍କା ହୋଇଥିଲାବେଳେ ଉତ୍ପାଦିତ କଞ୍ଚାମକା କିଲୋ ୪୦ ଟଙ୍କା। ରାସ୍ତାରୁ ଦୂରକୁ ଦେଖାଯାଉଥିଲା ସବୁଜକ୍ଷେତ। ତାହା ହେଉଛି ପାତ୍ରମରା ଗାଁ। ଅଧିକାଂଶ ଜମିରେ ସରକାରୀ ସହାୟତାରେ ବୋରିଂ ହୋଇଛି। ଚାଷୀ ପୁରୁଷୋତ୍ତମ ମହାନ୍ତଙ୍କ ବାଡ଼ିରେ ମକା, ବାଇଗଣ ଆଦି ବିଭିନ୍ନ ପନିପରିବା ଲାଗିଥିଲା। ଘରେ ଥିଲେ ତାଙ୍କ ପୁଅ ରବୀନ୍ଦ୍ର। ସେ ମାଇନିଂ ଇଞ୍ଜିନିୟରିଂରେ ଡିପ୍ଲୋମା ପରେ ଡିଗ୍ରି କରିଛନ୍ତି। ୨୦୧୭ରୁ ସେ ପଢ଼ା ସାରିଥିଲେ ହେଁ ଏଯାଏ ଚାକିରି ପାଇନାହାନ୍ତି। ଦୁଇବର୍ଷ ତଳେ ସରକାରୀ ଯୋଜନାରେ ୨୦ ହଜାର ଟଙ୍କା ଜମାକରି ନିଜ ଜମିରେ ବୋରିଂ କରିଥିଲେ। ଏହାପରେ ସେହି ଜମିରେ ବର୍ଷଯାକ ବିଭିନ୍ନ ଫସଲ ଫଳାଉଛନ୍ତି। ଖରିଫ ଋତୁରେ ଧାନ ପରେ ମୁଗ, ବନ୍ଧା ଓ ଫୁଲକୋବି, ହାଇବ୍ରିଡ୍ ମକାଚାଷ କରୁଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ସବ୍ସିଡିରେ ସ୍ପ୍ରିଙ୍କଲର କିଣିଛନ୍ତି। ଏଥର ୧୦ ଡେସିମିଲ ଜମିରେ ପରୀକ୍ଷାମୂଳକ ଭାବେ ମିଠାମକା (ସୁଇଟ୍ କର୍ଣ୍ଣ) ଚାଷ କରିଛନ୍ତି। ଏ ବାବଦରେ ଏତେ ବୈଷୟିକ ଜ୍ଞାନ ନଥିବାରୁ ସବୁ ମିଠାମକା ବଡ଼ସାଇଜ୍ ହୋଇନଥିବା ସେ କହିଥିଲେ। ପନିପରିବା ଚାଷରୁ ବର୍ଷକୁ ଲକ୍ଷାଧିକ ଟଙ୍କା ମିଳୁଥିବା ସେ କହିଥିଲେ। ଏଇ ଦୁଇତିନି ମାସ ହେବ ନିଜ ଘରେ କମ୍ପ୍ୟୁଟର ଓ ଜେରକ୍ସ ମେସିନ ରଖି ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ତଥା ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ସେ ସହାୟତା କରୁଛନ୍ତି। ଚାଷକରି ତାଙ୍କ ଗାଁରେ ଅଧିକାଂଶ ପରିବାର ସମୃଦ୍ଧ ହୋଇଛନ୍ତି। ଅନେକ ଚାଷୀ ପରିବାର ମଧ୍ୟ ଦୁଇମହଲା କୋଠାଘର କରିବାରେ ସକ୍ଷମ ହୋଇଥିବା ଦେଖିବାକୁ ମିଳିଥିଲା।