ବାରିପଦା: ଚିରସ୍ରୋତା ବୁଢ଼ାବଳଙ୍ଗର କି ଅବସ୍ଥା? ମୟୂରଭଞ୍ଜ ଶିମିଳିପାଳରୁ ବାହାରିଥିବା ଏହି ନଈରେ ବର୍ଷର ୧୨ ମାସ ଯାକ ପାଣି ଉଛୁଳୁଥିଲା। ନଦୀକୂଳିଆ ଅଞ୍ଚଳରେ କେବେ ମଧ୍ୟ ଜଳାଭାବ ରହୁନଥିଲା। ପାନୀୟ ଜଳଠୁ ନେଇ ଚାଷବାସ ତଥା ଅନ୍ୟ କାମରେ ବୁଢ଼ାବଳଙ୍ଗର ପାଣିକୁ ଲୋକେ ବ୍ୟବହାର କରୁଥିଲେ। ହେଲେ ଏବେ ସ୍ଥିତି ବଦଳିଯାଇଛି। ଜଳଧାରଣ ଶକ୍ତି କମିଯାଉଥିବାରୁ ଗତ କିଛି ବର୍ଷ ହେଲା ନଦୀ ଶୁଖିଯାଉଛି। ଜାନୁଆରି ଆରମ୍ଭରୁ ନଈର ଜଳସ୍ତର କମିବା ଆରମ୍ଭ ହେଉଛି ଓ ‌ମେ’ ମାସ ବେଳକୁ ଠାଏ ଠାଏ ଶୁଖିଲା ପଡ଼ୁଛି ଶଯ୍ୟା। ଫଳ‌ରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି।

Advertisment

ଶିମିଳିପାଳର ବରେହିପାଣି ଜଳପ୍ରପାତ କ୍ରମଶଃ ବୁଢ଼ାବଳଙ୍ଗ ନଈର ରୂପ ନେଇ ବାଙ୍ଗିରପୋ‌ଷି, ଶାମାଖୁଣ୍ଟା, ବାରିପଦା, ସାରସକଣା, ‌ବଡ଼ସାହି ଓ ବେତନଟୀ ବ୍ଲକ୍‌ ‌ଦେଇ ପ୍ରବାହିତ ହେବା ସହ ବାଲେଶ୍ବର ଜିଲ୍ଲାରେ ପ୍ରବେଶ କରି ବଙ୍ଗୋପସାଗରରେ ମିଶିଛି। ଖରାଦିନେ ନଦୀ ଅବବାହିକାରେ ବଡ଼ସାହି ଓ ବେତନଟୀ ବ୍ଲକ୍‌ର ହଜାର ହଜାର ଚାଷୀ ପନିପରିବା ଚାଷ କରି ପେଟ ପୋଷନ୍ତି। ବର୍ତ୍ତମାନ ନଦୀ ଶୁଖିଲା ପଡ଼ିଥିବ‌ାରୁ ଚାଷ ପାଇଁ ପାଣି ମିଳୁନି। କେବଳ ସେତିକି ନୁହେଁ, ବୁଢ଼ାବଳଙ୍ଗ କୂଳବର୍ତ୍ତୀ ୧୦୫ରୁ ଅଧିକ ଗାଁରେ ପାଣି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହି ନଦୀରୁ ୫ରୁ ଅଧିକ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ପାନୀୟଜଳ ମିଳୁଥିବା ବେଳେ ଏବେ ଜଳଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି।

ଖରାଦିନେ ବୁଢ଼ାବଳଙ୍ଗର ଏ ରୂପ ପାଇଁ ମନୁଷ୍ୟକୃତ କାରଣକୁ ଦାୟୀ କରିଛନ୍ତି ପରିବେଶବିତ ଭାନୁମିତ୍ର ଆଚାର୍ଯ୍ୟ। ଦୈନିକ ଶହଶହ ଟ୍ରିପ୍‌ ବାଲି ଉତ୍ତୋଳନ ଯୋଗୁ ନଦୀର ଜଳଧାରଣ କ୍ଷମତା ହ୍ରାସ ପାଉଛି ଓ ଜଳସ୍ତର ତଳକୁ ଖସିଯାଉଛି। ଏହାଛଡ଼ା ନଦୀବନ୍ଧ ଜବରଦଖଲ କରି ବେଆଇନ ନିର୍ମାଣ ଆଦି କାରଣରୁ ନଦୀଶଯ୍ୟା ସଙ୍କୁଚିତ ହେଉଛି। ପରିବେଶ ସନ୍ତୁଳନ ବିଗୁଡ଼ୁଥିବାରୁ ଖରାଦିନେ ଉପର ମୁଣ୍ଡରେ ଆଶାନୁରୂପ ବର୍ଷା ହେଉନାହିଁ। ଫଳରେ ନଦୀଶଯ୍ୟା ଆଜି ମରୁଭୂମିର ଭ୍ରମ ସୃଷ୍ଟି କରୁଛି। ବେଳ ଥାଉ ଥାଉ ବୁଢ଼ାବଳଙ୍ଗ ସଂସ୍କାର ଯୋଜନା ଆରମ୍ଭ କରି ଏହାର ସୁରକ୍ଷା ପାଇଁ ନକ୍ସା ପ୍ରସ୍ତୁତ କରିବା ଜରୁରି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ନଦୀ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ।