ସୂଚନା ଅଧିକାର କର୍ମୀ ବୁବୁ ପଣ୍ଡା ହତ୍ୟା ମାମଲା: ସମସ୍ତ ୧୦ ଅଭିଯୁକ୍ତ ନିର୍ଦ୍ଦୋଷ

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରଣ୍ଢା ଗ୍ରାମରେ ୨୦୧୪ ମସିହା ଡିସେମ୍ବର ୨୯ ତାରିଖରେ ଯୁବ ବ୍ୟବସାୟୀ ତଥା ସୂଚନା ଅଧିକାର କର୍ମୀ ‌ଗଣେଶ ପଣ୍ଡା ଓରଫ୍ ବୁବୁଙ୍କୁ ନୃଶଂସ ଭାବେ ହତ୍ୟା କରା ଯାଇଥିଲା। ଆଜି ବ୍ରହ୍ମପୁର ଏ‌ଡିଜେ-୧ କୋର୍ଟରେ ସାଢ଼େ ୭ ବର୍ଷ ପରେ ଏହି ମାମଲାର ବିଚାରଣା ପରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ସେମାନେ ‌ହେଲେ, ଅଜିତ ରାଉଳ, କଟିଙ୍ଗ୍ ଦୀପୁ, କାଳିଆ ଗୌଡ଼, ପ୍ରଶାନ୍ତ ବେହେରା, ସନ୍ଦୀପ ପଣ୍ଡା, କଲିନି ବେହେରା, ସୁରେନ୍ଦ୍ର ପାତ୍ର, ଲକ୍ଷ୍ମୀଚରଣ ସାମନ୍ତରା, ପ୍ରକାଶ ରାଉଳ ଓ ଟୁକୁନା ପାଢ଼ୀ। ଚାର୍ଜସିଟ୍‌ରେ ମୋଟ ୩୭ ଜଣ ସାକ୍ଷୀଙ୍କ ନାମ ଉଲ୍ଲେଖ ରହିଥିବା ‌ବେଳେ ପର୍ଯ୍ୟାୟ କ୍ରମେ ସେମାନଙ୍କ ସାକ୍ଷ୍ୟ ଗ୍ରହଣ କରା ଯାଇଥିଲା। ହେଲେ ଠୋସ୍ ପ୍ରମାଣ ଅଭାବରୁ ସାଢ଼େ ୭ ବର୍ଷ ପୁରୁଣା ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ବୁବୁଙ୍କ ସହ ଅଭିଯୁକ୍ତମାନଙ୍କ ପୂର୍ବ ବିବାଦ ଲାଗି ରହିଥିଲା। ଏହାସହ ମନରେଗା ଯୋଜନାରେ ବହୁ ଦୁର୍ନୀତି ହୋଇଥିବା ନେଇ ବୁବୁ ଆରଟିଆଇରେ ତଥ୍ୟ ମାଗିବା ସହ ଏହାର ଭିଜିଲାନ୍ସ୍ ତଦନ୍ତ ଦାବି କରିଥିଲେ। ଫଳରେ ଏହାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରିବା ଲାଗି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ଘଟଣା ଦିନ ଅର୍ଥାତ୍ ୨୦୧୪ ଡିସେମ୍ବର ୨୯ ତାରିଖରେ ବୁବୁ ପ୍ରତିଦିନ ଭଳି ଘରୁ ରଣ୍ଢା ଈଶାନେଶ୍ବର ମନ୍ଦିର ପର୍ଯ୍ୟନ୍ତ ପ୍ରାତଃଭ୍ରମଣରେ ବାହାରିଥିଲେ। ଭୋର୍ ସାଢ଼େ ୫ଟାରେ ରଣ୍ଢା ଛକରୁ ମାତ୍ର କିଛି ମିଟର ଦୂରରେ ଥିବା କମାରଶାଳ ନିକଟରେ ୪ରୁ ୬ ଜଣ ଯୁବକ ତାଙ୍କୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହାଣି ପକାଇଥିଲେ। ଘଟଣାସ୍ଥଳରେ ହିଁ ବୁବୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ସମସ୍ତ ମାରଣାସ୍ତ୍ର ଫୋପାଡ଼ି ଦେଇ ପଳାଇଥିଲେ।
ଏ ନେଇ ମାମଲା ରୁଜୁ ହେବା ପରେ ୨୦୧୫ ମସିହା ଜାନୁଆରି ୧୦ ତାରିଖରେ ୬ ଜଣ ଗିରଫ ହୋଇଥିଲେ। ୨ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ସୁରେନ୍ଦ୍ର ପାତ୍ର ଓ ଲକ୍ଷ୍ମୀଚରଣ ସାମନ୍ତରାଙ୍କୁ ସେହି ମାସ ୧୭ ତାରିଖରେ ପୁଲିସ କାବୁ କରିଥିଲା। ଅନ୍ୟ ଦୁଇଜଣ ଅଭିଯୁକ୍ତ ‌ଦୁଇବର୍ଷ ହେଲା ଫେରାର୍ ରହିବାରୁ ପୁଲିସ ସେମାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ପ୍ରସ୍ତୁତି କରିଥିଲା। ଏହାପରେ ଦୁଇ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଆଜି ମାମଲାର ବିଚାରଣା ଶେଷ ହେବା ସହ ବ୍ରହ୍ମପୁର ଏଡିଜେ-୧ କୋର୍ଟ ସମସ୍ତ ୧୦ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ସମ୍ବନ୍ଧିତ ଖବର