ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି, ଡାକ ଇତିହାସ ବଖାଣିବ ପୋଷ୍ଟାଲ୍‌ ଗ୍ୟାଲେରି

ଭୁବନେଶ୍ବର : ରାଜ୍ୟ ସଂଗ୍ରହାଳୟରେ ଖୋଲିବ ସ୍ବତନ୍ତ୍ର ବୁଦ୍ଧ ଗ୍ୟାଲେରି। ବାଣପୁରସ୍ଥିତ ଅଚ୍ୟୁତରାଜପୁରରୁ ମିଳିଥିବା ୭୫ଟି ବ୍ରୋଞ୍ଜ ମୂର୍ତି ଏହି ଗ୍ୟାଲେରିରେ ଶୋଭା ପାଇବ। ୫ମରୁ ୧୦ମ ଶତାବ୍ଦୀ ମଧ୍ୟରେ ହୋଇଥିବା ଏହି ମୂର୍ତିଗୁଡ଼ିକୁ ନିର୍ମାଣାଧୀନ ସ୍ଥାୟୀ ଗ୍ୟାଲେରି ମଧ୍ୟରେ ସ୍ଥାନିତ କରାଯିବ। କିଛି ବର୍ଷ ତଳେ ସମ୍ପୃକ୍ତ ଅଞ୍ଚଳରୁ ୯୨ଟି ବୁଦ୍ଧ ଓ ଜୈନ ମୂର୍ତି ସମେତ ଅନ୍ୟାନ୍ୟ ମୂର୍ତି ସଂଗୃହୀତ ହୋଇଥିବା ବ‌େଳେ ସେଥିମଧ୍ୟରୁ ବିଭିନ୍ନ ଆକାରର ୭୫ଟି ବୁଦ୍ଧ ମୂର୍ତିକୁ ନେଇ ସ୍ବତନ୍ତ୍ର ଗ୍ୟାଲେରି ନିର୍ମାଣ ହେଉଛି। ଆସନ୍ତା ୨୯ ତାରିଖରେ ରାଜ୍ୟ ସଂଗ୍ରହାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ଗ୍ୟାଲେରି ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ ବୋଲି ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଡାକ ବିଭାଗର ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ଡାକ ଗ୍ୟାଲେରି। ‘ପୋଷ୍ଟାଲ୍‌ ହେରିଟେଜ୍‌ ଅଫ୍ ଓଡ଼ିଶା’ ଶୀର୍ଷକ ଏହି ଗ୍ୟାଲେରିରେ ସମଗ୍ର ଦେଶର କିଛି ବିରଳ ଷ୍ଟାମ୍ପ ପ୍ରଦର୍ଶିତ ହେବ। ଏହି ପରିସରରେ ଷ୍ଟାମ୍ପ୍‌ସ ଇତିହାସ କର୍ଣ୍ଣରରେ ଭାରତୀୟ ଡାକ ବ୍ୟବସ୍ଥା ସହ ଜଡ଼ିତ ପ୍ରାଚୀନ ଷ୍ଟାମ୍ପ, ଏନ୍‌ଭଲପ, ଇନ୍‌ଲାଣ୍ଡ ଲେଟର୍ସ ପ୍ରଦର୍ଶିତ ହେବ। ପୋଷ୍ଟମାଷ୍ଟରଙ୍କ ପାରମ୍ପରିକ ‌ପୋଷାକଠୁ ନେଇ ପୋଷ୍ଟ ବକ୍ସ, ନିକିତି ଆଦି ମଧ୍ୟ ଦେଖିବାକୁ ମିଳିବ। ଏଥିସହ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପରିପ୍ରେକ୍ଷୀରେ ଓଡ଼ିଶା ଓ ମହାତ୍ମା ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର ବିଭାଗ ରହିବ। ପୋଷ୍ଟ୍‌ ମାଷ୍ଟର ଜେନେରାଲ୍‌ ଡ. ସନ୍ତୋଷ କୁମାର କାମିଲା ରାଜ୍ୟ ସଂଗ୍ରହାଳୟକୁ ଏହିସବୁ ସଂଗୃହୀତ ସାମଗ୍ରୀ ଯୋଗାଇ ଦେଇଛନ୍ତି। ୨୦୧୭ ମସିହାରେ ଡ. କାମିଲା ସଂଗ୍ରହାଳୟର ୬୦ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ସ୍ବତନ୍ତ୍ର ପୋଷ୍ଟାଲ୍‌ କଭର ଲୋକାର୍ପଣ କରି ଏହି ଡାକ ଗ୍ୟାଲେରି ସମ୍ବନ୍ଧରେ ସୂଚନା ଦେଇଥିବା ବେଳେ ଏବେ ଏହା ବାସ୍ତବ ରୂପ‌ ନେବାକୁ ଯାଉଛି।

ଆସନ୍ତା ପ୍ରତିଷ୍ଠା ଦିବସରେ ଏଥର ମଧ୍ୟ ସଂଗୃହୀତ ବିରଳ ସାମଗ୍ରୀକୁ ନେଇ ଦିନିକିଆ ପ୍ରଦର୍ଶନୀ କରାଯିବ। ବିଶେଷକରି ନିମନ୍ତ୍ରଣ ପତ୍ରକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ଘର ସହ ପାଟ ଶାଢ଼ି, ବୀଣା, ପାଣ୍ଡୁଲିପି ଆଦି ଲୋକେ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଇବେ। ପୁସ୍ତକ ବିକ୍ରି ସହ ପୁସ୍ତକ ପଢ଼ିବା ପାଇଁ ସ୍ବତନ୍ତ୍ର ପଢ଼ା କକ୍ଷ ରହିବ। ରାଜଧାନୀର ପ୍ରମୁଖ ମନ୍ଦିରକୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ଚିତ୍ର ‘ଟେମ୍ପୁଲ୍‌ସ ଅଫ୍‌ ଭୁବନେଶ୍ବର’ ମଧ୍ୟ ସ୍ଥାୟୀ ଭାବେ ପ୍ରଦର୍ଶିତ ହେବ। ଇତିହାସ ଓ ଐତିହ୍ୟକୁ ନେଇ ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ ଜର୍ଣ୍ଣାଲ୍‌’, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭାଷଣକୁ ନେଇ ମଧୁରାନନ୍ଦ ଦାସଙ୍କ ସମ୍ପାଦିତ ପୁସ୍ତକ, ଡ. ଜୟନ୍ତୀ ରଥଙ୍କ ରଚିତ ‘ସତ୍ୟନାରାୟଣ ରାଜଗୁରୁ: କଣ୍ଟ୍ରିବୁସନ୍‌ ଟୁ ଓଡ଼ିଶା ହିଷ୍ଟ୍ରି ଆଣ୍ଡ୍‌ କଲ୍‌ଚର’, ଡ. ଭାରତୀ ପାଲ୍‌ଙ୍କ ରଚିତ ‘ଇନ୍‌ସ୍କ୍ରିପ୍‌ସନ ଅଫ୍‌ ଖିଞ୍ଜୋଳିମଣ୍ଡଳ’ ଏବଂ ‘ରିପ୍ରିଣ୍ଟ୍‌ ଅଫ୍‌ ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌’ ଉନ୍ମୋଚିତ ହେବ।

ସମ୍ବନ୍ଧିତ ଖବର