ଇଣ୍ଡୋନେସିଆରେ ଶୋଭାପାଇବ ଓଡ଼ିଆ କାରିଗରଙ୍କ ବୁଦ୍ଧମୂର୍ତ୍ତି

ମୂର୍ତ୍ତିର ଉଚ୍ଚତା ୧୭ଫୁଟ, ପ୍ରସ୍ଥ ୬ଫୁଟ, ସୁଭଦ୍ରାପୁରରେ ନିର୍ମାଣ କାର୍ଯ୍ୟ ଚାଲିଛି

ଚଣ୍ଡିଖୋଲ : ବିଦେଶ ମାଟିରେ ଶୋଭାପାଇବ ଓଡ଼ିଆ କାରିଗରଙ୍କ ଭାସ୍କର୍ଯ୍ୟ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ପଥରରେ ତିଆରି ଚାଲିଛି ୧୭ ଫୁଟ ଉଚ୍ଚତାର ବୁଦ୍ଧମୂର୍ତ୍ତି। ପୂର୍ଣ୍ଣାଙ୍ଗ ହେଲେ ତାହା ଇଣ୍ଡୋନେସିଆକୁ ଯିବ।

ସୂଚନା ଅନୁସାରେ, ଚଣ୍ଡିଖୋଲ ଛକ ନିକଟ ଧର୍ମଶାଳା ବ୍ଲକ ସୁଭଦ୍ରାପୁର ଗ୍ରାମର ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରସ୍ତର ଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା ୬ ମାସ ହେବ ଏହି ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି। ସେ କହିଛନ୍ତି, ଇଣ୍ଡୋନେସିଆର ଏକ ସଂସ୍ଥା ଏହି ମୂର୍ତ୍ତି ତିଆରି ପାଇଁ ବଇନା ଦେଇଥିଲେ। ବିଦେଶରୁ ଏଭଳି ପ୍ରସ୍ତାବ ପାଇବାପରେ ସେ ବେଶ୍‌ ଉତ୍ସାହିତ ହୋଇ କାମରେ ଲାଗିଛନ୍ତି। ମୂର୍ତ୍ତି ନିର୍ମାଣ ପାଇଁ ସେ ରାଜସ୍ଥାନରୁ ଦୁଇଖଣ୍ଡ ସ୍ୟାଣ୍ଡଷ୍ଟୋନ୍‌ ମଗାଇଥିଲେ। ତାହା ଆସିବା ପରେ ନିର୍ମାଣ କାମରେ ଲାଗିଛନ୍ତି। କାମ ପାଖାପାଖି ଶେଷହୋଇ ଆସିଲାଣି। ମୂର୍ତ୍ତିଟିର ଉଚ୍ଚତା ୧୭ ଫୁଟ ହୋଇଥିବା ବେଳେ ତାହାର ପ୍ରସ୍ଥ ୬ ଫୁଟ ଓ ମୋଟେଇ ୪ ଫୁଟ ରହିଛି ବୋଲି ସେ କହିଛନ୍ତି। ବ୍ରହ୍ମାନନ୍ଦଙ୍କ ସହିତ ତାଙ୍କର ୪ ଜଣ ସହଯୋଗୀ କାରିଗର ନିର୍ମାଣ କାର୍ଯ୍ୟରେ ସହଯୋଗ କରୁଛନ୍ତି।
୫୩ ନମ୍ବର ଜାତୀୟ ରାଜପଥର ସୁଭଦ୍ରାପୁର ଛକ ଉପରେ ଭଗବାନ ବୁଦ୍ଧଙ୍କର ଏହି ବଡ଼ ମୂର୍ତ୍ତିଟି ନିର୍ମାଣ ହେଉଥିବାରୁ ଯାଉଥିବା ଲୋକଙ୍କ ଆଖି ସେଠାରେ ଲାଖିଯାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର