ଢେଙ୍କାନାଳ: ବୌଦ୍ଧ ଜିଲ୍ଲାରେ ଉତ୍ପାତ କରୁଥିବା ଦନ୍ତାହାତୀକୁ ଆଜି ଢେଙ୍କାନାଳ ଜିଲ୍ଲା କପିଳାସସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ଢେଙ୍କାନାଳ ସୀମାରେ ପଶିବା ପରେ ସଦର ବ୍ଲକ୍‌ କାଇମାଟିଠାରେ ହାଇୱାଟି ଖରାପ ହୋଇଯାଇଥିଲା। ରାସ୍ତାରେ ଗାଡ଼ି ଉପରେ ହାତୀକୁ ଦେଖିବାକୁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଥିଲା। ବୌଦ୍ଧ ବନଖଣ୍ଡର କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ଏହି ଦନ୍ତାହାତୀ ଉତ୍ପାତ କରୁଥିଲା। ତାର ବୟସ ପ୍ରାୟ ୪୦ ବର୍ଷ ହେବ। ତାକୁ ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ରଖାଯିବା ଲାଗି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରୁ ଚିଠି ଆସିଥିଲା। ସେହି ଅନୁଯାୟୀ, ବୌଦ୍ଧ ବନ କର୍ମଚାରୀମାନେ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରି ଏକ ହାଇୱାରେ ଢେଙ୍କାନାଳ ଆଣିଥିଲେ।

Advertisment

ଆଜି ଦିନ ପ୍ରାୟ ସାଢେ ୧୨ ଟାରେ ହାତୀଟି କପିଳାସ କେନ୍ଦ୍ରରେ ପହଞ୍ଚିଥିଲା। ହାତୀକୁ ନିଆଯାଉଥିବା ବେଳେ ଯେତେବେଳେ ତାର ଚେତା ଟିକେ ଫେରିଆସିଥିଲା, ସେ ଉତ୍ପାତ ଆରମ୍ଭ କରିବା ସହ ଗାଡ଼ିରୁ ପଳାଇଯିବାକୁ ଉଦ୍ୟମ କରୁଥିଲା। କାଇମାଟିଠାରେ ହାତୀଟି ଗାଡ଼ିରୁ ବାହାରକୁ ଚାଲିଯିବାକୁ ଉଦ୍ୟମ କରିବାବେଳେ ତାର ଚେଜ୍ ଗାଡ଼ିରେ ଲାଗିଯିବାରୁ ସେଠାରେ ଗାଡ଼ି ରହିଯାଇଥିଲା। ବନ କର୍ମଚାରୀମାନେ ହାତୀକୁ ଆୟତ୍ତ କରିବା ସହ ଗାଡ଼ିକୁ ମରାମତି କରି କପିଳାସ ନେଇଥିଲେ। ଏ ସଂପର୍କରେ ରେଞ୍ଜର୍‌ ଶ୍ରୀ ମହାପାତ୍ର କୁହନ୍ତି ଯେ, ଦନ୍ତାହାତୀକୁ ବର୍ତ୍ତମାନ ପ୍ରାଣୀ ଉଦ୍ଧାର କେନ୍ଦ୍ର ପରିସରରେ ଏକ ଖୁଆଡ଼ରେ ରଖାଯାଇଛି। ସେ ଏବେ ନିଶାରେ ଅଛି ଓ ଉତ୍ପାତ କରୁଛି। ତାକୁ ଜଗି ରହିଛୁ। ପୂର୍ବରୁ କପିଳାସ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ୭ଟି ହାତୀ ରହିଥିଲେ, ଏହି ହାତୀକୁ ମିଶାଇ ବର୍ତ୍ତମାନ ଏଠାରେ ୮ଟି ହାତୀ ଅଛନ୍ତି ବୋଲି ସେ କହିଛନ୍ତି।