୨ବର୍ଷ ପରେ ଏଥର ଅଧିକ ଅର୍ଥ ମିଳିପାରେ
ମନ୍ତ୍ରୀ ସମ୍ବଲପୁରୀ ଶାଢ଼ି ପିନ୍ଧିଲେ, ହେଲେ ବୟନଶିଳ୍ପ କଥା ଭୁଲିଗଲେ
ରାଜ୍ୟ ସରକାରଙ୍କ ସବୁ ପ୍ରସ୍ତାବ ଫାଇଲରେ ରହିଲା
ଗରିବଙ୍କ ହାତକୁ ଟଙ୍କା ଯିବା ରାସ୍ତା ବନ୍ଦ, ମନରେଗାରେ ଝଟକା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ଓ ରାଜ୍ୟ ଅଂଶ ବାବଦରେ ପାଖାପାଖି ୩୬ ହଜାର ୯୭୭ କୋଟି ୮୮ ଲକ୍ଷ ଟଙ୍କା ମିଳିପାରେ। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିବା ବାର୍ଷିକ ବଜେଟକୁ ନିରେଖି ଦେଖିବା ପରେ ଏଭଳି ସୂଚନା ମିଳୁଛି। ବର୍ଷ ଶେଷକୁ ଏହି ପରିମାଣ କମିବ କି ବଢ଼ିବ, ତାହା ଏବେଠାରୁ କୁହାଯାଇପାରିବ ନାହିଁ। କିନ୍ତୁ କୋଭିଡ୍ ମହାମାରୀ ପରେ ଗତ ଦୁଇବର୍ଷରେ ଯେଉଁ ଅର୍ଥରାଶି ରାଜ୍ୟକୁ ମିଳିଛି; ତା’ ତୁଳନାରେ ଏହା ଅଧିକ ବୋଲି ଅଧିକ କୁହାଯିବ। ଆହୁରି ସରଳ ଭାବେ କହିଲେ, ୨୦୧୯-୨୦ ପରେ ଓଡ଼ିଶାକୁ ଏତେ ପରିମାଣର ଅର୍ଥ ଆସିନଥିଲା।
କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ବଜେଟ ଓଡ଼ିଶା ଭଳି ରାଜ୍ୟକୁ ଜବରଦସ୍ତ ଆଘାତ ଦେଇଛି। ନିଜେ ଅର୍ଥମନ୍ତ୍ରୀ ସମ୍ବଲପୁରୀ ଶାଢ଼ି ପିନ୍ଧି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ରାଜ୍ୟର ବୟନଶିଳ୍ପର ପୁନରୁଦ୍ଧାର କ୍ଷେତ୍ରରେ କିଛି ବି କରାଯାଇନାହିଁ। ବରଂ ରାଜ୍ୟ ସରକାର ନିକଟ ଅତୀତରେ କେନ୍ଦ୍ର ସାମ୍ନାରେ ଯେଉଁ ମାଳ ମାଳ ଦାବି ରଖିଥିଲେ, ବଜେଟରେ ସେସବୁର କିଛି ବି ପ୍ରତିଫଳନ ଘଟିନାହିଁ।
ମିଳୁଥିବା ସୂଚନା ଅନୁସାରେ, ବିପର୍ଯ୍ୟୟ ସ୍ଥାୟୀ ମୁକାବିଲା ପାଇଁ ୨୫ ହଜାର କୋଟି ଟଙ୍କା ମାଗିଥିଲେ ରାଜ୍ୟ ସରକାର। ମୋବାଇଲ୍ ଟାଵାର ପାଇଁ ଅତି କମରେ ୯୦୦ କୋଟି ଟଙ୍କା ଦେବାକୁ କୁହାଯାଇଥିଲା। ପ୍ରସ୍ତାବିତ ଅପର ଇନ୍ଦ୍ରାବତୀ, ବାଲିମେଳା, ଅପର କୋଲାବ ଆଦି ପାଇଁ କେନ୍ଦ୍ରୀୟ ଅନୁଦାନ ମିଳୁ; ଏମିତି ଚାହିଁଥିଲେ ମୁଖ୍ୟମନ୍ତ୍ରୀ। ଆଶା କରିଥିଲେ ଯେ ଏଥିରୁ କିଛି ନିଶ୍ଚିତ ମିଳିବ। ହେଲେ ସେମିତି କିଛି ହେଲାନି।
ବରଂ ଅର୍ଥ ବିଭାଗର ଅଧିକାରୀମାନେ କହିଛନ୍ତି, କେନ୍ଦ୍ରୀୟ ବଜେଟ୍ରେ ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ବ ଦିଆଯାଇଥିଲେ ହେଁ, ଓଡ଼ିଶା ଏଥିରୁ ବିଶେଷ ଲାଭ ପାଇବ, ଏଭଳି ଭାବିବା ଉଚିତ ନୁହେଁ। ଗତ ବଜେଟ ଏଭଳି ଅନୁଭବ ଦେଇଛି। ସେହିଭଳି, ରାଜ୍ୟର ଗରିବ ଲୋକଙ୍କ ହାତକୁ ଅଧିକ ପଇସା ଯିବା ଲାଗି ଏହି ବଜେଟ୍ରେ ବିଶେଷ କୌଣସି ସୁଯୋଗ ନାହିଁ। କରୋନା ପରବର୍ତ୍ତୀ ପରିସ୍ଥିତିରେ ଏହାର ଆବଶ୍ୟକତା ବେଶି ଥିଲା। କେନ୍ଦ୍ର ସରକାର ମନରେଗା ଅନୁଦାନ କମାଇ ଦେଇଥିବା ପରିପ୍ରେକ୍ଷୀରେ ଏ କ୍ଷେତ୍ରରେ ରାଜ୍ୟ ଗତବର୍ଷ ତୁଳନାରେ କମ୍ ପାଇବ। ଏହା ଏକ ଚାହିଦା ଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାର ପ୍ରତ୍ୟେକ୍ଷ ପ୍ରଭାବ ଅନୁଭୂତ ହେବ। ସେହିଭଳି ବାର୍ଦ୍ଧକ୍ୟ ଭତ୍ତା ଆଦି କ୍ଷେତ୍ରରେ ହିତାଧିକାରୀ ବୃଦ୍ଧି ପାଉଥିବା ବେଳେ ଅର୍ଥରାଶି ବୃଦ୍ଧି ପାଇନାହିଁ, ଯାହା ଓଡ଼ିଶା ଭଳି ରାଜ୍ୟ ଅପେକ୍ଷା କରୁଥିଲେ।
ଏଲପିଜି ସବସିଡରେ ହ୍ରାସ ଘଟିବା କାରଣରୁ ମଧ୍ୟବିତ୍ତଙ୍କ ଅର୍ଥନୀତି ଉପରେ ଚୋଟ ପଡ଼ିବ। ବିଶେଷକରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଖାଦ୍ୟ ସବ୍ସିଡି ହ୍ରାସ ଏବଂ ଏଫସିଆଇ ଦ୍ବାରା ଧାନ କିଣା ପ୍ରକ୍ରିୟା କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁ ରାସ୍ତା ଆପଣାଇଲେ ତାହା ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ, ଯେଉଁଠାରେ ସିଂହଭାଗ ଚାଷୀ ଧାନ ଚାଷ ଉପରେ ନିର୍ଭର କରନ୍ତି, ତାହା ସେମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିପାରେ।
କେବଳ ସେତିକି ନୁହେଁ, ଏବେ ଯେଉଁ କ୍ଷେତ୍ରଟି ରାଜ୍ୟ ସରକାରଙ୍କୁ ବେଶି ଆନ୍ଦୋଳିତ କରୁଛି, ତାହା ହେଲା ଗତ କିଛି ବର୍ଷ ଧରି କେନ୍ଦ୍ର ସରକାର ଟିକସ ଉପରେ ଫୋକସ୍ ନ କରି ସେସ୍କୁ ଗୁରୁତ୍ବ ଦେଉଛନ୍ତି। ଏହାଦ୍ବାରା ସେମାନେ ଅଧିକ ଟିକସ ଅର୍ଥ ଟାଣି ନେଉଛନ୍ତି, ଯେଉଁଥିରେ ରାଜ୍ୟର ଭାଗ ନାହିଁ। ଏପଟେ ରାଜ୍ୟ ଅର୍ଥନୀତିରେ କେନ୍ଦ୍ରୀୟ ଯୋଗଦାନ କମୁଛି। ଏଣୁ ଉଭୟ କ୍ଷେତ୍ରରେ ରାଜ୍ୟ କ୍ଷତି ସହୁଛି। ଏହାଦ୍ବାରା ସଂଘୀୟ ବ୍ୟବସ୍ଥା ମଧ୍ୟ ପରାହତ ହେଉଥିବା ଅର୍ଥନୀତିଜ୍ଞମାନେ ମତ ରଖୁଛନ୍ତି। ସେହିଭଳି ସାମାଜିକ ସୁରକ୍ଷା ଯୋଜନା ପାଇଁ ଅଧିକ ଅର୍ଥ ବରାଦ କରାଯାଇନାହିଁ। ଏହା ଫଳରେ ସମାଜର ତଳସ୍ତରର ଲୋକ ପ୍ରଭାବିତ ହେବେ ବୋଲି ଏହି ମହଲ ମତ ରଖୁଛନ୍ତି।
ଏଠାରେ ଉଲ୍ଲେଖଥାଉକି, ଗତକିଛି ବର୍ଷ ଧରି ବଜେଟ୍ରେ କେନ୍ଦ୍ର ସରକାର ରାଜ୍ୟ ସାମ୍ନାରେ ଯେଉଁ ସୁନେଲୀ ସ୍ବପ୍ନ ଆଙ୍କୁଛନ୍ତି, ବର୍ଷ ଶେଷକୁ ତାହାର
ଠିକ୍ ଓଲଟା କଥା ଦେଖିବାକୁ ମିଳୁଛି। ଗତ ପାଞ୍ଚବର୍ଷର ପରିସଂଖ୍ୟାନକୁ ନିରେଖି ଦେଖିଲେ, ଏକଥା ଯେ କେହି ବୁଝିପାରିବ। ଆହୁରି ସ୍ପଷ୍ଟ ଭାବେ କହିଲେ, ୨୦୧୭-୧୮ ଆର୍ଥିକ ବର୍ଷ ପରେ ଅନ୍ୟ କୌଣସି ବର୍ଷ ବଜେଟ୍ରେ ଆକଳନ କରାଯାଇଥିବା ଅର୍ଥ ଓଡ଼ିଶାକୁ ମିଳିନି।
ଗୋଟିଏ ପରିସଂଖ୍ୟାନରୁ ସୂଚନା ମିଳୁଛି ଯେ ୨୦୧୭-୧୮ରେ ମୂଳ ବଜେଟରେ ଓଡ଼ିଶାକୁ କେନ୍ଦ୍ରୀୟ ସୂତ୍ରରୁ ୩୧ ହଜାର ୪୨୧ କୋଟି ୬୭ଲକ୍ଷ ଟଙ୍କା ମିଳିବ ବୋଲି ଆକଳନ କରାଯାଇଥିଲା। ପରେ ସଂଶୋଧିତ ଆକଳନରେ ଏହା ୩୧ ହଜାର ୨୭୨ କୋଟିକୁ ଖସିଆସିଲା। କିନ୍ତୁ ବାସ୍ତବ ଚିତ୍ର ଅତ୍ୟନ୍ତ ସନ୍ତୋଷଜନକ ଥିଲା। ସେବର୍ଷ ରାଜ୍ୟକୁ ମୂଳ ବଜେଟ ଆକଳନ ଠାରୁ ସାମାନ୍ୟ ଅଧିକ ଅର୍ଥାତ୍ ୩୧ ହଜାର ୪୯୯ କୋଟି୮୮ଲକ୍ଷ ଟଙ୍କା ମିଳିଥିଲା।
ଏହାପରଠାରୁ କିନ୍ତୁ କେନ୍ଦ୍ର ସରକାରଙ୍କ ଅର୍ଥନୀତିର ରାସ୍ତା ଅଙ୍କାବଙ୍କା ଧରିଛି। ଏମିତି ଯେ ୨୦୧୮-୧୯ ବଜେଟରେ କେନ୍ଦ୍ର ୩୬ ହଜାର ୫୮୫ କୋଟି ୯୩ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଇଥିଲେ ହେଁ, ସେବର୍ଷ କିନ୍ତୁ ୩୧ ହଜାର ୪୭୭କୋଟି ଦିଆଗଲା। ସେହିଭଳି ୨୦୧୯-୨୦ରେ ମୂଳ ବଜେଟରେ ୩୩ହଜାର ୫୫୯ କୋଟି ୯୫ଲକ୍ଷ ଟଙ୍କା ମିଳିବ ବୋଲି ଗୋଟିଏ ଆଶା ସୃଷ୍ଟି କରାଗଲା। ଅଥଚ ୩୦ ହଜାର ୧୩୬ କୋଟି ଟଙ୍କା ପାଇଲା ରାଜ୍ୟ। ୨୦୨୦-୨୧ ବଜେଟରେ ବି ସ୍ଥିତିରେ ବିଶେଷ ସୁଧାର ଆସିଲା ନାହିଁ। ସେବର୍ଷ ବଜେଟ ବେଳେ ହିସାବ କରାଯାଉଥିଲା ଯେ ରାଜ୍ୟକୁ ୩୬ ହଜାର ୨୯୯ କୋଟି ଟଙ୍କା ମିଳିବ। କିନ୍ତୁ ବାସ୍ତବରେ ୨୮ ହଜାର ୫୦୭ କୋଟି ଟଙ୍କା ପାଇଲା ଓଡ଼ିଶା। ୨୦୨୧-୨୨ ସ୍ଥିତି ତଦ୍ରୁପ। ୩୦ ହଜାର ୧୩୬ କୋଟି ଟଙ୍କାର ବଜେଟ୍ ଆକଳନ ହୋଇଛି ଓ ସଂଶୋଧିତ ଆକଳନରେ ଏହା ୩୩ ହଜାର ୬୯୬କୋଟିକୁ ବଢ଼ିଥିଲେ ବି ଏହାଠାରୁ ଯଥେଷ୍ଟ କମ୍ ଅର୍ଥ ଆସିଛି। ଏସବୁକୁ ଦେଖିଲେ, ୨୦୨୨-୨୩ରେ କେନ୍ଦ୍ର ସରକାର ଟିକିଏ ଅଧିକ ଅର୍ଥ ଦେବେ ବୋଲି ଆଶା ଦେଖାଇଛନ୍ତି। ହେଲେ ବର୍ଷ ଶେଷ ବେଳକୁ ଏହା କିଭଳି ରୂପ ନେବ, ତାହା ଏବେଠାରୁ କୁହାଯାଇପାରିବ ନାହିଁ।