ବଜେଟ୍‌ ୨୦୨୨: ରେକର୍ଡ ଅନୁଦାନ ଦେଲେ ଅଶ୍ବିନୀ; ଓଡ଼ିଶା ରେଳ ପ୍ରକଳ୍ପକୁ ମିଳିଲା ୯,୭୩୪ କୋଟି, ୭୬% ଅଧିକ

ଖୋର୍ଦ୍ଧା-ବଲାଙ୍ଗୀର ସମେତ ୫ ପ୍ରକଳ୍ପକୁ ୫୦୦ କୋଟି, ସବୁ ଖର୍ଚ୍ଚକୁ ମିଶାଇଲେ ୧୦ ହଜାର କୋଟି ଟପିବ

ଭୁବନେଶ୍ବର: ଟିଟିଲାଗଡ-ବିଜୟନଗରମ୍ ତୃତୀୟ ଲାଇନରେ ଆସନ୍ତା ଆର୍ଥିକ ବର୍ଷ ୯୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥକୁ ୮୯୧ କୋଟି ୧୨ଲକ୍ଷ ଟଙ୍କା ମିଳିଛି। ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍‌ ପାଇଁ ହୋଇଛି ୮୦୦ କୋଟିର ଖର୍ଚ୍ଚ ଯୋଜନା। ଝାରୁସୁଗୁଡା-ବିଳାଶପୁର ଚତୁର୍ଥ ଲାଇନର ବିକାଶରେ ୭୧୭ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନେତୃତ୍ବାଧୀନ ରେଳ ମନ୍ତ୍ରାଳୟ ଏହିଭଳି ଭାବେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଓଡ଼ିଶାରେ କେବଳ ଭିତ୍ତିଭୂମି ଓ ନିରାପତ୍ତା ବାବଦରେ ୯୭୩୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରିଛି। ଅନ୍ୟ ଖର୍ଚ୍ଚ ଯେମିତିକି କମ୍ପ୍ୟୁଟରୀକରଣ, କର୍ମଚାରୀ କଲ୍ୟାଣ, ସଫେଇ ଆଦିକୁ ମିଶାଇଲେ ଏହି ପରିମାଣ ୧୦ ହଜାର କୋଟି ଟଙ୍କା ଡେଇଁଯିବ। ଓଡ଼ିଶା ସରକାର ପାଖାପାଖି ୭୬୦୦ କୋଟି ଟଙ୍କାର ପ୍ରସ୍ତାବ କେନ୍ଦ୍ର ସାମନାରେ ରଖିଥିଲେ।

ରେଳବାଇ କ୍ଷେତ୍ରରେ ଏତେ ପରିମାଣର ଅନୁଦାନ ପୂର୍ବରୁ କେବେ ଓଡ଼ିଶାକୁ ମିଳିନଥିଲା। ଏହାକୁ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ଏଥିରେ ନୂଆ ଲାଇନ୍ ପାଇଁ ୧୮୦୬ କୋଟି ୧୦ଲକ୍ଷ ଟଙ୍କା ରହିଛି। ଦୋହରାକରଣ ପାଇଁ ୩୬୪୩କୋଟି ୮୬ ଲକ୍ଷ ଟଙ୍କା ଦିଆଯାଇଛି। ସେହିଭଳି ଟ୍ରାଫିକ୍ ପାଇଁ ୩୪ କୋଟି ୮୩ଲକ୍ଷ, ଲେବଲ୍ କ୍ରସିଂ ପାଇଁ ୨୧କୋଟି ୪୧ଲକ୍ଷ, ଟ୍ରାକ୍ ନବୀକରଣ ପାଇଁ୪୫୬ କୋଟି ୧୪ଲକ୍ଷ, ଓଭରବ୍ରିଜ, ଅଣ୍ଡରପାସ ପାଇଁ ୩୯୬ କୋଟି ୯୮ଲକ୍ଷ, ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟ ପାଇଁ ୩୦୪ କୋଟି ୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଆହୁରି ସ୍ପଷ୍ଟ କରି ଲେଖିଲେ ଗତବର୍ଷ ୨୦୨୧-୨୨ (୫୫୨୮ କୋଟି) ତୁଳନାରେ ଏହା ୭୬ ପ୍ରତିଶତ ଅଧିକ। ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୨୩କୁ ବିଚାରକୁ ନେଲେ ରେଳ ବଜେଟ ଅନୁଦାନ କ୍ଷେତ୍ରରେ ୬୦୧ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଉଛି। ଅର୍ଥାତ୍ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ସମୟରେ ରେଳବାଇରେ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାର ସମୟରେ ବାର୍ଷିକ ହାରାହାରି ୫୦୩୮ କୋଟି ଟଙ୍କା ମିଳୁଥିବା ରେକର୍ଡ କହୁଛି। ସଂପ୍ରତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ବିଜେଡ଼ି-ବିଜେପି ଭୋଟରେ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଏଣୁ ସ୍ବାଭାବିକ ଭାବେ ଓଡ଼ିଶା ତାଙ୍କଠଆରୁ ଅଧିକ ଆଶା କରୁଥିଲା। କିନ୍ତୁ ପରିସଂଖ୍ୟାନ ଆହୁରି କହୁଛି ଯେ ପଶ୍ଚିମବଙ୍ଗ (୧୦୨୬୨ କୋଟି) ଓଡ଼ିଶା ତୁଳନାରେ ଅଧିକ ପାଇଛି। ଉତ୍ତରପ୍ରଦେଶ କ୍ଷେତ୍ରରେ ରେଳ ଅନୁଦାନ ପରିମାଣ ସବୁଠାରୁ ଅଧିକ (୧୪ ହଜାର ୭୬୧ କୋଟି)। ଓଡ଼ିଶା ପାଇଁ କୌଣସି ଆଖିଦୃଶିଆ ପ୍ରକଳ୍ପ ଘୋଷଣା କ୍ଷେତ୍ରରେ କିନ୍ତୁ ଅଶ୍ବିନୀ ଆଗ୍ରହ ଦେଖାଇନାହାନ୍ତି।

ଖୋର୍ଦ୍ଧା-ବଲାଙ୍ଗୀର ସମେତ ୫ ପ୍ରକଳ୍ପକୁ ୫୦୦ କୋଟି
ସବୁ ଖର୍ଚ୍ଚକୁ ମିଶାଇଲେ ୧୦ ହଜାର କୋଟି ଟପିବ
କେବଳ ପୂର୍ବତଟ ପାଇଛି ୯,୨୫୪ କୋଟି
ପଶ୍ଚିମବଙ୍ଗ ତୁଳନାରେ ଓଡ଼ିଶାକୁ କମ୍
ଅର୍ଥ, ଉତ୍ତରପ୍ରଦେଶକୁ ସର୍ବାଧିକ

ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ, ଯାହାର କି ରେଳ ବଜେଟ୍ ଗୋଟିଏ ଅଂଶ ଥିଲା। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ରେଳ ମନ୍ତ୍ରାଳୟ କେଉଁ ପ୍ରକଳ୍ପକୁ କେତେ ଅର୍ଥ ବରାଦ ହୋଇଛି; ସେ ନେଇ ସରକାରୀ ଭାବେ କିଛି ତଥ୍ୟ ଦେଇନାହିଁ। କିନ୍ତୁ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ତଥ୍ୟ କହୁଛି ଯେ ଓଡ଼ିଶା ପାଇଁ ଯେଉଁ ଅର୍ଥ ବରାଦ ହୋଇଛି, ସେ ମଧ୍ୟରୁ ପୂର୍ବତଟ ରେଳପଥକୁ କେବଳ ୯୨୫୪ କୋଟି ଟଙ୍କା ଦିଆଯାଇଛି। ଏହା ମଧ୍ୟ ଏକ ରେକର୍ଡ।
କେନ୍ଦ୍ର ସରକାରଙ୍କ ବଜେଟ୍ କହୁଛି ଯେ ନୂଆ ରେଳପଥ ବା କାର୍ଯ୍ୟ ଜାରି ରହିଥିବା ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗୀରକୁ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ପ୍ରକଳ୍ପକୁ ୨୦୨୪ ପୂର୍ବରୁ ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତାକୁ ଛାଡି ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି,
ତାଳଚେର-ବିମଳାଗଡକୁ ୨୫୦କୋଟି, ଜୟପୁର-ମାଲକାନଗିରିକୁ ୧୩କୋଟି ୮୦ ଲକ୍ଷ, ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ୮୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନୂଆପଡ଼ା-ଗୁଣୁପୁରରୁ ଥେରୁବାଲିକୁ ସଂପ୍ରସାରିତ ରେଳପଥରେ ଆସନ୍ତାବର୍ଷ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ପାଇଁ ବଜେଟରେ ୧ହଜାର ଟଙ୍କାର କେବଳ ଟୋକନ୍ ବ୍ୟବସ୍ଥା ହୋଇଛି। ସେହିଭଳି ତାଳଚେର-ଅନୁଗୁଳରେ (ଵାଇ କନକେସନ୍) ପାଇଁ ୧୮ଲକ୍ଷ, ରୁପସା-ବାଙ୍ଗିରିପୋଷିକୁ ୧କୋଟି, ଦୀଘା ଜଳେଶ୍ବରକୁ ଏବଂ କିରିବୁର-ବଡବିଲକୁ ୧ହଜାର ଟଙ୍କା ଲେଖାଏଁ ଦିଆଯାଇଛି।

ଦୋହରାକରଣ କ୍ଷେତ୍ରରେ ସମ୍ବଲପୁର-ତାଳଚେର ୧୭୨ କୋଟି ୫୦ ଲକ୍ଷ ଟଙ୍କା ପାଇଛି। ସେହିଭଳି ସମ୍ବଲପୁର-ଟିଟିଲାଗଡକୁ ୯୯.୫୩ କୋଟି, ବାଂଶପାଣି-ଦୈତାରି-ଟମକା-ଯଖପୁରାକୁ ୩୦୦କୋଟି, ବୃନ୍ଦାମାଳ-ଝାରସୁଗୁଡା ଫ୍ଲାଇଓଭର ସଂଯୋଗୀକରଣ ପାଇଁ ୪୦ କୋଟି ୫୦ଲକ୍ଷ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ପାଇଁ ୩୫୧ କୋଟି, ଜରପଡା-ବୁଢାପଙ୍କ ପାଇଁ ୪୧୭ କୋଟି, ବୁଢାପଙ୍କ-ସାଲେଗାଁ ୫୧୦ କୋଟି, କୋରାପୁଟ-ସିଙ୍ଗାପୁର ୩୬୩ କୋଟି, ଜଗଦଳପୁର-କୋରାପୁଟ ୨୪୮ କୋଟି ୭୫ଲକ୍ଷ, କୋଟଭାଲ୍‌ସା-କୋରାପୁଟକୁ ୩୪୮.୯୪ କୋଟି, ରାୟପୁର-ଟିଟିଲାଗଡ ପାଇଁ ୩୬୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି।

ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୧୬୪ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ବାଘୁଆ ପାଳ ଫ୍ଲାଇଓଭରକୁ ୧୫ କୋଟି ଦିଆଯାଇଛି। ମନୋହରପୁର-ବନ୍ଧମୁଣ୍ଡା ତୃତୀୟ ଲାଇନକୁ ୧୪ କୋଟି ୩୫ଲକ୍ଷ, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନକୁ ୧୨୦ କୋଟି, ବନ୍ଧମୁଣ୍ଡା-ରାଞ୍ଚି ଦୋହରାକରଣ ୪୦୦ କୋଟି, ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନକୁ ୨୨କୋଟି, ଚମ୍ପା-ଝାରସୁଗୁଡା ତୃତୀୟ ଲାଇନକୁ ୫୪.୫ କୋଟି, ଚମ୍ପାଝରନ୍-ବିମଳାଗଡ ୨୧ କିଲୋମିଟର ଦୋହରାକରଣ ଲାଗି ୮କୋଟି ଦେଇଛି ମନ୍ତ୍ରାଳୟ। ଖୋର୍ଦ୍ଧା ରୋଡ-ବିଜୟନଗରମ୍ ବାଇପାସକୁ ୪ କୋଟି ୧୮ଲକ୍ଷ, ଝାରସୁଗୁଡା-ରେଙ୍ଗାଳି ପାଇଁ ୧୫ଲକ୍ଷ, ଭଦ୍ରକ -ବିଜୟନଗରମ୍ ତୃତୀୟ ଲାଇନ୍ ବାଲାନ୍ସ ପାଇଁ ୧କୋଟି, ରାଉରକେଲା-ବନ୍ଧମୁଣ୍ଡା ଏ କ୍ୟାବିନ୍ ପଞ୍ଚମ ଲାଇନ୍ ପାଇଁ ୫କୋଟି, ଝାରସୁଗୁଡା-ବିଳାଶପୁର ଫ୍ଲାଇଓଭର (ବାଇପାସ୍) ପାଇଁ ୧କୋଟି ଟଙ୍କା ଦିଆଯାଇଛି। ଏହାବ୍ୟତୀତ ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋସେଡ୍‌ର କ୍ଷମତା ବୃଦ୍ଧି( ୧୫୦ ଇଞ୍ଜିନ), ମାନେଶ୍ବରରେ ଥିବା ମାଲଗାଡି ରକ୍ଷଣାବେକ୍ଷଣ ସୁବିଧା ଓ କଳାହାଣ୍ଡିରେ ଇଲେକ୍ଟ୍ରିକ୍ ଇଞ୍ଜିନ୍ ସାମଗ୍ରିକ ମରାମତି ପ୍ରକଳ୍ପ ପାଇଁ ଅର୍ଥ ଦିଆଯାଇଛି।

ସମ୍ବନ୍ଧିତ ଖବର