ଭୁବନେଶ୍ବର : କୋଭିଡ୍ ଯୋଗୁଁ ରାଜ୍ୟ ଅର୍ଥନୀତି ଉପରେ ଯେଉଁ ସଙ୍କଟ ମାଡ଼ି ଆସିଛି, ତାହାର ପ୍ରଭାବ ଜଳ ଜଳ। ରାଜ୍ୟର ନିଜସ୍ବ ଟିକସ ଓ ଅଣଟିକସ ରାଜସ୍ବ କମିବ ବୋଲି ସରକାର ଆକଳନ କରୁଛନ୍ତି। ଏବେ ଚତୁର୍ଥ ଲହର ମାଡ଼ି ଆସୁଥିବା ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ଏହା ସତ୍ତ୍ବେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଖଣି ସୂତ୍ରରୁ ଗୋଟିଏ ବଡ଼ ପରିମାଣର ଅର୍ଥ ମିଳିବ ବୋଲି ଆଶା ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ଦିନ ୨୦୨୨-୨୩ ବର୍ଷ ଲାଗି ୨ଲକ୍ଷ କୋଟି ବିଶାଳ ବଜେଟ୍ର ପୂର୍ଣ୍ଣାଙ୍ଗ ରୂପରେଖ ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏହା ପାଖାପାଖି ୧୭.୬% ଅଧିକ।
ଚଳିତ ବଜେଟ୍ରେ କାର୍ଯ୍ୟକ୍ରମ ଖର୍ଚ୍ଚକୁ ୩୩% ବୃଦ୍ଧି କରାଯାଇ ୧ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି, ଯାହା ମୋଟ ବଜେଟ୍ ଅଟକଳର ୫୦%। ପୁଞ୍ଜି ଖର୍ଚ୍ଚ ୫୬% ବୃଦ୍ଧି କରାଯାଇ ୩୮ ହଜାର ୭୩୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ସାମାଜିକ କ୍ଷେତ୍ରରେ ମୋଟ ବ୍ୟୟ ବରାଦର ୩୪% ଅର୍ଥ ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଅର୍ଥନୈତିକ କ୍ଷେତ୍ରରେ ଏହାର ପରିମାଣ ୩୨% ରହିଛି। ଅର୍ଥମନ୍ତ୍ରୀ ଦାବି କରିଛନ୍ତି ଯେ ବଜେଟ୍ରେ ହୋଇଥିବା ମୋଟ ବ୍ୟୟବରାଦର ୬୬% ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହେବ।
ବଜେଟ୍ ଆକାର ୧୭.୬% ବଢ଼ିଲା
ବିକାଶ ପାଇଁ ଖର୍ଚ୍ଚ ହେବ ୬୬% ଅର୍ଥ
ଦେଶରେ ପ୍ରଥମ; ବଜେଟ୍ରେ ସ୍ଥିରତା ପାଇଁ ୧୦ ହଜାର କୋଟିର ପାଣ୍ଠି
ମିସନ ଶକ୍ତି ବିଭାଗକୁ ୨୦୦୦ ହଜାର କୋଟି
ମନରେଗା କର୍ପସ ଫଣ୍ଡ ୧୦୦୦ କୋଟିକୁ ବଢ଼ିଲା
ଶ୍ରମିକ ପ୍ରବାସ ରୋକିବାକୁ ୫୦୦ କୋଟି
ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୭ହଜାର ୩୨୪ କୋଟି
ସ୍ବାସ୍ଥ୍ୟ କ୍ଷେତ୍ରରେ ୧୨ହଜାର ୬୨୪ କୋଟି
ପାନୀୟ ଜଳଯୋଗାଣ ପାଇଁ ୮୩୮୯ କୋଟି
ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ବିଶେଷ ଗୁରୁତ୍ବ
ଏ କ୍ଷେତ୍ରରେ ଚିହ୍ନଟ ଯୋଜନାରେ ୩୨, ୫୯୬ କୋଟି ଖର୍ଚ୍ଚ ହେବ
ରାଜସ୍ବ ବଳକା ୧୮ ହଜାର ୨୩୯ କୋଟି, ବିତ୍ତୀୟ ନିଅଣ୍ଟ ପରିମାଣ ୨୧ ହଜାର ୫୮୮ କୋଟି
ସଂପତ୍ତି ସୃଷ୍ଟି ପାଇଁ ଖର୍ଚ୍ଚ ହେବ ୩୮ହଜାର ୭୩୨ କୋଟି
ଶ୍ରୀ ପୂଜାରୀ କହିଛନ୍ତି ଯେ କେନ୍ଦ୍ରୀୟ ସହାୟତା ଉପରେ ଓଡ଼ିଶାର ନିର୍ଭରଶୀଳତା କମିଛି। ଯଦିଓ ରାଜ୍ୟର ନିଜର ରାଜସ୍ବ ପ୍ରାପ୍ତି କ୍ଷେତ୍ରରେ ୨୦୨୧-୨୨ ସଂଶୋଧିତ ବଜେଟ୍ ଅଟକଳ ( ୬୦.୮୬%) ତୁଳନାରେ ମୋଟ ରାଜସ୍ବ ୫୭.୪୫% ( ନିଜସ୍ବ ଟିକସ ୨୮.୦୫%+ ନିଜସ୍ବ ଅଣଟିକସ ରାଜସ୍ବ ୨୯.୪୦%)କୁ କମିବ, ତଥାପି ସରକାର ବେଶ୍ ଆଶାବାଦୀ ଅଛନ୍ତି। ବଜେଟ୍ରେ କୁହାଯାଇଛି ଯେ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୬.୪% ହେଉଛି ନିଜ ଟିକସ। ଅନ୍ୟପକ୍ଷରେ ରାଜ୍ୟ ବଜେଟ୍ରେ ସମୁଦାୟ କେନ୍ଦ୍ରୀୟ ସ୍ଥାନାନ୍ତର ୨୦୨୧-୨୨ ସଂଶୋଧିତ ଅଟକଳ (୩୯.୧୪%) ଅନୁସାରେ ସାମାନ୍ୟ ବୃଦ୍ଧି ପାଇବ। ଉପସ୍ଥାପିତ ପୂର୍ଣ୍ଣାଙ୍ଗ ଚିଠା ବଜେଟ୍ରେ କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ୨୨.୫୫% ଏବଂ କେନ୍ଦ୍ରୀୟ ଅନୁଦାନ ୨୦% ରହିବ ବୋଲି ଅଟକଳ କରାଯାଇଛି।
ଏସବୁକୁ ମିଶାଇ ସରକାର ଅଟକଳ କରିଛନ୍ତି ଯେ ଚଳିତବର୍ଷ ପ୍ରଶାସନିକ ଖର୍ଚ୍ଚ ବାବଦରେ ୮୯ ହଜାର ୫୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧ଲକ୍ଷ କୋଟି, ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠିରୁ ଖର୍ଚ୍ଚର ପରିମାଣ ୩୨୧୦ କୋଟି ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ହସ୍ତାନ୍ତରିତ ହେଉଥିବା ଅର୍ଥର ଖର୍ଚ୍ଚ ପରିମାଣ ୭୨୦୦ କୋଟି ଟଙ୍କା ରହିବ। ବର୍ଷ ଶେଷକୁ ରାଜସ୍ବ ବଳକା ୧୮ ହଜାର ୨୩୯ କୋଟି (ଜିଏସ୍ଡିପିର ୨.୫%) ହେବ। ହେଲେ ବିତ୍ତୀୟ ନିଅଣ୍ଟ ବି ୨୧ହଜାର ୫୮୮ କୋଟି (ଜିଏସ୍ଡିପିର ୩%) ରହିବ।
ରାଜ୍ୟ ବଜେଟ୍ରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୧୩ଟି ନୂଆ କଥା ରଖିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏକ ବଜେଟ୍ ଷ୍ଟାବିଲାଇଜେସନ୍ ଫଣ୍ଡ ବା ବଜେଟ୍ ସ୍ଥିରୀକରଣ ପାଣ୍ଠି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୦ହଜାର କୋଟି ଟଙ୍କାର ଏକ କର୍ପସ ସହିତ ଏହି ପାଣ୍ଠି ସୃଷ୍ଟି କରାଯାଇଛି। ଯେହେତୁ ରାଜ୍ୟର ଆୟ ମୁଖ୍ୟତଃ ଖଣିଜ ସଂପଦ ଉପରେ ନିର୍ଭରଶୀଳ ଏବଂ ଖଣିଜ ଧାତୁର ମୂଲ୍ୟ ଓ ଅନ୍ୟ ରାଜସ୍ବ ଉତ୍ସର ଅନିଶ୍ଚିତତା ରହିଛି; ଏହି ପାଣ୍ଠି ବଜେଟ୍ ଉପରେ ସମ୍ଭାବ୍ୟ ବିପଦକୁ ପ୍ରଶମନ କରିବାରେ ସହଯୋଗ କରିବ।
ସେହିଭଳି ନୂଆ କରି ସୃଷ୍ଟି ହୋଇଥିବା ମିସନ ଶକ୍ତି ବିଭାଗ ପାଇଁ ୨ହଜାର କୋଟିର ଅର୍ଥ ବରାଦ କରାଯାଇଛି। ମନରେଗାରେ ଠିକ୍ ସମୟରେ ମଜୁରୀ ପ୍ରଦାନ ଲାଗି ସରକାର ଏ କ୍ଷେତ୍ରରେ ଥିବା କର୍ପସ ପାଣ୍ଠିର ପରିମାଣକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ସଙ୍କଟକାଳରେ ଶ୍ରମିକ ପ୍ରବାସ ରୋକିବା ଲାଗି ମନରେଗାରେ ରାଜ୍ୟ ସହାୟତା ବାବଦରେ ୫୦୦ କୋଟିର ବ୍ୟବସ୍ଥା କରାଯାଇଛି। ନୂତନ ଯୋଜନା ସିଡ୍ବି କ୍ଲଷ୍ଟର ବିକାଶ ପାଣ୍ଠି ଅଧୀନରେ ଏକ ନରମ ଋଣ ଭାବେ ୨୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ରାଜ୍ୟ ଶିଳ୍ପ ଏବଂ ଏମ୍ଏସ୍ଏମ୍ଇ ବିକାଶକୁ ପ୍ରୋତ୍ସାହିତ କରିବ।
ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ଦୃଶ୍ୟପଟ୍ଟକୁ ପରିବର୍ତ୍ତନ ପାଇଁ ୫ଟି ହାଇସ୍କୁଲ ରୂପାନ୍ତରୀକରଣ ଯୋଜନା ଅଧୀନରେ ୧୦୦ କୋଟି, ଦୁର୍ଗମ ଅଞ୍ଚଳକୁ ଅଣସଂଯୁକ୍ତ ଗ୍ରାମକୁ ସଂଯୋଗ ପାଇଁ ୧୫୦ କୋଟି ଟଙ୍କା, ସଡ଼କ ସଂଯୋଗୀକରଣ ପାଇଁ ୧୫୦ କୋଟି, ସଡ଼କ ଉନ୍ନୟନ ପାଇଁ ୩୪୦ କୋଟି, ସମଗ୍ର ରାଜ୍ୟରେ ଚେକ୍ ଡ୍ୟାମ୍ ବା ବ୍ରିଜ୍ କମ୍ ଵିୟର୍ସ ନିର୍ମାଣ ପାଇଁ ୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ବୈଦ୍ୟୁତିକ ଯାନ ନୀତିର କାର୍ଯ୍ୟକାରିତା ପାଇଁ ୫୦ କୋଟିର ସବ୍ସିଡି ବ୍ୟବସ୍ଥା କରାଯାଇଥିବା ବେଳେ ଉଭୟ ସାମୁଦ୍ରିକ ଏବଂ ଆଭ୍ୟନ୍ତରୀଣ କ୍ଷେତ୍ରରେ ମତ୍ସ୍ୟ ଚାଷ ଭିତ୍ତିଭୂମି ସୃଷ୍ଟି ପାଇଁ ୨୫ କୋଟି ବ୍ୟୟବରାଦ କରାଯାଇଛି। ସ୍ଥାନୀୟ ଜୀବିକା ପାଇଁ ନୂତନା ଯୋଜନା ସ୍ବରୂପ କଫି ବୃକ୍ଷରୋପଣ ଲାଗି ୧୦ କୋଟିର ବ୍ୟବସ୍ଥା କରାଯାଇଛି।
୨୦୨୪ର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜ ସପକ୍ଷରେ ଗୋଟିଏ ବାତାବରଣ ସୃଷ୍ଟି ଲାଗି ବଜେଟ୍ରେ ଭରପୂର ଉଦ୍ୟମ କରିଛନ୍ତି। କୃଷି ବଜେଟ୍ର ଆକାର ୨୧ହଜାର ୧୬୬ କୋଟି ଧାର୍ଯ୍ୟ ହୋଇଛି ଏବଂ ସବୁ ପ୍ରମୁଖ ଯୋଜନାରେ ଅଧିକ ଅର୍ଥ ବରାଦ କରିଛନ୍ତି। ଅତି ସଂକ୍ଷେପରେ କହିବାକୁ ଗଲେ, ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୨୭ ହଜାର ୩୨୪ କୋଟି, ସ୍ବାସ୍ଥ୍ୟ କ୍ଷେତ୍ରରେ ୧୨ହଜାର ୬୨୪ କୋଟି, ବସୁଧା ଏବଂ ଜଳ ଜୀବନ ମିସନ ଅର୍ଥାତ୍ ପାଇପ ଯୋଗେ ଜଳଯୋଗାଣ ପାଇଁ ୮୩୮୯ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ଚିହ୍ନଟ ହୋଇଥିବା ଯୋଜନା ବାବଦରେ ୩୨ ହଜାର ୫୯୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ।
ମୋଟାମୋଟି ଭାବେ କହିବାକୁ ଗଲେ ବଜେଟ୍ ଏକଥା ସୂଚାଉଛି ଯେ ସାଧାରଣ ଲୋକଙ୍କ ଆଖିରେ ଏକ ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟର ମାନ୍ୟତା ପାଇବା ପାଇଁ ଓ ନୂଆ ଓଡ଼ିଶା ଗଠନ ଦିଗରେ ସରକାର ଏବେ ବି ଅଟଳ ଅଛନ୍ତି। କୋଭିଡ୍ ସରକାରଙ୍କୁ ଏ ଦିଗରେ ଲକ୍ଷ୍ୟଚ୍ୟୁତ କରିପାରିନାହିଁ।
ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଚାରିମାସ ଲାଗି କାମଚଳା ବଜେଟ୍ ଉପସ୍ଥାପନ କରାଯାଇଥିଲା।