ବଜେଟ୍‌ ବଢ଼ୁଛି, ବିକାଶ କାହିଁ?

ବଦଳୁନି ମୌଳିକ କ୍ଷେତ୍ରର ବିକଳ ଚିତ୍ର
କାର୍ଯ୍ୟକାରିତାର ବି ସମୀକ୍ଷା ହେଉନି
ମତାମତ, ଚର୍ଚ୍ଚା, ଆଲୋଚନା ଧର୍ମକୁ ଆଖିଠାର

ଭୁବନେଶ୍ୱର : ବର୍ଷକୁ ବର୍ଷ ବଢୁଛି ରାଜ୍ୟ ବଜେଟ୍‌ ଆକାର। ହେଲେ ରାଜ୍ୟର ବିକାଶର ନକ୍ସାରେ ଅନୁରୂପ ପରିବର୍ତ୍ତନ ଲକ୍ଷ୍ୟ କରାଯାଉନାହିଁ କାହିଁକି? ରାଜ୍ୟ ସରକାର ବଜେଟ୍‌ରେ ଯେଉଁ ଅନୁଦାନ ଦେଉଛନ୍ତି, ଯାହା ଘୋଷଣା କରୁଛନ୍ତି, ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ତାହାର ରିପୋର୍ଟ କାର୍ଡ ପ୍ରସ୍ତୁତ ହେଉଛି କି? କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ପ୍ରକଳ୍ପ ବା ଯୋଜନାରୁ କି ଫାଇଦା ମିଳିଲା, କେତେ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଲା, କେତେ ଲୋକ ଏଥିରୁ ଲାଭ ପାଇଲେ, ଏସବୁର ତୃତୀୟ ପକ୍ଷ ଅଡିଟ୍‌ କରାଯାଉଛି?

୨୦୧୮-୧୯ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ବେଳେ ରାଜ୍ୟର ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞଙ୍କୁ ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କଲାଣି। ବିଭିନ୍ନ ସ୍ତରରେ ଚାଲିଥିବା ପ୍ରାକ୍‌ ବଜେଟ୍‌ ଆଲୋଚନା ତଥ୍ୟ ରାଜ୍ୟର ବିକଳ ଚିତ୍ର ଉପସ୍ଥାପନ କରୁଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ନେଇ ତର୍ଜମା ବି ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ବିଧାନସଭାରେ ଉପସ୍ଥାପନ ହେବ। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଓ୍ଵବ୍‌ସାଇଟ୍‌ ଜରିଆରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲର ମତାମତ ଲୋଡିଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ବିଚାର ବିମର୍ଶ ଚଳାଇଛନ୍ତି। ହେଲେ ବିଡ଼ମ୍ବନାର କଥା ହେଉଛି, ୨୦୧୮-୧୯ ବଜେଟ୍‌ ପ୍ରସ୍ତୁତି ପାଇଁ ବିଭିନ୍ନ ବିଭାଗ ସେମାନଙ୍କ ପ୍ରସ୍ତାବ ଇତିମଧ୍ୟରେ ପ୍ରସ୍ତାବ ପଠାଇସାରିଲେଣି। କେବଳ ସେତିକି ନୁହେଁ, ଅର୍ଥ ବିଭାଗ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗ ସମେତ ଅନ୍ୟ ବିଭାଗ ସହିତ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇସାରିଲେଣି। ଆସନ୍ତା ୧୦ ତାରିଖ ସୁଦ୍ଧା ମତ ଦେବାକୁ ସରକାର ସମୟ ଦେଇଥିବା ବେଳେ, ଏସବୁ ପ୍ରସ୍ତାବ କେବେ ତର୍ଜମା ହେବ ଓ ସରକାର ମତ ଗ୍ରହଣ କରିବେ, ତାହା ସମସ୍ତଙ୍କୁ ଆଚମ୍ବିତ କଲାଣି।

କୌତୂହଳର କଥା ହେଉଛି, ସରକାର ମତ ଲୋଡିବା ପାଇଁ ଯେତିକି ଆଗ୍ରହ ଦେଖାଉଛନ୍ତି, ସାଧାରଣ ଲୋକଙ୍କ ପରାମର୍ଶ ମଧ୍ୟରୁ କେତୋଟି ବଜେଟ୍‌ରେ ସ୍ଥାନ ପାଇଲା, ସେ ନେଇ କିନ୍ତୁ ଠୋସ୍‌ ତଥ୍ୟ ଦେଉନାହାନ୍ତି।

ପୂର୍ବରୁ ମନ୍ତ୍ରୀମାନେ ବଜେଟ୍‌ ପ୍ରସ୍ତୁତି ନେଇ ଖୋଲା ଅସନ୍ତୋଷ ରଖିସାରିଛନ୍ତି। ମନ୍ତ୍ରୀ ପରିଷଦକୁ ବଜେଟ୍‌ ପୁସ୍ତିକା ଅନୁମୋଦନ ହେବା ଲାଗି ଆସିବା ଆଗରୁ ସେମାନଙ୍କ ସହିତ କେହି ବିଶଦ ଆଲୋଚନା କରୁନଥିବା ନେଇ ମନ୍ତ୍ରୀମାନେ ଅଭିଯୋଗ କରିଆସୁଛନ୍ତି। ନିଜ ବିଭାଗର ସଚିବ ସେମାନଙ୍କ ପରାମର୍ଶ ଅନୁସାରେ ପ୍ରସ୍ତାବ ଦେଉନାହାନ୍ତି, ମୁଖ୍ୟମନ୍ତ୍ରୀ ବି ଏ ନେଇ ଆନ୍ତରିକତା ପ୍ରକଟ କରୁନାହାନ୍ତି। ଫଳରେ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ଅମଲାତାନ୍ତ୍ରିକ ହୋଇଯାଇଥିବା ଅଭିଯୋଗ ବଢିବାରେ ଲାଗିଛି।

ରାଜ୍ୟ ସରକାର ବାରମ୍ବାର ଘୋଷଣା କରୁଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ପ୍ରାକ୍‌ ବଜେଟ୍‌ ଆଲୋଚନା ବେଳେ ଯେଉଁ ତଥ୍ୟ ଆସୁଛି, ତାହା ଯେତିକି ସାଂଘାତିକ, ସେତିକି ଚିନ୍ତାଜନକ। ପରିସଂଖ୍ୟାନ କହୁଛି, ୯.୩ ପ୍ରତିଶତ ବିଦ୍ୟାଳୟ ଗୋଟିଏ ଶ୍ରେଣୀ ଗୃହରେ ଚାଲୁଛି। ୩.୬ ପ୍ରତିଶତ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ୭୦ ପ୍ରତିଶତ ବିଦ୍ୟାଳୟରେ ନିଜସ୍ୱ ଖେଳ ପଡ଼ିଆଟିଏ ନାହିଁ। ଶିକ୍ଷକଙ୍କ ଦରମା ପାଇଁ ବାର୍ଷିକ ୭,୨୫୦ କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି ୫,୫୦୦ଟଙ୍କା। ରାଜ୍ୟରେ ବର୍ଷକୁ ୯୦୦୦ ଶିକ୍ଷକ ପଦବି ଖାଲି ହେଉଥିବା ବେଳେ ପୂରଣ ହେଉଛି ମାତ୍ର ୪,୬୦୦। ଏହି ଚିତ୍ର ସୂଚାଉଛି, ରାଜ୍ୟର ଶିକ୍ଷାର ଗତି କୁଆଡେ? ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ପ୍ରତି ପିଲା ପିଛା ବାର୍ଷିକ ୧୭,୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। କେନ୍ଦ୍ର ସରକାର କିନ୍ତୁ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ପ୍ରତି ପିଲାଙ୍କ ପାଇଁ ୩୨,୨୩୬ ଟଙ୍କା ଖର୍ଚ୍ଚ କରୁଛନ୍ତି।

ସେହିଭଳି ଗ୍ରାମୀଣ ଓଡ଼ିଶାରେ ପାଇଖାନା ସୁବିଧା ହାର ଦେଶରେ ଥିବା ଜାତୀୟ ହାର ଠାରୁ ଢେର କମ ଅଛି । ୨୦୧୧ ଜନଗଣନା ଅନୁସାରେ, ଗ୍ରାମାଞ୍ଚଳର ୪୪.୭୧ ଲକ୍ଷ ପରିବାର ପାଖରେ ପାଇଖାନା ସୁବିଧା ନାହିଁ। ୨୦୧୯ ସୁଦ୍ଧା ରାଜ୍ୟକୁ ୧୦୦ ପ୍ରତିଶତ ଖୋଲା ମଳମୁକ୍ତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ହାସଲ ନିମନ୍ତେ ଆହୁରି ୫ ହଜାର ୪ ଶହ କୋଟି ଟଙ୍କାର ଆବଶ୍ୟକତା ରହିଛି। ଆଉ ଦୁଇଟି ଆର୍ଥିକ ବର୍ଷ ଭିତରେ ଏତେ ଅର୍ଥ କିଭଳି ବରାଦ ହେବ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଲାଣି। ଯେତିକି ପାଇଖାନା ହୋଇଛି, ସେ ମଧ୍ୟରୁ କେତେ ପ୍ରତିଶତ ଲୋକେ ବ୍ୟବହାର କରୁଛନ୍ତି, ତାହା ମଧ୍ୟ ସ୍ୱତନ୍ତ୍ର ତଦନ୍ତର ଆବଶ୍ୟକ ରଖୁଛି।

କୃଷି କ୍ଷେତ୍ରରେ ନିଯୁକ୍ତି ହାର ଅଧିକ ଥିବା ବେଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦରେ କୃଷି ଅନୁପାତ ମାତ୍ର ୧୫% ରହିଛି। ଏହାଦ୍ୱାରା ଚାଷୀ ଓ ଚାଷର ବିକାଶ କ୍ଷେତ୍ର କେତେ ଅବହେଳିତ ତାହା ସହଜେ ଅନୁମେୟ। ରାଜ୍ୟର ପ୍ରାୟ ଶତକଡା ୭୪ ଭାଗ ଚାଷ ଜମି ଅଣ ଜଳସେଚିତ। ରାଜ୍ୟ ସରକାର କିନ୍ତୁ ୩୫ ପ୍ରତିଶତ ଜଳସେଚନ ଲକ୍ଷ୍ୟ ରଖି ଦୀର୍ଘ ୧୧ ବର୍ଷ ହେଲା କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏହି ଲକ୍ଷ୍ୟ କେବେ ହାସଲ ହେବ, ସର୍ବୋପରି ମହାନଦୀ ମହାବିବାଦ ପ୍ରସଙ୍ଗକୁ ନେଇ ସରକାର ହଲାପଟା ହେଉଥିବା ବେଳେ ଏହି ନଦୀ ଉପରେ ନୂଆ ଡ୍ୟାମ୍‌, ବ୍ୟାରେଜ୍‌ ନିର୍ମାଣ ନେଇ ଯୋଜନା ଅଛି ନା ନାହିଁ, ତାହାର ସାମାନ୍ୟ ସୂଚନା ମିଳୁନାହିଁ। ରାଜ୍ୟରେ ପ୍ରାୟ ୭୦ ପ୍ରତିଶତ କୃଷି ସଂପ୍ରସାରଣ ଅଧିକାରୀ ପଦବି ଖାଲି ରହିଥିବା ପରିପ୍ରେକ୍ଷୀରେ କୃଷିର ବିକାଶ କିଭଳି ହେବ ତାହା ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ। ଆଳୁ ମିସନ, ପିଆଜ ମିସନର ଭାଗ୍ୟ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଅପ୍ରାସଙ୍ଗିକ ନୁହେଁ।

ଏଠାରେ ପ୍ରକାଶଥାଉକି, ଚତୁର୍ଥ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ଇସ୍ତାହାର ମଧ୍ୟରୁ କେତେ ପୂରଣ ହେଲା, ତାହାର ସମୀକ୍ଷା କରୁଛନ୍ତି। ମାତ୍ର ବଜେଟ୍‌ ପୁସ୍ତିକାରେ ଘୋଷଣାର ବାସ୍ତବତା ନେଇ କାହାର ଗୁରୁତ୍ୱ ନାହିଁ। କେତେ ପ୍ରତିଶତ ଅର୍ଥ ଖର୍ଚ୍ଚ ହେଲା, ସେ ନେଇ ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ ଗୁରୁତ୍ୱାରୋପ କରୁଥିଲେ, ବାସ୍ତବ ସ୍ଥିତିଟି କଣ, ସେ ନେଇ କେହି ଯାଞ୍ଚ କରୁନାହାନ୍ତି। ଏପରିସ୍ଥଳେ ରାଜ୍ୟର ବିକାଶର ନକ୍ସା ମଳିନ ଦିଶିବନି?

ସମ୍ବନ୍ଧିତ ଖବର