ଏଥର ଡିଜିଟାଲ୍ ବଜେଟ୍ : ଆଇପ୍ୟାଡରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ, ଆପ୍‌ ମାଧ୍ୟମରେ ଲୋକେ ପଢିପାରିବେ

ଭୁବନେଶ୍ୱର : ଆଉ ଅଳ୍ପ ସମୟ ପରେ ଓଡ଼ିଶା ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବେ । ଅନେକ ଦୃଷ୍ଟିକୋଣରୁ ଏଥରର ବଜେଟ ସ୍ୱତନ୍ତ୍ର ହେବ । ଅନ୍ୟପ୍ରକାରେ କହିଲେ ଏଥରର ବଜେଟକୁ ହାଇଟେକ ବଜେଟ କୁହାଯାଇପାରେ । ପ୍ରଥମତଃ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଇ-ପ୍ୟାଡ୍‌ ମାଧ୍ୟମରେ ବଜେଟ ଉପସ୍ଥାପନା କରିବେ । ସେହିପରି ବିଧାୟକମାନଙ୍କୁ ଗୋଟିଏ ଲେଖାଏଁ ଆଇ-ପ୍ୟାଡ ଦିଆଯାଇଛି । ଏଥିରୁ ସେମାନେ ବଜେଟ ବିବରଣୀ ଜାଣିପାରିବେ । ଡିଜିଟାଲ ଉପାୟରେ ବଜେଟ ଉପସ୍ଥାପନ କରି ବଜେଟ୍‌ ପ୍ରକ୍ରିୟାକୁ ପେପରଲେସ କରିବାକୁ ସରକାର ଉଦ୍ୟମ କରୁଛନ୍ତି । ଏହାଫଳରେ ଏଥର ବଜେଟ ପୁସ୍ତିକା ଛପାଇବା ପାଇଁ ୭୫ ଲକ୍ଷ ପୃଷ୍ଠା କାଗଜ ଆବଶ୍ୟକ ହୋଇନାହିଁ । ଏହା ଦ୍ୱାରା ୧୦୦୦ଟି ବଡ଼ ଗଛ ବଞ୍ଚିଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ କରି କହିଛନ୍ତି ।

ଆଉ ଏକ ଦୃଷ୍ଟିରୁ ଏହି ବଜେଟକୁ ହାଇଟେକ ବଜେଟ କୁହାଯାଇପାରେ । ତାହା ହେଉଛି ପ୍ରଥମ ଥର ପାଇଁ ବଜେଟ ପାଇଁ ଏକ ସ୍ୱତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି । ଲୋକମାନେ ଓଡ଼ିଶା ବଜେଟ ଆପ ଇନଷ୍ଟଲ କରି ରିଅଲ ଟାଇମ ଭିତ୍ତିରେ ବଜେଟ ସୂଚନା ପାଇପାରିବେ । ଲୋକମାନେ ଉଭୟ ଇଂରାଜୀ ଓ ଓଡ଼ିଆରେ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ପଢିପାରିବେ ।

ସମ୍ବନ୍ଧିତ ଖବର