ପୁରୀ: ଶ୍ରୀମନ୍ଦିରର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଛି ୪୧୦.୬୧ କୋଟି ଟଙ୍କାର ବଜେଟ୍। ଗତବର୍ଷ ତୁଳନାରେ ଏହି ବଜେଟ୍ ୧୮୮.୧୭ କୋଟି ଟଙ୍କା ଅଧିକ। ପୂର୍ବରୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ଘୋଷଣା କରିଛନ୍ତି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ରାଜସ୍ବ ବୃଦ୍ଧି ଘଟିଛି। ଆଗକୁ ଆହୁରି ବଢ଼ିବ। ଅନ୍ୟପକ୍ଷରେ ଆଡ଼ପପହଣ୍ଡି ବେଳେ ରଥ ଉପରେ ବଡ଼ଠାକୁରଙ୍କ ପକାଇଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନକୁ ଝୁଲାଇ ରଖିଛି ଶ୍ରୀମନ୍ଦିର ପରିଚାଳନା କମିଟି। ତଦନ୍ତ ରିପୋର୍ଟ ସନ୍ତୋଷଜନକ ହୋଇନଥିବାରୁ ପୁଣିଥରେ ତଦନ୍ତ କରି ନିର୍ଦ୍ଦିଷ୍ଟ କାରଣ ଖୋଜାଯିବ। ଏଥିସହିତ କେଉଁ ସେବାୟତ ଏଥିପାଇଁ ଦାୟୀ, ରିପୋର୍ଟରେ ସ୍ପଷ୍ଟ ଭାବେ ଜଣାଇବାକୁ କୁହାଯାଇଛି।
ଚଳିତ ଶ୍ରୀମନ୍ଦିର ପରିଚାଳନା କମିଟିର ଶେଷ ବୈଠକ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଆଡ଼ପପହଣ୍ଡି ଅଘଟଣ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା। ଏଥିପାଇଁ ସମସ୍ତେ ଦୁଃଖ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଥିଲେ। ତଦନ୍ତ କମିଟି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ମୋବାଇଲ୍ ଫୋନ୍ ବ୍ୟବହାର, ସମନ୍ବୟର ଅଭାବ, ଅଭିଜ୍ଞ ସେବାୟତଙ୍କ ଅନୁପସ୍ଥିତି ଆଦି କାରଣ ଦର୍ଶାଇଛନ୍ତି। କିନ୍ତୁ ନିର୍ଦ୍ଦିଷ୍ଟ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହା କହିନାହାନ୍ତି। ଏଣୁ ତିନିଜଣିଆ କମିଟିକୁ ପୁଣିଥରେ ତଦନ୍ତ କରି ନିର୍ଦ୍ଦିଷ୍ଟ ଭାବେ କାରଣ ଉଲ୍ଲେଖ କରିବା ସହ ସଂପୃକ୍ତ ସେବାୟତ ଓ ଅନ୍ୟମାନଙ୍କ ନାମ ଦର୍ଶାଇବାକୁ କୁହାଯାଇଛି। ସୂଚାରୁ ରୂପେ ପହଣ୍ଡି ସଂପନ୍ନ ପାଇଁ ୯ଟି ପ୍ରସ୍ତାବ ଆସିଥିଲା। ସେଥିରୁ ୮ଟି ପ୍ରସ୍ତାବରେ କମିଟି ସହମତି ଜଣାଇଛି। ପହଣ୍ଡି ବେଳେ କେଉଁ ସେବକ ରହିବେ, ବାଡ଼ଗ୍ରାହୀ ସୁନିଶ୍ଚିତ କରିବା, ବାଡ଼ଗ୍ରାହୀଙ୍କ ନେତୃତ୍ବରେ ଏକ ପହଣ୍ଡି ସମନ୍ବୟ କମିଟି ଗଠନ କରିବା, ରଥ ଓ ଚାରମାଳ ସ୍ତର ସମାନ ରଖିବା, ଚାରମାଳ ଦୁଇପାର୍ଶ୍ବ ଆକାର(ଚଉଡ଼ା) ବୃଦ୍ଧି କରିବା, ରଥ ଉପରେ ମୋବାଇଲ୍ ବ୍ୟବହାରରେ କଟକଣା ଆଦି ପ୍ରସ୍ତାବ ଏଥିରେ ରହିଛି।
ବଡ଼ଠାକୁରଙ୍କୁ ପକାଇଦେବା ଘଟଣାେର କାର୍ଯ୍ୟାନୁଷ୍ଠାନ ଝୁଲିଲା
ତଦନ୍ତ ରିପୋର୍ଟରେ ସନ୍ତୁଷ୍ଟ ହେଲାନି ପରିଚାଳନା କମିଟି
୧୨ ବର୍ଷ ପରେ ଶ୍ରୀମନ୍ଦିର ଏଫ୍ଏମ୍ ରେଡ଼ିଓ ପ୍ରସଙ୍ଗ ଉଠିଲା
ଭିତର ଓ ବାହାର ରତ୍ନଭଣ୍ଡାର ଦ୍ବାର ସୁନା ଆଚ୍ଛାଦନ ପ୍ରସ୍ତାବ
ଡ. ପାଢ଼ୀ କହିଛନ୍ତି, ମୋବାଇଲ୍ କଟକଣା ଲାଗିସାରିଛି। ଏଣିକି ରଥ ଉପରକୁ ମୋବାଇଲ୍ ନେଲେ ଜବତ ହେବ। ରଥଶୋଧ ଦଳ ଗଠନ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଣୁ ଶୋଧ ଦଳରେ କେବଳ ସେବାୟତ ରହିବେନି, ଜଣେ ମାଜିଷ୍ଟ୍ରେଟ୍, ପୁଲିସ, ଜେଟିପି ବି ରହିବେ। ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି, ଯେଉଁମାନେ ଛତିଶାନିଯୋଗ, ଦଇତାପତି ନିଯୋଗ ସହ ବିସ୍ତୃତ ଆଲୋଚନା କରି ବିଧିବଦ୍ଧ ନିଷ୍ପତ୍ତି ନେବେ। ନୀତିରେ ଶୃଙ୍ଖଳା ଆଣିବାକୁ ଜିଲ୍ଲାପାଳଙ୍କୁ ପ୍ରତି ମାସରେ ନୀତି ସବ୍କମିଟି ବୈଠକ କରି ନୀତିକାନ୍ତିର ସମୀକ୍ଷା କରିବାକୁ କୁହାଯାଇଛି। ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧା ଦର୍ଶନ ଉପରେ ବି ଆଲୋଚନା ହୋଇଛି। ଶ୍ରୀମନ୍ଦିର ଏଫ୍ଏମ୍ ରେଡିଓ ଖୋଲିବା ଉପରେ ନୀତିଗତ ନିଷ୍ପତ୍ତି ହୋଇଛି।
ଏହାବ୍ୟତୀତ ମହାପ୍ରଭୁଙ୍କ ଜମିଜମା ସମ୍ପର୍କରେ ବି ଆଲୋଚନା ହୋଇଥିଲା। ଭିତର ରତ୍ନଭଣ୍ଡାର ଦ୍ବାର ସୁନା ଓ ବାହାର ରତ୍ନଭଣ୍ଡାର ଦ୍ବାର ରୁପା ଆଚ୍ଛାଦିତ କରିବାକୁ ପ୍ରସ୍ତାବ ରହିଥିଲା। କିନ୍ତୁ କମିଟି ଦୁଇଟିଯାକ ଭଣ୍ଡାରର ଦ୍ବାର ସୁନା ଆଚ୍ଛାଦିତ କରିବାକୁ ପ୍ରସ୍ତାବ ଦେଇଛି। ଏ ଦିଗରେ ଆମେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବୁ ବୋଲି ଡ. ପାଢ଼ୀ କହିଛନ୍ତି। ସେହିପରି ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥିତ ହେବ। ନାଟମଣ୍ଡପରେ ଭକ୍ତଙ୍କ ପାଇଁ ଧାଡ଼ି ବ୍ୟବସ୍ଥା କରାଯିବ। ଭକ୍ତଙ୍କ ଆଶ୍ବସ୍ତି ପାଇଁ ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ନାଟମଣ୍ଡପକୁ ଅଯଥା ଅବରୋଧ କରି ରଖିଥିବା ଆଲମିରା, ସିନ୍ଦୁକ ଆଦି ଆସବାବ ହଟାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଏହି ନିଷ୍ପତ୍ତି ନେଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍ପିଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଆଗକୁ ବୟସ୍କ, ବୃଦ୍ଧବୃଦ୍ଧା, ମହିଳା, ଶିଶୁମାନଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା ହେବ।