ବଜେଟ୍‌: କିଏ କ’ଣ କହିଲେ

ଓଡ଼ିଶା ପରି ରାଜ୍ୟ ଅଧିକ ଲାଭ ପାଇବେ
ବଜେଟ୍‌ ଦ୍ବାରା ଦେଶର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକ ଅଧିକ ଲାଭାନ୍ବିତ ହେବେ। ବିଶେଷ ଭାବେ ଓଡ଼ିଶା ପରି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ସଂଖ୍ୟା ଢେର୍ ଅଧିକ ଥିବାରୁ ଏହି ବଜେଟରୁ ରାଜ୍ୟ ଅଧିକ ଲାଭ ପାଇବ। ଓଡ଼ିଶା ପରି ରାଜ୍ୟରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇ ଗୁଣା କରାଯିବ। ଯୁବକମାନଙ୍କର ମେରାଇନ୍ ବ୍ୟବସାୟରେ ଭାଗିଦାରୀ ବଢ଼ାଇବା ପାଇଁ ‘ସାଗରମିତ୍ର’ ପରି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଛି। ଦେଶର ଗ୍ରାମ ପଞ୍ଚାୟତଗୁଡ଼ିକୁ ଭାରତ ନେଟ୍‌ ମାଧ୍ୟମରେ ଯୋଡ଼ାଯିବ। ପ୍ରତି ଗାଁରେ କୃଷି ଆଧାରିତ ବଜାର ବ୍ୟବସ୍ଥା ତିଆରି କରିବା ଓ ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ବଢ଼ାଇବା ପାଇଁ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ପଛୁଆ ରାଜ୍ୟମାନଙ୍କର ବିକାଶ ମୋଦୀ ସରକାରଙ୍କ ପ୍ରାଥମିକତା। ଏପରି ନୀତି କାରଣରୁ ଓଡ଼ିଶା ପରି ରାଜ୍ୟ ଲାଭ ପାଇବେ। ବଜେଟ୍‌ରେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢ଼ାଯାଇଛି। ଢାଞ୍ଚାଗତ କ୍ଷେତ୍ର ତଥା ସଡ଼କପଥ, ରେଳ, ବିମାନ, ଜଳପଥର ବିକାଶ ପାଇଁ ଗୁରୁତ୍ବ ଦିଆଯାଇଛି। ଏହିସବୁ କାମର ଲାଭ ଓଡ଼ିଶା ମଧ୍ୟ ପାଇବ। ଯେଉଁ ଅଞ୍ଚଳରେ ଜଙ୍ଗଲ ଅଧିକ ଅଛି, ସେହି ରାଜ୍ୟକୁ ଅଧିକ ପଇସା ଦିଆଯିବା ନେଇ ପଞ୍ଚଦଶ ଅର୍ଥ କମିସନ୍‌ରେ ବ୍ୟବସ୍ଥା ହୋଇଛି। ଓଡ଼ିଶାରେ ଜଙ୍ଗଲର ମାତ୍ରା ବୃଦ୍ଧି ପାଇଥିବାରୁ ଓଡ଼ିଶାକୁ ଏହାର ଫାଇଦା ମିଳିବ। । ଅର୍ଥନୀତିରେ ଯେଉଁ ଦୁର୍ବଳ ଅବସ୍ଥା ଦେଖାଯାଇଥିଲା, ସେଥିରୁ ବାହାରିବା ପାଇଁ ଏହାଠାରୁ ଭଲ ପଦକ୍ଷେପ କିଛି ହୋଇ ନ ପାରେ।
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ

ବଡ଼ ବଡ଼ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ବଜେଟ୍‌
ବଜେଟ୍‌ ନୈରାଶ୍ୟଜନକ ଏବଂ କେବଳ ପ୍ରତିଶ୍ରୁତିପୂର୍ଣ୍ଣ। ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କଲାଭଳି ଏହି ବଜେଟ୍‌ରେ କିଛି ବି ବ୍ୟବସ୍ଥା ନାହିଁ। ଆଇଡିବିଆଇ ଓ ଭାରତୀୟ ଜୀବନ ବୀମା ନିଗମର ଅଂଶଧନ ସେୟାର ବଜାରରେ ବିକ୍ରି କରିବାକୁ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାଦ୍ବାରା ବଡ଼ବଡ଼ ପୁଞ୍ଜିପତିମାନେ ଲାଭବାନ୍‌ ହେବେ। ଦେଶରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି, ତାହା ଦୂର କରିବା ପାଇଁ ବଜେଟ୍‌ରେ ସେମିତି କିଛି ଠୋସ୍‌ ପଦକ୍ଷେପ ନିଆଯାଇନି। ବେକାରି ଦୂର କରିବାକୁ ମଧ୍ୟ କୌଣସି ‌‌ଯୋଜନା ନାହିଁ। ତେଣୁ ସାଧାରଣ ଲୋକଙ୍କୁ ଏହି ବଜେଟ୍‌ରୁ କିଛି ମିଳିବନି।
ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ମୋଦୀ ସରକାରଙ୍କ ନୂଆ ଜୁମଲା ଉପହାର
ଦେଶ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ୍‌ରେ କିଛି ବି ବ୍ୟବସ୍ଥା କରାଯାଇନି। ଲୋକଙ୍କ ହାତରେ ଟଙ୍କା ନାହିଁ। କୃଷକ ଓ ଶ୍ରମିକ ଯେଉଁମାନେ କି ଦେଶର ମେରୁଦଣ୍ଡ ସେମାନଙ୍କୁ ଏହି ବଜେଟ୍‌ରେ କିଛି ବି ଗୁରୁତ୍ବ ଦିଆଯାଇନି। ଏହି ବଜେଟ୍‌ ଏନଡିଏ ଓ ମୋଦୀ ସରକାରଙ୍କ ଉପହାର ସ୍ବରୁପ ଦେଶବାସୀଙ୍କୁ ନୂଆ ଜୁମ୍‌ଲା। ଓଡ଼ିଶା ସରକାର ଧାନ କ୍ବିଣ୍ଟାଲ ପିଛା ଉତ୍ପାଦନ ବାବଦରେ ୨ ହଜାର ୪୦୦ ଟଙ୍କା ଖର୍ଚ୍ଚ ହେଉଛି ବୋଲି ହିସାବ ଲଗାଇଛନ୍ତି। କିନ୍ତୁ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୧୮୧୫ ଟଙ୍କା କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି। ଏଥିରେ ଚାଷୀର ଲାଭ ହେଉଛି କି କ୍ଷତି? ଏମ୍‌ଏସ୍‌ପି ବୃଦ୍ଧି କରି ଯଦି କେନ୍ଦ୍ର ବାହାବା ନେଉଛି ତା ହେଲେ ଧାନ ପାଇଁ ଧାର୍ଯ୍ୟ ହୋଇଥିବା ଏମ୍‌ଏସ୍‌ପି ଚାଷୀକୁ କେତେ ଲାଭ ଦେଉଛି ତାର ଉତ୍ତର କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍‌ ଆଲୋଚନା ଶେଷରେ ରଖନ୍ତୁ।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବିଜେଟ୍‌ର ବିଶେଷତ୍ବ ନାହିଁ
ବଜେଟର ବିଶେଷତ୍ବ ନାହିଁ। ଏହା ଏକ ପାରମ୍ପରିକ ‌ବଜେଟ। ତେବେ ଗ୍ରାମାଞ୍ଚଳର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଇନକମ୍ ଟ୍ୟାକ୍ସ ଉପରେ ବିରାଟ ପରିବର୍ତ୍ତନ କରାଯାଇଛି। ଅଭିବୃଦ୍ଧିର ହାର ବର୍ତମାନ ୫ ପ୍ରତିଶତରୁ କମ୍ ଥିବା ବେଳେ ୧୦ ପ୍ରତିଶତ ଅଭିବୃଦ୍ଧି ହାର ଯାହା କୁହାଯାଇଛି ତାହା ହାସ୍ୟାସ୍ପଦ। ‌କ୍ଷୁଦ୍ର, ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଠୋସ ବ୍ୟବସ୍ଥା କରି ନାହାନ୍ତି।
ପ୍ରଫୁଲ୍ଲ ଘଡ଼ାଇ, ପୂର୍ବତନ ଅର୍ଥମନ୍ତ୍ରୀ

ନୂଆ ଭାରତର ପରିକଳ୍ପନା ବାସ୍ତବ ରୂପ ନେବ
ଏହି ବଜେଟ ଆମ ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବା ପାଇଁ ଏକ କ୍ରାନ୍ତିକାରୀ ବଜେଟ। ମୋଦୀଙ୍କ ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହା ସଫଳ ହେବ। ଓଡ଼ିଶା ପାଇଁ ଏହି ବଜେଟ ବଡ଼ ଲାଭ ଆଣିବ। ଗ୍ରାମାଞ୍ଚଳରେ ପାଇପ ଯୋଗେ ପିଇବା ପାଣି ପାଇଁ ୩ ଲକ୍ଷ କୋଟିରୁ ଅଧିକ ଅର୍ଥ ବରାଦ ହୋଇଛି। ସେହିପରି ପ୍ରତି ଜିଲ୍ଲାରେ ମେଡିକାଲ ପ୍ରତିଷ୍ଠା, ପକ୍କାଘର ନିର୍ମା‌ଣ ପାଇଁ ବ୍ୟାପକ ଅର୍ଥ ବରାଦ ଆଦିର ଲାଭ ଆଗାମୀ ଦିନରେ ଓଡ଼ିଶା ପାଇବ।
ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ନେତା, ଓଡ଼ିଶା ବିଧାନସଭା

ଆୟକର ଦେଶର ଇତିହାସରେ ସବୁଠାରୁ କମ୍‌
ବଜେଟ୍‌ ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବାରେ ସହାୟକ ହେବା ସହ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ। ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ରେ ଆୟକର ହ୍ରାସ ନିଷ୍ପତ୍ତି ଭାରତବର୍ଷର ଇତିହାସରେ ରେକର୍ଡ଼ କରିଛି। ପ୍ରତି ଜିଲ୍ଲାରେ ମେଡିକାଲ କଲେଜ୍‌ ପ୍ରତିଷ୍ଠା କରିବା ପାଇଁ ବ୍ୟୟ ବରାଦ କରାଯାଇଛି। ଯାହାକି ଓଡ଼ିଶା ଭଳି ରାଜ୍ୟରେ ଯଥେଷ୍ଟ ସୁଫଳ ପ୍ରଦାନ କରିବ। ବଜେଟ୍‌ ଓଡ଼ିଶା ପାଇଁ ବରଦାନ ସଦୃଶ। ଏଥିରେ ପ୍ରଧାନମନ୍ତ୍ରୀଙ୍କର ନୂଆ ଭାରତ ନିର୍ମାଣ କରିବାର ପରିକଳ୍ପନାକୁ ସାକାର କରିବାରେ ଏହି ବଜେଟ୍‌ ଅନେକ ଲାଭଦାୟୀ ହେବ। ବଜେଟ୍‌ରେ ଚାଷଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ଦେଶରେ ଯୁବ ବର୍ଗଙ୍କର ସ୍ବପ୍ନକୁ ପୂରଣ କରିବା ଦିଗରେ ଏହି ବଜେଟ୍‌ ଆଗାମୀ ଦିନରେ ବଡ଼ ଭୂମିକା ନେବାକୁ ଯାଉଛି। ସାଧାରଣ ବଜେଟ୍‌ରେ ମହିଳା ଓ ଶିଶୁମାନଙ୍କର କୁପୋଷଣ ଦୂର କରିବାକୁ ୩୫ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟରେ ଥିବା ଗରିବ ମହିଳା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟର ବିକାଶରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅର୍ଥ ବ୍ୟୟବରାଦ ବୃଦ୍ଧି ପାଇଛି।
ସମୀର ମହାନ୍ତି, ରାଜ୍ୟ ବିଜେପି ସଭାପତି

ଲମ୍ବା ଭାଷଣ, କାଳ୍ପନିକ ଓ ନୈରାଶ୍ୟଜନକ
ଏଥରର ସାଧାରଣ ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ। ଏଥିରେ ଓଡ଼ିଶା ସମ୍ପର୍କରେ କିଛି ବି କୁହାଯାଇନି। ଚିରାଚରିତ ଭାବେ ବଜେଟ୍‌କୁ ଆଗତ କରାଯାଇଛି। ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ସରକାର ପ୍ରତ୍ୟକ୍ଷ କର କ୍ଷେତ୍ରରେ ବ୍ୟକ୍ତିଗତ ଆୟ ଉପରେ କେବଳ ଅଢ଼େଇ ଲକ୍ଷ ଲେଖାଏଁ ସୀମା ଧାର୍ଯ୍ୟ କରିବା ଆଦୌ ଯୁକ୍ତିଯୁକ୍ତ ଲାଗୁନି। ଏହା ଅତ୍ୟନ୍ତ ସଂକୀର୍ଣ୍ଣମନା ଚିନ୍ତାଧାରା। ଲମ୍ବା ସମୟ ଧରି ବଜେଟ୍‌ ଭାଷଣରେ କିଛି ବି ତଥ୍ୟ ନାହିଁ। ସବୁକିଛି କାଳ୍ପନିକ ଭଳି ଲାଗୁଛି।
ପିନାକୀ ମିଶ୍ର, ବିଜେଡି ସଂସଦୀୟ ଦଳ ନେତା (ଲୋକସଭା)

ଦେଶ, ବ୍ୟକ୍ତି ଓ ଶିଳ୍ପକୁ ସଶକ୍ତ କରିବ
କେନ୍ଦ୍ର ବଜେଟ ଉପରେ ପ୍ରତିକ୍ରିୟା ରଖି ‘ଫିକି’ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷା ମୋନିକା ନୈୟର ପଟ୍ଟନାୟକ କହିଛନ୍ତି, ବଜେଟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଦେଶ, ବ୍ୟକ୍ତି ଓ ଶିଳ୍ପ କ୍ଷେତ୍ରକୁ ସଶକ୍ତ କରିବ। ବ୍ୟକ୍ତିଗତ ଆୟକର ହ୍ରାସ ଲୋକଙ୍କ ହାତରେ ଅଧିକ ଟଙ୍କା ରଖିବାରେ ସହାୟକ ହେବ। ବଜେଟରେ ଘୋଷଣା ହୋଇଥିବା ଭଲ ପ୍ରୟାସଗୁଡ଼ିକ ଯଦି ଠିକ୍ ଭାବେ କାର୍ଯ୍ୟକାରୀ ହୁଏ, ତେବେ ସକାରାତ୍ମକ ଫଳାଫଳ ନିଶ୍ଚିତ ମିଳିବ। ଶିଳ୍ପର ବିକାଶ ହେବ ଓ ରାଷ୍ଟ୍ରର ବିକାଶକୁ ଏହା ସହଯୋଗ କରିବ।
ମୋନିକା ନୈୟର ପଟ୍ଟନାୟକ, ଅଧ୍ୟକ୍ଷା, ଫିକି ଓଡ଼ିଶା ରାଜ୍ୟ ପରିଷଦ

କୃଷକଙ୍କ ଆୟ ୨ ଗୁଣ କରିବା କଥା ପାଣିରଗାର
ବଜେଟ୍‌ରେ ଯୁବକଯୁବତୀମାନଙ୍କ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା କରାଯାଇନି। ଲମ୍ବା ସମୟ ଅବଧିର ବଜେଟ୍‌ ଭାଷଣରେ କେବଳ ଭୁଆଁ ବୁଲାଇବାକୁ ଉଦ୍ୟମ କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରିବାକୁ ଯେପରି ନୀଳ ନକ୍‌ସାର ସ୍ବପ୍ନ ଦେଖାଇ ଦିଆଯାଇଛି ତାହା ବାସ୍ତବତାଠାରୁ ବହୁ ଦୂରରେ। ବିଶେଷକରି ଭାରତୀୟ ଶିଳ୍ପ ବିକାଶ (ଆଇଡିବିଆଇ) ବ୍ୟାଙ୍କ୍‌ର ଅଂଶଧନ ବିଦେଶୀ ସଂସ୍ଥାଗତ ଅନୁଷ୍ଠାନମାନଙ୍କୁ ବିକ୍ରି କରିବା ନିଷ୍ପତ୍ତି ନିନ୍ଦନୀୟ। ଏହାହେଲେ ଦେଶରେ ଥିବା ବହୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ କ୍ଷତିଗ୍ରସ୍ତ ହେବେ। ୧୫୦ଟି ଯାତ୍ରୀବାହୀ ଟ୍ରେନ୍‌ର ଘରୋଇକରଣ ନିଷ୍ପତ୍ତି ଦେଶର ଅଭୂତପୂର୍ବ କ୍ଷତି ଘଟାଇବ।
ଦିବାକର ନାୟକ, କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଭ୍ୟ, ସିପିଆଇ

ପର୍ଯ୍ୟଟନ ବିକାଶରେ ସହାୟକ ହେବ
ଏହା ଏକ ପ୍ରଗତିଶୀଳ ବଜେଟ । ଦେଶର ପର୍ଯ୍ୟଟନର ବିକାଶରେ ଏହା ବିଶେଷ ସହାୟକ ହେବ। ପର୍ଯ୍ୟଟନ ବଜେଟ ୫୭୫ କୋଟିରୁ ୨୫୦୦ କୋଟିକୁ ବୃଦ୍ଧି କରିବା ଓ ‌ସଂସ୍କୃତି କ୍ଷେତ୍ରରେ ବଜେଟ ୮୭୫ କୋଟିରୁ ୩୧୫୦ କୋଟି ଟଙ୍କାକୁ ବୃଦ୍ଧି କରିବା ସ୍ବାଗତଯୋଗ୍ୟ। ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ସହାୟକ ହେବ। ସେହିପରି ଅଧିକ ଦ୍ରୁତଗାମୀ ଟ୍ରେନ୍ ଚଳାଚଳର ପ୍ରସ୍ତାବ ପର୍ଯ୍ୟଟନକୁ ଅଧିକ ଗତିଶୀଳ କରାଇବ। ପାଞ୍ଚଟି ଗୁରୁତ୍ବପୂର୍ଣ୍ଣ ପ୍ରତ୍ନତତ୍ତ୍ବ ସ୍ଥାନର ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ରହିବା ନିଶ୍ଚିତ ସ୍ବାଗତଯୋଗ୍ୟ। ତେବେ କୋ‌ଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଖଣ୍ଡଗିରି-ଉଦୟଗିରି ପରି ଐତିହ୍ୟସମ୍ପନ୍ନ ସ୍ଥାନ ସମ୍ପର୍କରେ ମଧ୍ୟ ବିଚାର କରାଯିବାର ଆବଶ୍ୟକତା ରହିଛି। ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେରିଟେଜ୍ ଆଣ୍ଡ୍‌ କଞ୍ଜର୍ଭେସନ୍’ର ପ୍ରତିଷ୍ଠା ଗୁଣାତ୍ମକ ମାନବ ସମ୍ବଳ ଯୋଗାଣ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ। ହୋଟେଲ୍‌ ଓ ଟ୍ରାଭେଲ ଶିଳ୍ପର ବିକାଶ ପାଇଁ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ଅର୍ଥ ମନ୍ତ୍ରୀ ବିଚାର କରନ୍ତୁ।
ଜେ କେ ମହାନ୍ତି, ସମ୍ପାଦକ, ହୋଟେଲ୍‌ ଆସୋସିଏସନ୍ ଅଫ୍ ଇଣ୍ଡିଆ

ଅର୍ଥନୀତିକୁ ଗତିଶୀଳ କରାଇବ
ବିତ୍ତୀୟ ଶୃଙ୍ଖଳା ଓ ବଜେଟ ପରିଚାଳନା ଆଇନ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୮ ପ୍ରତିଶତରେ ରହିଛି। ଏହାକୁ କୋହଳ କରି ଆସନ୍ତା ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ରହିବ ବୋଲି ସରକାର ଆକଳନ କରିଛନ୍ତି। ବର୍ତ୍ତମାନର ଆବଶ୍ୟକତାକୁ ଆଖି ଆଗରେ ରଖି ଅର୍ଥନୀତିକୁ ଗତିଶୀଳ କରାଇବା ନିମନ୍ତେ ସରକାର ଆର୍ଥିକ ପଦକ୍ଷେପ ନେଇଛନ୍ତି।
ସଙ୍ଗୀତା ରେଡ୍ଡି, ଜାତୀୟ ସଭାନେତ୍ରୀ ‘ଫିକି’

ସୁସ୍ଥ ଓ ସୁରକ୍ଷିତ ରାଷ୍ଟ୍ର ସମ୍ଭବ ହେବ
କେନ୍ଦ୍ର ବଜେଟ୍‌ ଉପ‌େର ପ୍ରତିକ୍ରିୟା ରଖି ଡିଏଭି ସ୍କୁଲ୍‌ ଅଫ୍ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ୍‌ର ଅଧ୍ୟକ୍ଷ ଡି ଏନ୍ ମିଶ୍ର କହିଛନ୍ତି, ଏହି ବଜେଟ ଭାରତକୁ ଏକ ସୁସ୍ଥ, ସୁଖୀ ଓ ସୁରକ୍ଷିତ ରାଷ୍ଟ୍ର ଭାବେ ଗଢ଼ି ତୋଳିପାରିବ। ବ୍ଲୁ ଇକୋନୋମିର ଆଭିମୁଖ୍ୟ ଭାରତର ସାମୁଦ୍ରିକ କ୍ଷେତ୍ର ଓ ମାଛ ଚାଷକୁ ଆହୁରି ଉନ୍ନତ ଓ ମଜବୁତ କରିବ। ଉଡ଼ାନ ଯୋଜନାରେ ୨୦୨୪ ସୁଦ୍ଧା ସମଗ୍ର ଦେଶରେ ମୋଟ ୧୦୦ଟି ବିମାନ ବନ୍ଦର ନିର୍ମାଣ ହେବ, ଯାହା ପରିବହନ କ୍ଷେତ୍ରକୁ ବ୍ୟାପକ କରିବ। ଆୟକର ରିହାତି ଦ୍ବାରା ଲୋକଙ୍କ ହାତରେ ଅଧିକ ନଗଦ ଅର୍ଥ ରହିବ, ଯାହା ଦ୍ବାରା ବଜାର ଚଳଚଞ୍ଚଳ ହୋଇପାରିବ।
ଡି ଏନ୍ ମିଶ୍ର, ଅଧ୍ୟକ୍ଷ, ଡିଏସ୍‌ବିଏମ୍‌

ସମ୍ବନ୍ଧିତ ଖବର