ବଜେଟ୍‌ ପ୍ରତିକ୍ରିୟା : ମୁଖ୍ୟମନ୍ତ୍ରୀ କହିଲେ-ଲୋକାଭିମୁଖୀ ଓ ବିକାଶଶୀଳ, ବିରୋଧୀଙ୍କ ମତରେ ନୈରାଶ୍ୟଜନକ

ଲୋକାଭିମୁଖୀ, ବିକାଶଶୀଳ: ମୁଖ୍ୟମନ୍ତ୍ରୀ
ରାଜ୍ୟ ବଜେଟ ଏକ ଲୋକାଭିମୁଖୀ, ବିକାଶଶୀଳ ଓ ରୂପାନ୍ତରିତ ବଜେଟ, ଯାହା କି ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି। ଗତ ବର୍ଷର ଅଧିକାଂଶ ସମୟ ଆମେ କୋଭିଡ୍ ଲକଡାଉନରେ ହରାଇଛୁ। ସେତେବେଳର ପରିସ୍ଥିତିରୁ ବାହାରି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା କୌଣସି ଅସାଧାରଣ କାର୍ଯ୍ୟ ଠାରୁ କମ୍ ନୁହେଁ। ଏହା ସହିତ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ଚାଷୀ, ଯୁବ ଓ ମହିଳାଙ୍କୁ ଅଣଦେଖା: ବିଜେପି
ରାଜ୍ୟ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ, ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଛି। ଚାଷୀଙ୍କ ଉପରେ କୌଣସି ଫୋକସ୍ ନାହିଁ। ଗରିବଙ୍କ ପାଇଁ ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି କ୍ଷେତ୍ରରେ କୌଣସି ବ୍ୟୟ ବରାଦ ନାହିଁ। ମହିଳା ସଶକ୍ତୀକରଣ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଯାହା ବିକାଶ ମୂଳକ କାମ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥି ପାଇଁ ବାହ୍ୟ ଋଣ, କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ। ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ।

ଆଞ୍ଚଳିକ ବୈଷମ୍ୟ ବଢ଼ାଇବ: ନରସିଂହ
ବଜେଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏହି ବଜେଟ ଆଞ୍ଚଳିକ ବୈଷମ୍ୟ ବଢ଼ାଇବ। ବହୁ ଦିନରୁ ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ପାଇଁ ଦାବି ହେଉଛି। ସେଥିରେ ଏ ବଜେଟ ନିଆଁରେ ଘିଅ ଢାଳିବା ସଦୃଶ ହେବ। ଯଦିଓ ସ୍ବତନ୍ତ୍ର ରାଜ୍ୟକୁ ମୁଁ ସମର୍ଥନ କରେ ନାହିଁ, କିନ୍ତୁ ସରକାର ଭାଗ ଭାଗ କରିବାକୁ ବାଧ୍ୟ କରୁଛନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୦୦ କୋଟି ଟଙ୍କା ଦେଇ ସରକାର ବାହାବା ନେଉଛନ୍ତି। ୧ ଲକ୍ଷ ୭୦ ହଜାର କୋଟି ବଜେଟରେ ପଶ୍ଚିମ ଓଡ଼ିଶାକୁ ୨୦୦ କୋଟି ମିଳିବ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ। ଶିକ୍ଷାର ବିକାଶ ବିନା ଦାରିଦ୍ର୍ୟ ଦୂରୀକରଣ ଅସମ୍ଭବ। ଏହି ବଜେଟରେ ତାହାକୁ ଅବହେଳା କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ରକୁ ଯେତିକି ଗୁରୁତ୍ବ ଦିଆଯିବା କଥା‌, ତାହା ହୋଇ ନାହିଁ। ଏହି ଜନବିରୋଧୀ ବଜେଟ ବିକାଶ ପରିବର୍ତ୍ତେ ବିନାଶ କରି‌ବ।

ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ: କଂଗ୍ରେସ
କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି ଯେ ଚଳିତ ବର୍ଷର ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ। ଏହା ସମ୍ପୂର୍ଣ୍ଣ ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ। ସମସ୍ତେ ଆଶା କରିଥିଲେ ପ୍ରାଥମିକ ସ୍ବାସ୍ଥ୍ୟକୁ ସଶକ୍ତ କରିବା ପାଇଁ ଅର୍ଥ ମଞ୍ଜୁର କରାଯିବ। କିନ୍ତୁ ତାହା ‌େହାଇ ନାହିଁ। ଉଜୁଡ଼ି ଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ବ୍ୟୟ ବରାଦ କରାଯାଇ ନାହିଁ। ମହାନଦୀରେ ବୋହି ଯାଉଥିବା ବନ୍ୟା ଜଳକୁ ରୋକିବା ନିମନ୍ତେ ପୂର୍ବରୁ ଘୋଷଣା ଥିଲେ ମଧ୍ୟ ବ୍ୟୟବରାଦରେ ତାହା ସ୍ପଷ୍ଟ ନୁହେଁ। କରୋନା ମହାମାରୀ ସମୟରେ ବନ୍ଦ ହୋଇଯାଇଥିବା କ୍ଷୁଦ୍ର ଶିଳ୍ପର ପୁନରୁଦ୍ଧାର ବ୍ୟବସ୍ଥା ପାଇଁ କୌଣସି ସୂଚନା ନାହିଁ।

ବିକାଶହୀନ ବଜେଟ୍‌: ସିପିଆଇ
ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ନାୟକ କହିଛନ୍ତି ଯେ ଏହା ଏକ ବିକାଶହୀନ ବଜେଟ। କୃଷି ପାଇଁ ଉଠାଜଳସେଚନ ନିଗମର ପ୍ରସାର ଆବଶ୍ୟକ। କିନ୍ତୁ ବଜେଟରେ ଏଥିପାଇଁ ବ୍ୟବସ୍ଥା ନାହିଁ। ଫସଲ ସଂରକ୍ଷଣ ନିମନ୍ତେ ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ଆବଶ୍ୟକ। ତାହାର ବ୍ୟବସ୍ଥା ନାହିଁ। ନିଯୁକ୍ତି ପାଇଁ ବନ୍ଦ ଓ ରୁଗ୍‌ଣ ହୋଇଯାଇଥିବା ଶିଳ୍ପର ପୁନରୁଦ୍ଧାର ଏବଂ କୃଷି ଓ ଜଙ୍ଗଲ ଭିତ୍ତିକ ଶିଳ୍ପର ଆବଶ୍ୟକତା ରହିଛି। ସେଥି ପ୍ରତି ସରକାର ଦୃଷ୍ଟି ଦେଇ ନାହାନ୍ତି। ଏହା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ସାହାଯ୍ୟ କରିବ ନାହିଁ।

ଦରଦାମ୍ ରୋକିବାରେ ବ୍ୟବସ୍ଥା ନାହିଁ: ସମାଜବାଦୀ ପାର୍ଟି
ଚଳିତ ବଜେଟ୍‌ରେ ରାଜ୍ୟ ସରକାର କୃଷି, ଗ୍ରାମାଞ୍ଚଳ ବିକାଶ, ଜଳସେଚନ, ସ୍ୱାସ୍ଥ୍ୟସେବାକୁ ବିଶେଷ ଗୁରୁତ୍ୱ ଦେବା ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି। କିନ୍ତୁ ଶିକ୍ଷିତ ବେକାରଙ୍କ ପାଇଁ ବିଶେଷ ନିଯୁକ୍ତି ସୁଯୋଗ ନାହିଁ। ‘କାଳିଆ’ ଯୋଜନାକୁ ସରକାର ଗୁରୁତ୍ୱ ଦେଇଥିଲେ ହେଁ କୃଷକମାନଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରାଯାଇନାହିଁ। ସେହିଭଳି ସାମାଜିକ ସୁରକ୍ଷା ଯୋଜନାରେ, ମଧୁବାବୁ ପେନ୍‌ସନ୍‌, ଭିନ୍ନକ୍ଷମ ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଥିଲେ ହେଁ, ଏହାର ଅନୁକମ୍ପା ରାଶି ବୃଦ୍ଧି ନ ହେବା ଯୋଗୁଁ ବୟସ୍କ ନାଗରିକମାନେ ହତାଶ ହୋଇଛନ୍ତି। ବଜେଟ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ରୋକିବା ପାଇଁ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ବଜେଟ୍‌କୁ ସିଆଇଟିୟୁର ବିରୋଧ
ବଜେଟ୍‌ରେ ଶ୍ରମିକ, କୃଷକ ଓ ବେକାର ଯୁବକ ଯୁବତୀମାନେ ନିରାଶ ହୋଇଛନ୍ତି। ଜଳସେଚନ ପାଇଁ ସେପରି କିଛି ବନ୍ଦୋବସ୍ତ କରାଯାଇନାହିଁ। ଓୟୁଏଟିର ଉନ୍ନତି କରିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ମାତ୍ର ରାଜ୍ୟରେ ଅଧିକ କୃଷି ବିଶ୍ବବିଦ୍ୟାଳୟ ଖୋଲିବା ଦରକାର ଥିବା ବେଳେ ଏଥିପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇନାହିଁ। ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ, ସରକାରୀ କ୍ଷେତ୍ରରେ ଖାଲିଥିବା ୧ଲକ୍ଷ ୩୦ ହଜାର ପଦବି ଓ ସ୍ବାସ୍ଥ୍ୟ ବିଭାଗରେ ଖାଲିଥିବା ୧୦ହଜାର ଏଏନଏମ ପଦ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇନାହିଁ। ଏହି ବଜେଟ୍‌କୁ ସଂଗଠନ ବିରୋଧ କରୁଥିବା ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି, ଦୁଷ୍ମନ୍ତ ଦାସ, ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର