୨୦୨୦-୨୧ ପାଇଁ ମାସକ ପୂର୍ବରୁ ସରକାରଙ୍କ ବଜେଟ୍ ପ୍ରସ୍ତୁତ

ଡିସେମ୍ବର ୧୮ରୁ ଜାନୁଆରି ୧୫ ପର୍ଯ୍ୟନ୍ତ ମତାମତ ସଂଗ୍ରହ କରାଯିବ: ଅର୍ଥ ମନ୍ତ୍ରୀ

ଭୁବନେଶ୍ବର: ପୂର୍ବବର୍ଷ ଭଳି ଚଳିତ ବର୍ଷ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଆସନ୍ତାକାଲିଠାରୁ ଅର୍ଥ ବିଭାଗ ଜନସାଧାରଣ, ନାଗରିକ ସମାଜ ଓ ବୁଦ୍ଧିଜୀବୀମାନଙ୍କଠାରୁ ମତାମତ ସଂଗ୍ରହ କରିବ। ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୨୦ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ମତାମତ ସଂଗ୍ରହ କରାଯିବ। ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସରକାର ଇ-ମେଲ୍, ଏସଏମଏସ ଓ ହ୍ବାଟସ୍ ଆପ୍ ଜରିଆରେ ମତାମତ ସଂଗ୍ରହ କରିବାକୁ ବ୍ୟବସ୍ଥା କରିଛନ୍ତି। ଏହି ବଜେଟ ପ୍ରସ୍ତୁତି ସାଧାରଣତଃ ଜାନୁଆରି ମାସରେ କରାଯାଇଥାଏ। ଆସନ୍ତା ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିସନ ରାଜ୍ୟ ଅଂଶ ବାବଦରେ ଅନ୍ତରୀଣ ସୁପାରିସ କରିବାକୁ ଥିବାରୁ ଯୋଜନା ବାବଦ ଖର୍ଚ୍ଚ ଅଟକଳର ଯୁକ୍ତିଯୁକ୍ତ ଆକଳନ କରିବାକୁ ଏଥରକ ଡିସେମ୍ବର ମାସରୁ ସରକାର ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାସହିତ ଅଗଷ୍ଟ-ସେପ୍ଟେମ୍ବର ମାସ ପାଇଁ କେନ୍ଦ୍ର ସରାକର ଜିଏସ୍‌ଟି କ୍ଷତିଭରଣା ବାବଦରେ ୧୧୪୨ କୋଟି ପ୍ରଦାନ କରିଥିବା ଅର୍ଥ ବିଭାଗ ସୂଚନା ଦେଇଛି।

ଜିଏସ୍‌ଟି ବାବଦରେ ମିଳିଛି ୧,୧୪୨ କୋଟି
ରାଜ୍ୟ ରାଜସ୍ବ ଅଭିବୃଦ୍ଧି ହାର ୮%
ନଭେମ୍ବର ୩୦ ସୁଦ୍ଧା ୫୨% ବଜେଟ୍ ଅର୍ଥ ଖର୍ଚ୍ଚ

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ବଜେଟ୍ ପ୍ରସ୍ତୁତି ନେଇ ଅର୍ଥ ବିଭାଗ ୨୦୧୬-୧୭ ଆର୍ଥିକ ବର୍ଷରୁ ଜନସାଧାରଣଙ୍କ ମତାମତ ସଂଗ୍ରହ କରିଆସୁଛି। ଚଳିତ ବର୍ଷ ଲୋକଙ୍କ ମତାମତ ସଂଗ୍ରହ ପାଇଁ ଅର୍ଥ ବିଭାଗର ସ୍ବତନ୍ତ୍ର ଵେବ ପୋର୍ଟାଲ୍ budget.odisha.gov.in ଜରିଆରେ ଇ-ମେଲ୍ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ବଜେଟ୍ ସଂକ୍ରାନ୍ତ ସମସ୍ତ ଦସ୍ତାବିଜ୍ ଏହି ପୋର୍ଟାଲରେ ଉପଲବ୍ଧ ଅଛି। ଏହା ସହିତ ଜଣେ ମୋବାଇଲ ନମ୍ବର ୯୪୩୮୧୬୧୧୧୧କୁ ହ୍ବାଟସ୍ ଆପ୍ ଓ ଏସଏମଏସ ଜରିଆରେ ମତାମତ ପଠାଯାଇପାରି‌ବେ। ଏହି ସୁବିଧା ୨୦୧୯ ଡିସେମ୍ବର ୧୮ ତାରିଖରୁ ୨୦୨୦ ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ୨୦୧୬-୧୭ରେ ୧୬୬୬ ମତାମତ ମିଳିଥିବାବେଳେ ୨୦୧୭-୧୮ରେ ୧୭୮୦, ୨୦୧୮-୧୯ରେ ୧୯୩୦ ଏବଂ ୨୦୧୯-୨୦ରେ ୪୨୫୫ଟି ମତାମତ ମିଳିଥିଲା ବୋଲି ସେ କହିଥିଲେ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ କହିଥିଲେ, ୨୦୧୯-୨୦ ଆର୍ଥିକ ବର୍ଷର ଅନୁମୋଦିତ ବଜେଟ ଅର୍ଥରୁ ନଭେମ୍ବର ୩୦ ତାରିଖ ସୁଦ୍ଧା ୫୨% ଅର୍ଥ ଖର୍ଚ୍ଚ ହୋଇଛି। ଯାହାକି ସନ୍ତୋଷଜନକ। ଆସନ୍ତା ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ସରକାର ବଜେଟ ସଂସଦରେ ଉପସ୍ଥାପନ କରିବେ। କେନ୍ଦ୍ର ସରକାରଙ୍କ ବଜେଟକୁ ଦେଖି ରାଜ୍ୟ ବଜେଟରେ ଚୁଡ଼ାନ୍ତ ରୂପ ଦିଆଯିବ। ପ୍ରତ୍ୟେକ ବିଭାଗ ସେମାନଙ୍କ ପ୍ରାଥମିକତା ଆଧାରରେ ବଜେଟ ଆକଳନ କରି ଆସନ୍ତା ୨୧ ତାରିଖ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଆକଳନ ମିଳିବା ପରେ ଯୋଜନା ଓ ସଂଯୋଜନା ବିଭାଗକୁ ପଠାଯିବ। ଏଥିପାଇଁ ମାସେ ଆଗରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିଛି। ବଜେଟ ପ୍ରସ୍ତୁତି କାର୍ଯ୍ୟ ଆସନ୍ତ ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଯିବ। ରାଜ୍ୟର ରାଜସ୍ବ ଆୟ ୮% ରହିଛି। ଏହି ଧାରା ଜାରି ରହିଲେ ୨୦୧୯-୨୦ ବର୍ଷ ପାଇଁ ସରକାର ଆକଳନ କରିଥିବା ରାଜସ୍ବ ଲକ୍ଷ୍ୟ ପୂରା ହୋଇପାରିବ। କେନ୍ଦ୍ର ସରକାର ଜିଏସ୍‌ଟି ବାବଦରେ ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ଅର୍ଥ ପ୍ରଦାନ କରିଛନ୍ତି। ଏହି ଦୁଇମାସ ପାଇଁ କେନ୍ଦ୍ର ସରକାରଙ୍କଠୁ ୧ ହଜାର ୧୪୨ କୋଟି ଟଙ୍କା ମିଳିଛି। ଅକ୍ଟୋବର ଓ ନଭେମ୍ବର ମାସର ଜିଏସଟି ପ୍ରାପ୍ୟ ବାବଦରେ ୧ ହଜାର ୧୫୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖାଯାଇଛି ବୋଲି ଶ୍ରୀ ମୀନା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର