ନରସିଂହ କ୍ଷୁବ୍ଧ, କଂଗ୍ରେସ ସଭ୍ୟଙ୍କ କକ୍ଷତ୍ୟାଗ

ବଜେଟ୍‌ ଆଲୋଚନା ବେଳେ ମନ୍ତ୍ରୀମାନଙ୍କ ଅନୁପସ୍ଥିତି

ଭୁବନେଶ୍ୱର : ଆଜି ଅପରାହ୍ଣରେ ବଜେଟ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ମନ୍ତ୍ରୀ ଗୃହରେ ନ ଥିଲେ। ଏ ନେଇ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ଉପ ବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ବିଭାଗ ଉପରେ ଆଲୋଚନା କରାଯାଉଥିବାରୁ ମନ୍ତ୍ରୀମାନଙ୍କୁ ଗୃହରେ ଉପସ୍ଥିତ ହେବାକୁ ଉପ ବାଚସ୍ପତି ନିର୍ଦେଶ ଦେବାକୁ ଶ୍ରୀ ଶର୍ମା ଅନୁରୋଧ କରିଥିଲେ।

ଏ ସଂପର୍କରେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ ଯେ ଆଲୋଚନାରେ ସବୁ ମନ୍ତ୍ରୀ ଅଂଶଗ୍ରହଣ କରିବାର ବିଧି ନାହିଁ। କାର୍ଯ୍ୟବିଧି ଅନୁଯାୟୀ ବଜେଟ୍‌ ଆଲୋଚନାରେ ସେମାନଙ୍କ ଉପସ୍ଥିତିର ଆବଶ୍ୟକତା ନାହିଁ ବୋଲି ସେ ଦର୍ଶାଇଥିଲେ। ଶ୍ରୀ ଶତପଥୀଙ୍କ ମନ୍ତବ୍ୟକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କ୍ଷୁବ୍ଧ ହୋଇପଡ଼ିଥିବା ଦେଖାଯାଇଥିଲା। ସେ ପଚାରିଥିିଲେ, ଏ ସଂପର୍କରେ କାର୍ଯ୍ୟବିଧି ଅଛି କି? ମନ୍ତ୍ରୀମାନେ ଗୃହରେ ଉପସ୍ଥିତ ହେବା କଥା। ମୁଖ୍ୟମନ୍ତ୍ରୀ କେବେ ବି ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି ନାହିଁ। ଏ ନେଇ କୌଣସି କାର୍ଯ୍ୟବିଧି, ପରମ୍ପରା ଅଛି କି? ବାଚସ୍ପତି ଏହା ଉପରେ ତାଙ୍କର ମତାମତ ଦିଅନ୍ତୁ। ମୁଖ୍ୟ ସଚେତକଙ୍କୁ ସେ ଆହ୍ଵାନ ଦେଇ କହିଲେ ‘‘ଦେଖିବେ? ଆମେ କ’ଣ କରିପାରିବୁ?’’ କହି ଶ୍ରୀ ମିଶ୍ର କହିଲେ, ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ତାଙ୍କ ବକ୍ତବ୍ୟ ଜାରି ରଖନ୍ତୁ। କଂଗ୍ରେସର ଅନ୍ୟ ସମସ୍ତ ସଦସ୍ୟ କକ୍ଷତ୍ୟାଗ କରିବେ କହି ସେ ସେମାନଙ୍କ ସହିତ ଗୃହରୁ ବାହାରି ଯାଇଥିଲେ।

ଏହି ଘଟଣାରେ ମନ୍ତ୍ରୀମାନଙ୍କୁ ଗୃହରେ ଉପସ୍ଥିିତ ହେବାକୁ ବାଚସ୍ପତି ପ୍ରଦୀପ କୁମାର ଅମାତ ନିର୍ଦେଶ ଦେଇଥିଲେ। ବିରୋଧୀ ଦଳ ନେତା ଓ ସଦସ୍ୟମାନେ ଗୃହକୁ ଆସିବା ପାଇଁ ସେ ଅନୁରୋଧ କରିଥିଲେ। ଏଥିପାଇଁ ସେମାନଙ୍କୁ ଗୃହ ଭିତରକୁ ଫେରାଇ ଆଣିବାକୁ ସେ ମୁଖ୍ୟ ସଚେତକ ଶ୍ରୀ ଶତପଥୀଙ୍କୁ କହିଥିଲେ। ଶ୍ରୀ ଶତପଥୀ ସେମାନଙ୍କୁ ଡାକିବାକୁ ଯିବା ବେଳକୁ କଂଗ୍ରେସ ସଦସ୍ୟମାନେ ଗୃହ ଭିତରକୁ ପ୍ରବେଶ କରିଥିଲେ। ଗତ ତିନିଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। କିନ୍ତୁ ଏହି ପ୍ରସଙ୍ଗ ବଡ଼ ଧରଣର ବିବାଦର ରୂପ ନେବା ପୂର୍ବରୁ ଏହା ଟଳି ଯାଇଥିଲା। ବାଚସ୍ପତି ନିର୍ଦେଶ ଦେବାର କିଛି ସମୟ ପରେ କେବଳ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗୃହ ଭିତରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର