୨୩ରେ ଉପସ୍ଥାପନ ହେବ ବଜେଟ୍
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍ ୩୧ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ୍ ୧୧ରୁ ମେ’ ୫ ପର୍ଯ୍ୟନ୍ତ ହେବ।
୨୦ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ୨୧ ଓ ୨୨ ତାରିଖରେ ଅଭିଭାଷଣ ଉପରେ ଆଲୋଚନା ହେବ। ୨୩ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଉପରେ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଆଲୋଚନା ହେବ। ୩୧ ତାରିଖରେ ଆସନ୍ତା ଆର୍ଥିକ ବର୍ଷର ଗୋଟିଏ ମାସ ପାଇଁ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ।
ଏପ୍ରିଲ୍ ୧୧ ତାରିଖରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ସେହିଦିନ ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଉପସ୍ଥାପନ ହେବ। ୧୨ ତାରିଖରୁ ଖର୍ଚ୍ଚଦାବି ଉପରେ ଆଲୋଚନା ଆରମ୍ଭ ହେବ। ଏହା ଏପ୍ରିଲ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ମାର୍ଚ୍ଚ ୨୪, ମେ’ ୨, ଓ ମେ’ ୪ ତାରିଖରେ ବେସରକାରୀ ସଭ୍ୟ ଦିବସ ରହିଛି। ମେ’ ୫ ତାରିଖରେ ଅଧିବେଶନ ଶେଷ ହେବ।