ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ୍ ୬ଟି କାର୍ଯ୍ୟଦିବସ ରହିଛି। ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ।

ବିଧାନସଭା ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ରଖିବେ। ତାହା ପରେ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ଗୃହ ମୁଲତବୀ ରହି ପୁଣି ୪ଟାରେ ଆରମ୍ଭ ହେବ। ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଗୃହକାର୍ଯ୍ୟ ହେବ। ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ରୁ ୬ଟା ଏପରି ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଚାଲିବ। ଗୃହରେ କୋଭିଡ୍ କଟକଣା ଅନୁଯାୟୀ ବିଧାୟକମାନଙ୍କର ବସିବା ବନ୍ଦୋବସ୍ତ କରାଯାଇଛି। ଏହା ବାଦ୍ ଲୋକସେବା ଭବନ, ଓକାକ ଏବଂ ଜ଼ିଲ୍ଲା କାର୍ଯ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଧାୟକମାନେ ଯୋଡ଼ି ହୋଇପାରିବେ।

ପୌର ନିର୍ବାଚନ ପାଇଁ ଗୁରୁବାର ଦିନ ମତଦାନ ଥିବାରୁ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିପାରୁନାହାନ୍ତି। ଆଜି ଉଭୟ ଦଳର ବୈଠକ ବସିବ। ଗୁରୁବାର ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର